“ଅରି ଫେରିନାହିଁ, ଯୁଦ୍ଧ ସରି ନାହିଁ
ଆସ ମୋ ଶିବିରେ ଆସ ଭାଇ
ହିମାଚଳ ଶିରେ ଶବଦ ଶୁଭଇ
ଡରନାହିଁ ଆଉ ଡେରି ନାହିଁ ।”
ଏହି କବିତାଂଶଟି ତାଙ୍କ କ୍ରାନ୍ତିକାରୀ ସାରସ୍ୱତ ସାଧନାର କଥା କହେ । ଏମିତି ରାଶିରାଶି ସଂଗ୍ରାମ କବିତା ଲେଖି ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରାଣରେ ଜଗାଇଥିଲେ ଦୃଢ ଆତ୍ମବଳ, ଆଉ ମୁକ୍ତି ଆନେ୍ଦାଳନରେ ଝାସ ଦେବାପାଇଁ ଭରିଦେଇଥିଲେ ଅଫୁରନ୍ତ ଉତ୍ସାହ ଓ ଉଦ୍ଦୀପନା । ଖାଲି ସେତିକି ନୁହେଁ ଓଡିଶାରେ ବିପ୍ଳବୀ କବିତା ଲେଖି ତିନିଥର କାରାଦଣ୍ଡ ଭୋଗିବା କବିଙ୍କ ମଧ୍ୟରେ ସେ ଥିଲେ ଅଗ୍ରଗଣ୍ୟ । ସେ ହେଉଛନ୍ତ ଜାତୀୟ କବି ବୀରକିଶୋର ଦାସ । ବୀରକିଶୋରଙ୍କ ଜନ୍ମ ୧୮୯୬ ମସିହା ନଭେମ୍ବର ୨୩ ତାରିଖ, ବର୍ତ୍ତମାନର ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ । ଗ୍ରାମ ଚାଟଶାଳୀରୁ ପ୍ରାଥମିକ ଶିକ୍ଷା ପରେ ସେ କଟକର ଭିକ୍ଟୋରିଆ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ସୌଭାଗ୍ୟକୁ ସେସମୟର ଶିକ୍ଷାବିତ୍ ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ ବୀରକିଶୋର । ବଣିଆ ସୁନାକୁ ଚିହ୍ନିଲା ପରି ଭକ୍ତକବି ମଧୁସୂଦନ ବୀରକିଶୋରଙ୍କ ଲୁକ୍କାୟିତା ପ୍ରତିଭା ଅନ୍ୱେଷଣ କରିପାରିଥିଲେ । ଦିନେ ସେ ବୀରକିଶୋରଙ୍କୁ ପାଖକୁ ଡାକି କହିଲେ - ବୀର, ତୁମେ ଦିନେ କବି ହେବ । ଏହି ପଦକ କଥା ବୀରକିଶୋରଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲା, ତାଙ୍କୁ କବିତା ଲେଖିବାକୁ ଅନୁପ୍ରାଣିତ କରିଥିଲା ।ପ୍ରଥମେ ସେ ଗୋଟିଏ ଇଂରାଜୀ କବିତାକୁ ଓଡ଼ିଆରେ ଅନୁବାଦ କରିଥିଲେ । ଅନୁବାଦଟି ଥିଲା -“ଟୋପି ଟୋପି ପାଣି ମିଶି ସାଗର,ଟିକି ଟିକି ବାଲି ମିଶି ଭୂଧର ।”ଆଉ ତା ପରର ଘଟଣା ଥିଲା ସ୍ୱର୍ଣ୍ଣାଭ ଇତିହାସ ।
୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ଡାକରାରେ ଆରମ୍ଭ ହୋଇଥାଏ ଅସହଯୋଗ ଆନେ୍ଦାଳନ ବୀରକିଶୋର ଇଂରେଜ ସରକାରଙ୍କ ଅଧୀନରେ କରିଥିବା ଚାକିରିକୁ ପଛରେ ପକାଇ ଏହି ସଂଗ୍ରାମରେ ଝାସ ଦେଲେ । ଏହି ସମୟରେ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା ଅନେକ ସଂଗ୍ରାମୀ କବିତା, ୍ୟାହା ଚରମ ତ୍ୟାଗ ମନୋଭାବ ସଂଗ୍ରାମୀମାନଙ୍କ ମନରେ ଭରିଦେବା ପାଇଁ ସେ ଲେଖିଥିଲେ -
“ଭାଇ, ମରିବା ତ ଦିନେ ମରିବା
ଛେଳି ମେଣ୍ଢାପରି ପାଞ୍ଚଣକୁ ଡରି
(ଏଠି )ଘୁଷୁରି ପରି କେ ଚରିବା
ମରିବା ତ ଦିନେ ମରିବା ।”
ତାଙ୍କ ରଚିତ କବିତା ପୁସ୍ତକ ମୋହନ ବଂଶୀ, ବିଦ୍ରୋହୀ ବୀଣା, ମୋହନ ବେଣୁ,ରଣଭେରୀ ଆଦି ପୁସ୍ତକ କେବଳ ସ୍ୱଦେଶ ପ୍ରେମର ବାର୍ତ୍ତା ପ୍ରଚାର କରିନଥିଲା ବରଂ ଆଜିବି ଆମ ମାତୃଭାଷାକୁ ରୁଦ୍ଧିମନ୍ତ କରିଛି । ଚରମ ତ୍ୟାଗ ଓ କଷଣ ଭିତରେ ସେ ଏସବୁ ଜାତୀୟ କବିତା ରଚନା କରିଥିଲେ । ଯାହା ଫଳସ୍ୱରୂପ ସେ ହୋଇପାରିଥିଲେ ଏ ମାଟିର ଜାତୀୟ କବି ।
୧୯୪୭ ମସିହାରେ ଦେଶ ସ୍ୱାଧୀନ ହେଲା । କିନ୍ତୁ ସଂଗ୍ରାମୀ ବୀରକିଶୋରଙ୍କ ସଂଗ୍ରାମ ସରିଲା ନାହିଁ । କେବଳ ଦେଶ ଓ ଜାତିକୁ ଉଦବୋଧନ ଦେବା ପାଇଁ ସେ ଖାଲି କଲମ ଧରିନଥିଲେ । ସେ ମର୍ମେ ମର୍ମେ ଅନୁଭବ କରିପାରିଥିଲେ ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ । ଶିଶୁମାନଙ୍କ ପାଇଁ ତାଙ୍କ ଲେଖନୀରୁ ସୃଷ୍ଟି ହୋଇଥିଲା- “ଆମେ ନବଯୁବା ନବ ତରୁଣ,
ଆମେ ନବୋଦିତ ଦେବ ଅରୁଣ
ଏ ବିଶ୍ୱ ଅନ୍ଧାର ବିନାଶିବା ଲାଗି
ଆମ ଜନ୍ମ ଆମ ମରଣ ।”
ସେହିପରି ଶିଶୁମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଭ୍ରାତୃତ୍ୱଭାବ ଜାଗ୍ରତ କରିବା ପାଇଁ ସେ ଅନେକ ଦେଶାତ୍ମବୋଧ କବିତା ଲେଖିଥିଲେ । ଓଡିଶାର ଶିଶୁ ଯେତେବେଳେ ପତ୍ରିକା ଖଣ୍ଡେ ଦେଖିବାର ସୁଯୋଗ ପାଉନଥିଲେ ଠିକ ସେତିକିବେଳେ ବୀରକିଶୋର ତା ହାତରେ ଧରାଇଦେଲେ “ମୋ ଦେଶ ଶିଶୁ ପତ୍ରିକା” । ଏ ପତ୍ରିକା ମାଧ୍ୟମରେ ସେ କେବଳ ଶିଶୁ ସାହିତ୍ୟ ସୃଷ୍ଟି କଲେ ତାହା ନୁହେଁ, ଅନେକ ଶିଶୁ ସାହିତ୍ୟ ଶ୍ରଷ୍ଟାଙ୍କୁ ସେ ମଧ୍ୟ ସୃଷ୍ଟି କରିଗଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ଦ୍ୱାରା ପ୍ରକାଶ ପାଉଥିବା ଶିଶୁଲେଖା ପତ୍ରିକା ମଧ୍ୟ ତାଙ୍କ ସାଧନାର ଫଳଶ୍ରୁତି ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।
କ୍ଷମତା ଓ ଅର୍ଥପ୍ରତି ବିରକିଶୋରଙ୍କର ସାମାନ୍ୟ ତମ ଦୁର୍ବଳତା ନଥିଲା । ପରାଧୀନ ଭାରତରେ ସେ ଗାଇଥିଲେ- “ଦିନ ରାତି ମୋର ସେହି ଚିନ୍ତା..ସରକାର ଶବ ଦାହ ହେବ କେବେ ଦେଖିବି ମୁଁ ତାର ଶେଷ ଚିତା ।” ସ୍ୱାଧୀନତା ପରେ କିନ୍ତୁ ତାଙ୍କ ଚିନ୍ତା ଆହୁରି ଅଧିକ ବଢିଯାଇଥିଲା । ସେହି ଚିନ୍ତା ଥିଲା ଗାନ୍ଧିଜିଙ୍କ କଳ୍ପିତ ସୁନାର ଭାରତ ଚିନ୍ତା । ସ୍ୱାଧୀନତା ପରେ ସେ ନିରାଶ ହୋଇ ପଡିଥିଲେ ଦେଶର ଚିତ୍ର ଦେଖି । ସେଥିପାଇଁ ସେ ଲେଖିଥିଲେ-
“କାମିନୀ କାଞ୍ଚନ କାଦମ୍ବରୀ
ଶାସନ କଳକୁ ଦେଲା ସାରି ।”
ସ୍ୱାଧୀନତା ପ୍ରାପ୍ତି ପରେ ବି ବୀରକିଶୋର ଲେଖନୀ ଚାଳନାରୁ ବିରତ ହୋଇନଥିଲେ । ସ୍ୱାଧୀନତା ସଂଗ୍ରାମର ଦୀର୍ଘ ଅନୁଭୂତି ସାଙ୍ଗକୁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନର ରାମ ରାଜ୍ୟକୁ ସାର୍ଥକ ଓ ସଫଳ ରୂପାୟନ ଦେବାପାଇଁ ଏକାନ୍ତ ଭାବେ ବିଳାପ କରିବାକୁ ଯାଇ ସେ ଲେଖିଥିଲେ -
“ଯାହା ଲେଖିବାର ଲେଖିସାରିଛି
ମୁଁ ଆଉ ପାରୁନି କିଛି ଲେଖି
ଦେଖିବାର ଯାହା ଦେଖିସାରିଛି
ମୁଁ ଆଉ ପାରୁନି କିଛି ଦେଖି ।”
ଏଥିରୁ ସ୍ପଷ୍ଟ ଅନୁମେୟ, ସ୍ୱାଧୀନତାର ପରବର୍ତ୍ତୀ ଅବସ୍ଥାରେ ଗାନ୍ଧିଜୀଙ୍କ ଆଦର୍ଶର ବିଲୋପରେ ସେ ମର୍ମାହତ ହୋଇଥିଲେ । କଟକ ସଦର ସ୍ଥାନୀୟ ବୋର୍ଡର ସଭାପତିି ଭାବେ ଓ ବିଧାନସଭାର ସଭ୍ୟ ଭବେ ବହୁ ଜନହିତକର କର୍ଯ୍ୟରେ ସେ ନିଜକୁ ନିୟୋଜିତ କରି ସମାଜସେବୀ ଭାବେ ପ୍ରତିଷ୍ଠିତ କରିପାରିଥିଲେ ।
ଓଡିଶାର ପାଣି ପବନରେ ଗଢା ଏହି ସଂଗ୍ରାମୀ ସାଧକଙ୍କ ରଚନା ଜାତୀୟ ଚେତନାକୁ ରୁଦ୍ଧିମନ୍ତ କରିଯାଇଛି । ସେ ଆଜି ଆମ ଗହଣରେ ନାହାଁନ୍ତି । ୧୯୭୩ ମସିହା ଏପ୍ରିଲ ୨୮ ତାରିଖରେ ତାଙ୍କର ଦେହାବସାନ ଘଟିଛି । ହେଲେ ତାଙ୍କ ଅମର ରଚନା ଏବେବି କାଳଜୟୀ ହୋଇରହିଛି । ଆଜି ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଏହି ଜାତିସ୍ମରଙ୍କ କାଳଜୟୀ ରଚନାବଳୀର ବାର୍ତ୍ତା ଆମ ପାଇଁ ଚିରକାଳ ନିମନ୍ତେ ପ୍ରେରଣାର ଉତ୍ସ ହୋଇ ରହିଥାଉ , ଏହାହିଁ କାମନା ।
ଜଗତସିଂହପୁର ,ମୋ-୯୩୩୭୨୨୧୯୨୪