ପାକକୁ ବୀରୁଙ୍କ ସମାଲୋଚନା

 ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଯୋଗୁ କ୍ରିକେଟ୍ ଖେଳ ମଧ୍ୟ ପ୍ରଭାବିତ ହୋଇଛି । ଆଜି ଅସ୍ତ୍ରବିରତି ଘୋଷଣା ହେବାର ୪ ଘଣ୍ଟା ପରେ ପାକ୍ ତାର ପୁରୁଣା ଚେହେରା ଦେଖାଇଥିବା ବେଳେ ଆସନ୍ତା ଦିନରେ ପାକ୍ ସହିତ ଆଉ କି ପ୍ରକାରର ମ୍ୟାଚ୍ ଖେଳାଯିବ ବୋଲି ବିଶ୍ୱସ୍ତରରେ ପ୍ରଶ୍ନ ଉଠିଛି । ତେବେ ପାକିସ୍ତାନ୍ ସହ କୌଣସି କ୍ରିକେଟ୍ ସିରିଜ୍ ଖେଳାଯିବ ନାହିଁ ବୋଲି ବିିସିସିଆଇ ପୂର୍ବରୁ ସ୍ପଷ୍ଟ କରିଥିବା ବେଳେ ଆଜି ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ କଡ଼ା ସମାଲୋଚନା କରିଛନ୍ତି କ୍ରିକେଟ୍ ଖେଳାଳି । ଏହାରି ମଧ୍ୟରେ କ୍ରିକେଟର ବୀରେନ୍ଦ୍ର ସେହବାଗ ପାକିସ୍ତାନ କାର୍ଯ୍ୟକଳାପକୁ ସମାଲୋଚନା କରିଛନ୍ତି । ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ସେନା ଦ୍ୱାରା ଅନାବଶ୍ୟକ ଆକ୍ରମଣକୁ ସେ କଡ଼ା ନିନ୍ଦା କରିଛନ୍ତି । ସେ ନିଜ ଏକ୍ସ ପୃଷ୍ଠାରେ ଲେଖିଛନ୍ତି, ‘ଯୁଦ୍ଧ ପାକିସ୍ତାନ ବାଛିଛି । ଆମ ସେନା ଏହାର ଦୃଢ଼ ଜବାବ ଦେଇଛି । ଏହାକୁ କେବେ ପାକିସ୍ତାନ ଭୁଲି ପାରିବନି’ । କେବଳ ସେହବାଗ କାହିଁକି ଅନ୍ୟ ଖେଳାଳିମାନେ ମଧ୍ୟ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜର ଆକ୍ରୋଶ ଦେଖାଉଛନ୍ତି । ଅଲିମ୍ପିକ୍ସ ବିଜେତା ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଭାରତୀୟ ସେନାଙ୍କୁ ପ୍ରଶଂସା କରିବା ସହ ସାହସ ଦେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।