ଚାଷୀଙ୍କୁ ଟାଣିନେଲା ବାଘ
ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଘଟିଯାଇଛି ଏକ ହୃଦୟବିଦାରକ ଘଟଣା । ଜଣେ ଚାଷୀଙ୍କୁ ବାଘ ଆକ୍ରମଣ କରି ମାରିଦେଇଛି । ଚାଷୀ ଜଣକ ନିଜ କ୍ଷେତ ଆଡକୁ ଯାଉଥିଲେ ଠିକ୍ ସେହି ସମୟରେ ବୁଦା ଭିତରେ ଲୁଚି ରହିଥିବା ଏକ ବାଘ ହଠାତ୍ ତାଙ୍କ ଉପରେ ଆକ୍ରମଣ କଲା ଏବଂ ତାଙ୍କ ବେକକୁ ଧରି ୫୦ ଫୁଟ ପର୍ଯ୍ୟନ୍ତ ଟାଣି ନେଇଗଲା ।
ସୂଚନା ଅନୁସାରେ ନାଗପୁରର ଚାଷୀ ଦଶରଥ ଧୋଟେ ଗାଈ ବାଛୁରୀ ଚରେଇବା ପାଇଁ କ୍ଷେତକୁ ଯାଉଥିଲେ । ବାଘ ଆକ୍ରମଣର ଶିକାର ହେବା ପରେ ଚିତ୍କାର କରିବାରୁ ତାଙ୍କ ପୁଅ ଓ ଗାଁ ଲୋକେ ଉଦ୍ଧାର କରକିବାକୁ ଦୌଡି ଆସିଥିଲେ । କିନ୍ତୁ ସେତେବେଳକୁ ଦଶରଥ ଗୁରୁତର ଆହତ ହୋଇସାରିଥିଲେ । ଗ୍ରାମବାସୀଙ୍କ ହୋ ହାଲ୍ଲା ଶୁଣି ବାଘଟି ଜଙ୍ଗଲ ଭିତରକୁ ପଳାଇଥିଲା ହେଲେ ତା ପୂର୍ବରୁ ଦଶରଥଙ୍କର ମୃତ୍ୟୁ ହୋଇ ସାରିଥିଲା । ଚଳିତ ବର୍ଷ ନାଗପୁରରେ ଏହା ଦ୍ୱିତୀୟ ବାଘ ଆକ୍ରମଣ ।