ରାଜସ୍ଥାନରେ ସଙ୍ଗୀନ ପରିସ୍ଥିତି
ସମଗ୍ର ଦେଶରେ ଦିନକୁ ଦିନ ବିଭିନ୍ନ ପ୍ରକାରର ଅପରାଧର ସଂଖ୍ୟା ବଢୁଥିବା ବେଳେ ରାଜସ୍ଥାନ୍ରେ ଉଦ୍ବେଗଜନକ ଭାବରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି । ଏକ ପରିସଂଖ୍ୟାନ ଅନୁଯାୟୀ, ଗତ ୫ ମାସ ଭିତରେ ରାଜସ୍ଥାନରେ ୧୨ ହଜାର ଦୁଷ୍କର୍ମ ମାମଲା ରେକଡର୍୍ ହୋଇଛି । ସଭ୍ୟ ଜଗତକୁ ଚକିତ କରିଦେବା ଭଳି ଏ ପ୍ରକାରର ସାମାଜିକ ସ୍ଥିତି ଏବେ ସମଗ୍ର ଦେଶରେ ଅପରାଧ ଜଗତରେ ନୂଆ ରେକର୍ଡ୍ ସୃଷ୍ଟି କରିଲାଣି । ଗୋଟିଏ ପକ୍ଷରେ ମହିଳାମାନଙ୍କୁ ସମ୍ମାନ ଦେବା କଥା ସେଠାକାର ରାଜ୍ୟ ସରକାର କହୁଥିବା ବେଳେ ନାବାଳିକା ତଥା ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି । ୨/୩ ବର୍ଷର ଶିଶୁକନ୍ୟା ମଧ୍ୟ ଅପରାଧୀମାନଙ୍କ ହାତରୁ ନିସ୍ତାର ପାଉନାହାନ୍ତି । ଗତ ୫ ମାସ ଭିତରେ ସବୁଠାରୁ ଜଘନ୍ୟ ଅପରାଧ ଭିତରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯିବା, ଆଉ ଗୋଟିଏ ଘଟଣାରେ ଘରେ ପଶି ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରାଯିବା, ଧଉଲପୁରରେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯିବା, ଜଣେ ବଧିର ଛାତ୍ରୀଙ୍କୁ ଜିଅନ୍ତା ଜାଳି ଦେବା ଭଳି ଘଟଣା ବର୍ତ୍ତମାନ ସମଗ୍ର ଦେଶରେ ବୁଦ୍ଧିଜୀବୀମାନଙ୍କୁ ଚକିତ କରି ଦେଉଛି ।
ରାଜସ୍ଥାନ୍ରେ ଗତ ୫ ମାସ ହେଲା ନୂଆ ସରକାର ଗଠନ ହୋଇଛି । ନୂଆ ସରକାର ଆସିବା ପର ଠାରୁ ଦିନକୁ ହାରାହାରି ୧୨ରୁ ଅଧିକ ଶିଶୁ ଦୁଷ୍କର୍ମର ଶିକାର ହେଉଛନ୍ତି । ରାଜ୍ୟ ପୁଲିସ୍ ଅପରାଧ ରେକର୍ଡ୍ ଏହା ପ୍ରକାଶ କରିଛି । ଗତ ୫ ମାସ ଭିତରେ ୧୬୪୪ଟି ନାବାଳିକା ଦୁଷ୍କର୍ମ ଘଟଣା ଘଟିଛି । ମହିଳା ଉତ୍ପୀଡ଼ନ ଏବଂ ନିର୍ଯ୍ୟାତନା ସଂଖ୍ୟ ୧୨ ହଜାରରୁ ଅଧିକ ହୋଇଥିବା ବିଭିନ୍ନ ଥାନାର ରେକର୍ଡ୍ରୁ ପ୍ରକାଶ ପାଇଛି । ଏହି ତଥ୍ୟର ବିଶ୍ଳେଷଣ କରାଗଲେ ଦେଖାଯାଉଛି ଯେ ରାଜ୍ୟରେ ଦିନକୁ ୧୨ରୁ ଅଧିକ ଶିଶୁ ଏବଂ ୮୪ଟି ମହିଳା ଦୁଷ୍କର୍ମ କିମ୍ବା ଉତ୍ପୀଡ଼ନର ଶିକାର ହେଉଛନ୍ତି । ବର୍ତ୍ତମାନ ଏହି ଗୋଟିଏ ପ୍ରଦେଶରେ କାହିଁକି ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି, ତାହା ଏବେ ଏକ ଚିନ୍ତାର ବିଷୟ ପାଲଟିଛି । ଚଳିତବର୍ଷ କେବଳ ମେ ମାସରେ ୨୯୭ଟି ନାବାଳିକା ଦୁଷ୍କର୍ମ ମାମାଲା ରୁଜୁ ହୋଇଛି । ଜାନୁଆରୀରୁ ମେ ମାସ ମଧ୍ୟରେ ୧୧୪୪ଟି ପୋକ୍ସୋ ଆଇନ୍ ଅନୁଯାୟୀ ମାମଲା ରୁଜୁ ହୋଇଛି । ରାଜ୍ୟରେ ୫୬ଟି ପୁଲିସ୍ ଜିଲ୍ଲା ରହିଛି । ଏ ପ୍ରକାରର ଘଟଣା ଗୁଡ଼ିକରେ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବା କ୍ଷେତ୍ରରେ ସଫଳତାର ହାର କମ୍ ରହୁଥିବାରୁ ଲୋକ ମାନଙ୍କର ଏ ପ୍ରକାରର ଅପରାଧ କରିବାକୁ ଭୟ ରହୁନାହିଁ ।
ଶିଶୁ ଏବଂ ମହିଳାମାନଙ୍କ ପ୍ରତି ହେଉଥିବା ଯୌନ ଅପରାଧ ଗୁଡିକ କ୍ଷେତ୍ରରେ ପୁଲିସ୍ର ତଦନ୍ତ ଯେତିିକି ଗୁରୁତ୍ୱପୂର୍ଣ୍ଣ ଫରେନ୍ସିକ୍ ଲାବରାଟୋରୀରୁ ଆସୁଥିବା ରିପୋର୍ଟ୍ ସେତିକି ଗୁରୁତ୍ୱପୂର୍ଣ୍ଣ । ସମ୍ଭବତଃ କୌଣସି ନା କୌଣସି କ୍ଷେତ୍ରରେ ପୁଲିସ୍ର ତଦନ୍ତ, ଫରେନ୍ସିକ୍ ଲାବରାଟୋରୀରୁ ଆସୁଥିବା ରିପୋର୍ଟ୍, ବିଚାର ପ୍ରକ୍ରିୟା ଆଦି ଆଇନ୍ ଅନୁଯାୟୀ ଠିକ୍ ଭାବରେ ହୋଇ ପାରୁନାହିଁ । ସେଥିପାଇଁ ଦୋଷୀଙ୍କୁ ଦଣ୍ଡ ଦେବା କ୍ଷେତ୍ରରେ ଏବଂ ଅପରାଧ ଗୁଡ଼ିକୁ ପ୍ରମାଣିତ କରିବା କ୍ଷେତ୍ରରେ ସଫଳତାର ହାର କମ୍ ରହୁଥିବାରୁ ଅପରାଧୀମାନେ ନିର୍ଭୟରେ ମହିଳା ଏବଂ ଶିଶୁମାନଙ୍କ ପ୍ରତି ଅତ୍ୟାଚାର କରି ଚାଲିଛନ୍ତି । ସମଗ୍ର ଦେଶରେ ବର୍ତ୍ତମାନ ରାଜସ୍ଥାନର ମହିଳା ଏବଂ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ବେଳେ ରାଜ୍ୟ ପୁଲିସ୍ ଏଭଳି ଘଟଣା ପ୍ରତି ବିଶେଷ ଭାବରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଦୋଷୀଙ୍କୁ ଦଣ୍ଡିତ କରାଯିବା କ୍ଷେତ୍ରରେ ପୁଲିସ୍ର ରିପୋର୍ଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୁଲିସ୍ ରିପୋର୍ଟ୍ରେ କୌଣସି ପ୍ରକାରର ତ୍ରୁଟି ଯଦି ରହିଯାଏ ଦୋଷୀ ମାନଙ୍କୁ ଦଣ୍ଡ ଦେବାର ହାର ନିଶ୍ଚିତ ରୂପେ କମିଯିବ ।