ଅସଭ୍ୟ ଟିପ୍ପଣୀ ଦେବା କଂଗ୍ରେସର ସ୍ୱଭାବ : ଐଶ୍ୱର୍ଯ୍ୟା 

 ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଭାବେ ଦେଶର ଯେକୈାଣସି ରାଜ୍ୟକୁ ଯେତେବେଳେ ବି ଯାଇପାରିବେ  । ଏଥି ପାଇଁ କାହାର ଅନୁମତି ନେବା ଆବଶ୍ୟକ ନାହିଁ  । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ପ୍ରଶ୍ନ ପଚାରି କଂଗ୍ରେସ ଦଳ ଆଜି ନିର୍ବୋଧତାର ପରିଚୟ ଦେଇଛି  । ଦେଶର ପ୍ରଧାନମନ୍ତ୍ରୀଙ୍କ ବାବଦରେ ଗାଳି ଦେବା, କଟାକ୍ଷ କରିବା, ନିଚା ଦେଖାଇବା କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ଅଭ୍ୟାସରେ ପରିଣତ ହୋଇସାରିଛି  । ଆଜି ଓଡିଶା ଗସ୍ତରେ ଆସିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ନିମ୍ନ ସ୍ତରର ବକ୍ତବ୍ୟ ଦେଇ କଂଗ୍ରେସ ନିଜ ଚିରାଚରିତ କୁଅଭ୍ୟାସକୁ ଦୋହରାଇଛି  । ଶାଳିନତା ଉଲ୍ଲଂଘନ କରି ଅସଭ୍ୟ ଟିପ୍ପଣୀ ଦେବା କଂଗ୍ରେସର ଚିରାଚରିତ ସ୍ୱଭାବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି  । ସାମ୍ବାଦିକ ସମ୍ମିଳନୀରେ ଡା.ବିଶ୍ୱାଳ ସୂଚନା ଦେଇ କହିଛନ୍ତି ଯେ, ନିକଟ ଅତୀତରେ କଂଗ୍ରେସ ଦଳର କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ଉଦେ୍ଦଶ୍ୟରେ ଅଭଦ୍ର ଗାଳିର ବ୍ୟବହାର କରିଥିଲେ  । ଯାହାକୁ ଦେଶବାସୀ ତୀବ୍ର ବିରୋଧ କରିବା ସହ ସମାଲୋଚନା କରିଥିଲେ  । ତଥାପି କଂଗ୍ରେସ ଦଳର ନେତାମାନେ ସୁଧୁରିଲେ ନାହିଁ  । ଓଡିଶା ଆଜି ବିକାଶର ଧାରାରେ ସାମିଲ ହୋଇଛି  । ଯାହା, କଂଗ୍ରେସ ଦଳ ହଜମ କରିପାରୁନାହିଁ  ।  କୌଣସି ବିବୃତ୍ତି ଦେବା ପୂର୍ବରୁ କଂଗ୍ରେସ ମୁଖପାତ୍ର ନିଜ ଚେହେରା ଦେଖିବା ଉଚିତ ବୋଲି ଡା.ବିଶ୍ୱାଳ କହିଛନ୍ତି  ।