ଅଙ୍ଗାର ବି ଦରକାରୀ!
କୋଇଲା କେବଳ ଇନ୍ଧନ ଭାବେ ବ୍ୟବହୃତ ହୁଏ । କିନ୍ତୁ ଏହାର ଏପରି କିଛି ଉପକାରୀ ଗୁଣ ରହିଛି ଯାହା ହୁଏତ ଆମକୁ ବିଶ୍ୱାସ ଲାଗିନପାରେ । ଅଙ୍ଗାର ଘା’ ଶୁଖେଇବା ସହ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଦରକାରୀ । ବ୍ରଣ ସମସ୍ୟାରୁ ଆରମ୍ଭ କରି ଦାନ୍ତ ସଫା କରିବାରେ ଅଙ୍ଗାର ବା କୋଇଲାକୁ ବ୍ୟବହାର କରାଯାଇପାରେ । କିନ୍ତୁ ମନେରଖନ୍ତୁ ଏଥିପାଇଁ ଆପଣ କାଠର ଅଙ୍ଗାରକୁ ବ୍ୟବହାର କରିବା ଅନୁଚିତ୍ । ନଡ଼ିଆ ଖୋଳ ଓ କତାରୁ ବାହାରୁଥିବା ଅଙ୍ଗାର ହିଁ ଏଥିପାଇଁ ଉପଯୋଗୀ । ଅଙ୍ଗାରକୁ ଘିକୁଆଁରୀ ସହ ମିଶାଇ ବ୍ରଣ ଉପରେ ଲଗାଇଲେ ଏହା ଶୀଘ୍ର ଭଲ ହୋଇଯାଏ । ବଜାରରେ ବିଭିନ୍ନ ପ୍ରକାର ଅଙ୍ଗାର ମଧ୍ୟ ମିଳୁଛି । ଗୁଣ୍ଡ ଅଙ୍ଗାରକୁ ଟୁଥ୍ପେଷ୍ଟ୍ ସହ ମିଶାଇ ଦାନ୍ତ ସଫା କଲେ ଦାନ୍ତରୁ ହଳଦିଆ ଦାଗ ଦୂର ହୁଏ । କୌଣସି ପୋକ କାମୁଡ଼ିଦେଲେ ସେହି ସ୍ଥାନରେ ଅଙ୍ଗାର ଗୁଣ୍ଡକୁ ନଡ଼ିଆ ତେଲ ସହ ମିଶାଇ ଲଗାଇଲେ ତୁରନ୍ତ ଆରାମ ମିଳେ । ନିୟମିତ ପ୍ରଦୂଷଣଯୁକ୍ତ ସହର ବା ଅଞ୍ଚଳରେ ବସବାସ କରୁଥିବା ବ୍ୟକ୍ତି ଅଙ୍ଗାର ସହାୟତାରେ ନିଜ ତ୍ୱଚାକୁ ପ୍ରଦୂଷଣରୁ ମୁକ୍ତ ରଖିପାରିବେ । ତେଣୁ ରାତିରେ ଶୋଇବା ଆଗରୁ ଅଙ୍ଗାରକୁ ପେଷ୍ଟ୍ କରି ତ୍ୱଚାରେ ଲଗାଇ କିଛି ସମୟ ପରେ ଧୋଇଦିଅନ୍ତୁ । ଏହା ଆପଣଙ୍କ ତ୍ୱଚାକୁ କୋମଳ ରଖିବା ସହ ଯୁବାବସ୍ଥା ଭଳି ଉଜ୍ଜ୍ୱଳ୍ୟତା ଆଣିଥାଏ । ବ୍ଲାକ୍ହେଡ଼ସ୍ ସମସ୍ୟା ଥିଲେ ଏହି ଅଙ୍ଗାର ଏକ ବିଶେଷ ଉପଚାର ଭଳି କାମ ଦିଏ ।