ପୋଲ ଦବିବା ଓ ରାସ୍ତାରୁ ପିଚୁ ଉଠିବା ପ୍ରସଙ୍ଗ : ଭିଜିଲାନ୍ସ ତଦନ୍ତ ଦାବି
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସାନଗୁମୁଡ଼ା ଭାସ୍କାଲ ପୋଲ ଦବିଯାଇଛି । ଫଳରେ ଉକ୍ତ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେହିପରି କୋଷାଗୁମୁଡ଼ା-କୋଟାଗାଁ ରାସ୍ତା ନିର୍ମାଣର ଦିନକ ପରେ ରାସ୍ତାରୁ ପିଚୁ ଉଠିଯାଇଛି । ଏନେଇ ସମ୍ବାଦରେ ପ୍ରକାଶ ପାଇବା ପରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ବିଭାଜନ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କୁ ଟ୍ୱିଟ୍ କରିଛନ୍ତି ମାନବାଧିକାର କର୍ମୀ ଅନୁପ ପାତ୍ର । ଏଥିସହ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । କୋଷାଗୁମୁଡ଼ା ବ୍ଲକ୍ର ଅଙ୍ଗ ନଦୀ ଓ ବାଲିଆଯୋଡି ନାଳ ଯୋଗୁ ବର୍ଷାଦିନେ ଯୋଗାଯୋଗ ବିଛିନ୍ନ ହୋଇଯାଉଥିଲା । ବାରମ୍ବାର ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୬ କୋଟି ବ୍ୟୟରେ ସାନଗୁମୁଡା ନିକଟରେ ମରାମତି ଅଭାବ ଯୋଗୁ ପୋଲ ଦବିଯାଇଛି । ଏହି ରାସ୍ତା ଓ ପୋଲ ଦେଇ ପ୍ରତିଦିନ କୋଡିଙ୍ଗା, ବି.ଏମ ସେମଳା, ଏକୋରି, ବଡ଼ଗୁମୁଡ଼ା, ତାରାଗାଁ, ଆଟିଗାଁ, ମୋତିଗାଁ, ଏମ୍. କେରାଗାଁ ପଞ୍ଚାୟତର ୬୦ ଖଣ୍ଡ ଗାଁର ଶତାଧିକ ଲୋକ ଯିବାଆସିବା କରୁଛନ୍ତି । ବର୍ତ୍ତମାନ ପୋଲ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ତେଣୁ ଗତକାଲି ଠାରୁ ଏହି ପୋଲ ଦେଇ ଲକ୍ଷ୍ମୀ ବସ୍ ସହ ଜରୁରିକାଳୀନ ଆମ୍ବୁଲାନ୍ସ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଫଳରେ ଅଞ୍ଚଳର ୪୦ ହଜାରରୁ ଅଧିକ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ପାତ୍ର ଦାବି କରିଛନ୍ତି ।