ମାଟ୍ରିକ ଟପ୍ପରଙ୍କୁ "ଗୋପବନ୍ଧୁ ଦାସ' ମେଧାବୃତ୍ତି
ଭୁବନେଶ୍ୱର : ସମାଜର ପ୍ରଗତି ପାଇଁ ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଓ ମେଧାବୀ ଛାତ୍ରଛାତ୍ରୀମାନେ ଏହାର ନେତୃତ୍ୱ ନେଇଥାନ୍ତି । ଓଡ଼ିଶାର ସେହି ମେଧାବୀ ପ୍ରତିଭାଙ୍କୁ ସମ୍ୱର୍ଦ୍ଧିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୫ । ଚଳିତ ବର୍ଷ ୫ମ ମେଧାବୃତ୍ତି ଅବସରରେ ଯୁଗ୍ମ ମାଟ୍ରିକ ଟପ୍ପରଙ୍କୁ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି-୨୦୨୫ ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚଳିତ ବର୍ଷର ମାଚ୍ରିକ ଟପ୍ପରଙ୍କୁ ମିଳିଛି ଏହି ପୁରସ୍କାର । କଟକ ଜିଲ୍ଲା ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚନ୍ଦନ ମହାନ୍ତ ଓ ବରଗଡ ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବବିତା ରଥ ଯୁଗ୍ମ ଭାବେ ମାଟ୍ରିକ ଟପ୍ପର ହୋଇଥିବାବେଳେ, ଉଭୟଙ୍କୁ ଏହି ମେଧାବୃତ୍ତି ସହ ଏକ ଲକ୍ଷ ଟଙ୍କା ଲେଖାଏଁ ମିଳିଛି । ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ଫକୀରପୁର ନିବାସୀ ସତ୍ୟ ସୁତାର ଏହି ମେଧାବୃତ୍ତି ପ୍ରଦାନ କରିଛନ୍ତି । ଏଥିରେ ମୁଖ୍ୟଅତିଥି ସାହିତି୍ୟକ ଦାସ ବେନହୁର ଯୋଗଦେଇ ସମାଜ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସମ୍ମାନୀତଅତିଥି ସାମ୍ବାଦିକ ଅକ୍ଷୟ ସାହୁ, ସମାଜସେବୀ ନମ୍ରତା ଚଢା, ଶିକ୍ଷାବିତ୍ ନିରଞ୍ଜନ ପାଣି, ସାମ୍ବାଦିକ ସଞ୍ଜିବ ମହାପାତ୍ର, ଆଇଏମ୍ବି ନିଦେ୍ର୍ଦଶକ ତ୍ରିଲୋଚନ ନାୟକ ପ୍ରମୁଖ ଯୋଗଦେଇ "ଶିକ୍ଷା ହିଁ ସମାଧାନ' ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ସତ୍ୟ ସୁତାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ.ତ୍ରିଲୋଚନ ନାୟକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।