ଅଘୋଷିତ ବିଦୁ୍ୟତକାଟକୁ ନେଇ ସାଧାରଣରେ ଅସନ୍ତୋଷ
ବୁଗୁଡ଼ା : ସମ୍ପ୍ରତି ଖରା ଓ ବର୍ଷାର ଖେଳ ସାଙ୍ଗକୁ ଗୁଳୁଗୁଳି ବୁଗୁଡ଼ା ଅଞ୍ଚଳବାସୀଙ୍କୁ ନାକେଦମ କରୁଥିବା ବେଳେ ଅହୋରାତ୍ର ବାରମ୍ବାର ବିଦୁ୍ୟତ୍ କାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ବିଦ୍ୟୁତ ବିଭାଗ ବିଲ୍ ଆଦାୟ କରିବା ଦିଗରେ ଯେତିକି ତତ୍ପରତା ଦେଖାଉଛି, ବିଦୁ୍ୟତ୍ ଯୋଗାଣ ସେବାରେ ଭିତ୍ତିଭୂମିର ସୁଧାର ଆଣିବା ଏବଂ ବିଦୁ୍ୟତ୍ କାଟ ରୋକିବାରେ ସେତିକି ପଦକ୍ଷେପ ନେଉନାହିଁ । ବୁଗୁଡା ସହରରେ ପ୍ରତିଦିନ ବେହିସାବ ବିଦୁ୍ୟତ୍ କାଟ ହେଉଛି । ପବନକି ବର୍ଷା ହେଲେ ଲାଇନ୍ ଆସିବା କାଠିକର ପାଠ ହେଉଛି । ଲୋକଙ୍କ ପାଇଁ କାଳ ସାଜିଥିବା ବିଦୁ୍ୟତର ଏହି ଲୁଚକାଳି ଖେଳର କାରଣ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏବଂ କର୍ମଚାରୀଙ୍କ ଉତ୍ତର ସରକାରୀ ଘୋଷଣାକୁ ଉପହାସ ଏବଂ ସାଧାରଣ ଜନତାଙ୍କ ପ୍ରତି କଟାକ୍ଷ ପରି ମନେ ହେଉଛି । ଆଜି ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ବିଦୁ୍ୟତ କାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସରକାରଙ୍କ ପକ୍ଷରୁ ଜନମଙ୍ଗଳକାରୀ ଘୋଷଣା ସତ୍ତ୍ୱେ ବୁଗୁଡା ଅଞ୍ଚଳରେ ଅଘୋଷିତ ବିଦୁ୍ୟତ୍ କାଟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାର ତୁରନ୍ତ ପ୍ରତିକାର ପାଇଁ ସାଧାରଣରେ ଦାବି ହେଉଛି ।