ଅସ୍ତ୍ରବିରତି ମାନିଲାନି ପାକ୍ଆ : ଇପିଏଲ୍ ଆଶା ମଉଳିଲା

 ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ସଂଘର୍ଷରେ ଆଜି ଅସ୍ତ୍ରବିରତି ଘୋଷଣା  କରାଯିବାର କିଛି ଘଣ୍ଟା ପରେ ପାକିସ୍ତାନ ତା’ର ଅସଲ ଚେହେରା ଦେଖାଇଛି । ଜାମ୍ମୁ ଓ ଶ୍ରୀନଗରରେ ପାକିସ୍ତାନ୍ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିଗୋଳା ବର୍ଷଣ କରିଛି । ଏଣୁ  ଅସ୍ତ୍ରବିରତି ପରେ ପୁଣିଥରେ ଆଇପିଏଲ୍ ଖେଳାଯିବା ନେଇ ଯେଉଁ ଆଶା କରାଯାଉଥିଲା ସେଇ ଆଶା ପୁଣି ମଉଳି ଯାଇଛି । ପାକ୍ର ଏତାଦୃଶକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ପୁଣି ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ପୁନର୍ବାର ଆଇପିଏଲ୍ ମ୍ୟାଚ୍ ସମ୍ଭାବନା ।
ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିସ୍ରୀ ଏବଂ ତିନିସେନାର ଅଧିକାରୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅସ୍ତ୍ରବିରତି ହୋଇଥିବା ଘୋଷଣା କରାଯାଇଥିଲା । ତେବେ ଅସ୍ତ୍ରବିରତି ଘୋଷଣା ପରେ  ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଆଇପିଏଲ୍ ଆସନ୍ତା ସପ୍ତାହରୁ ପୁଣି ଖେଳାଯାଇପାରେ ବୋଲି ଶୁଣିବାକୁ ମିଳୁଥିବା ବେଳେ ପାକିସ୍ତାନ୍ର ମିଛକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କ୍ରିକେଟ ପ୍ରେମୀ । ଗତକାଲି ବସିସିଆଇ ପକ୍ଷରୁ ଆଇପିଏଲ୍ ଖେଳ ଉପରେ ସ୍ଥଗିତାଦେଶ ଦିଆଯାଇଥିବା ବେଳେ ଆଜି ଅସ୍ତ୍ରବିରତି ଘୋଷଣା ଓ ପରେ ଉଲ୍ଲଂଘନ ଆଇପିଏଲ୍ର ମୋଡ଼ ବଦଳାଇଛି । ସେପଟେ ଆସନ୍ତା ୧୨ ତାରିଖରେ ପୁଣି ଭାରତ-ପାକିସ୍ତାନ୍ ଆଲୋଚନା ହେବାକୁ ଥିବା ବେଳେ ଏହା ପୂର୍ବରୁ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଉଛି ।
ମେ ୮ ତାରିଖ ଧର୍ମଶାଳାରେ ଆଇପିଏଲ୍ର ୫୮ ତମ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା । ମାତ୍ର ବ୍ଲାକଆଉଟ୍ ଏବଂ ସୀମାରେ ସ୍ଥିତି ବିଗିଡିବା କାରଣରୁ ମ୍ୟାଚ୍ ରଦ୍ଦ କରାଯାଇଥିଲା । ମ୍ୟାଚ୍ ସ୍ଥଗିତ ହେବା ସମୟରେ ପଞ୍ଜାବ ୧୦.୧ ଓଭରରେ ଏକ ୱିକେଟ୍ ହରାଇ ୧୨୨ ରନ କରିଥିଲା । ପ୍ରିୟାଂଶ ଆର୍ଯ୍ୟ ୩୪ ବଲ୍ରୁ ୫ ଚୌକା ଓ ୬ ଛକା ସହ ୭୦ ରନ କରିଥିଲେ । ସେପଟେ ଆଇପିଏଲ୍ରେ ଆହୁରି ୧୬ଟି ମ୍ୟାଚ୍ ଖେଳାଯିବାକୁ ବାକି ରହିଛି । ଏଥିରୁ ୧୨ଟି ଲିଗ୍ ମ୍ୟାଚ୍ ଏବଂ ଫାଇନାଲ୍ ସମେତ ପ୍ଲେ ଅଫ୍ର ୪ଟି ମ୍ୟାଚ୍ ଖେଳାଯିବ ।