ଟ୍ରମ୍ପଙ୍କ ମୁଖା ଖୋଲିଲା ପାକିସ୍ତାନ : ଅସ୍ତ୍ର ବିରତିରେ ମଧ୍ୟସ୍ଥତାକୁ ମନା କରିଥିଲା ଭାରତ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖା ଖୋଲି ଦେଇଛି ପାକିସ୍ତାନ । ଅପରେସନ ସିନ୍ଦୂର ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ହ୍ରାସ କରିବାରେ ଟ୍ରମ୍ପ ମଧ୍ୟସ୍ଥତା କରିଥିବା ନେଇ ଯେଉଁ ଦାବି କରି ଆସୁଛନ୍ତି ତାହା ଠିକ ନୁହେଁ ବୋଲି କହିଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର । ଏକ ବିରଳ ସାର୍ବଜନୀନ ସ୍ୱୀକାରୋକ୍ତିରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଡାର କହିଛନ୍ତି ଯେ ଭାରତ କେବେବି ଦୁଇ ଦେଶ ମଧ୍ୟରେ ଥିବା ପ୍ରସଙ୍ଗ ଉପରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତା ପାଇଁ ରାଜି ହୋଇ ନଥିଲା । ଆମେରିକା ଯୁଦ୍ଧ ବନ୍ଦ ନେଇ ଭାରତକୁ କହିଥିଲା, ଭାରତ ରାଜି ହୋଇଥିଲା । କିନ୍ତୁ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା । ଡାର ଅଲ ଜାଜିରା ସହିତ ଏକ ସାକ୍ଷାତକାରରେ କହିଛନ୍ତି, ପାକିସ୍ତାନ ଭାରତ ସହିତ ଆଲୋଚନା ପାଇଁ ଖୋଲା ଥିବା ବେଳେ, ନୂଆଦିଲ୍ଲୀ କୌଣସି ପ୍ରତିକ୍ରିୟା ଦେଇନାହିଁ ।
ଡାରଙ୍କ ଉତ୍ତର ସେତେବେଳେ ଆସିଥିଲା ଯେତେବେଳେ ପଚରାଯାଇଥିଲା, "ଭାରତ ସହିତ କୌଣସି ଆଲୋଚନା ହେଉଛି? ଏଥିରେ କୌଣସି ତୃତୀୟ ପକ୍ଷ ସାମିଲ ଅଛି କି? ଆପଣ କ'ଣ ତୃତୀୟ ପକ୍ଷ ସାମିଲ ହେବାକୁ ଖୋଲା ଅଛନ୍ତି? ଏହାର ଉତ୍ତରରେ ଡାର ଉତ୍ତର ଦେଇଥିଲେ, "ଆମେ ତୃତୀୟ ପକ୍ଷ ସାମିଲ ହେବାରେ ଆପତ୍ତି କରୁନାହୁଁ, କିନ୍ତୁ ଭାରତ ସ୍ପଷ୍ଟ ଭାବରେ କହିଆସୁଛି ଯେ ଏହା ଏକ ଦ୍ୱିପାକ୍ଷିକ ବିଷୟ । ଆମର ଦ୍ୱିପାକ୍ଷିକ ଆପତ୍ତି ନାହିଁ, କିନ୍ତୁ ଆଲୋଚନା ବ୍ୟାପକ ହେବା ଆବଶ୍ୟକ, ଆତଙ୍କବାଦ, ବାଣିଜ୍ୟ, ଅର୍ଥନୀତି, ଜମ୍ମୁ ଏବଂ କାଶ୍ମୀର, ସମସ୍ତ ବିଷୟ ଯାହା ଉପରେ ଆମେ ପୂର୍ବରୁ ଆଲୋଚନା କରିଛୁ ।
ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ମାଧ୍ୟମରେ ଏକ ଯୁଦ୍ଧବିରାମ ପ୍ରସ୍ତାବ ଆସିଥିଲା, ଏହା ମଧ୍ୟ ଏକ ପରାମର୍ଶ ଥିଲା ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସ୍ୱାଧୀନ ସ୍ଥାନରେ ଆଲୋଚନା ହେବ । ଡାର ଆହୁରି ପ୍ରକାଶ କରିଛନ୍ତି ଯେ ଯେତେବେଳେ ପାକିସ୍ତାନ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓଙ୍କୁ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବି ବିଷୟରେ ପଚାରିଥିଲେ, ସେ ସ୍ପଷ୍ଟ ଭାବରେ କହିିଥିଲେ ଯେ ଭାରତ ସର୍ବଦା ଏହାକୁ ଏକ "ଦ୍ୱିପାକ୍ଷିକ ପ୍ରସଙ୍ଗ’ ବୋଲି କହିଆସିଛି ।