ଆଜି କାକିନାଡ଼ାରେ ମାଡ଼ ହେବ ‘ମୋନ୍ଥା’

ଆଜି କାକିନାଡ଼ାରେ ମାଡ଼ ହେବ ‘ମୋନ୍ଥା’
  • ଆନ୍ଧ୍ରରେ ଦେଖାଉଛି ତାଉ
  • ଓଡ଼ିଶା ଦେଇ ଛତିଶଗଡ ଯିବ
  • ଦକ୍ଷିଣ ସମେତ ପାରାଦ୍ୱୀପ ଓ ରାଜଧାନୀରେ ବର୍ଷା
  • ଓଡିଶାରେ ହେବ ଦୁର୍ବଳ: ମୃତ୍ୟୁଞ୍ଜୟ
  • ୮ ଜିଲ୍ଲାରେ ୩୦ ଯାଏଁ ସ୍କୁଲ ଓ ଅଙ୍ଗନୱାଡି ଛୁଟି
  • ପର୍ଯ୍ୟଟକଙ୍କୁ ଗୋପାଳପୁର ମନା
  • କଳିଙ୍ଗା ଘାଟି ରାସ୍ତା ସିଲ୍‌
  • ଖୋର୍ଦ୍ଧା, ପୁରୀ, ନୟାଗଡ଼ରେ ଦୁଇ ଦିନ ସ୍କୁଲ ଛୁଟ
ଭୁବନେଶ୍ୱର : ଆଜିଠୁ ଓଡିଶାରେ ଆରମ୍ଭ ହୋଇଗଲାଣି  ବାତ୍ୟା ‘ମୋନ୍ଥା’ର ପ୍ରଭାବ । ଦକ୍ଷିଣ ଓଡିଶାରେ ବଦଳିବାରେ ଲାଗିଛି ପାଗ । ଗଜପତି ଓ ଗଞ୍ଜାମରେ ଆରମ୍ଭ ହୋଇଗଲାଣି ବର୍ଷା । ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ଗୋପାଳପୁରଠାରୁ ଏବେ ୬୦୦ କିଲୋମିଟର ଦୂରରେ ରହିଛି ବାତ୍ୟା ମୋନ୍ଥା । ପାରଳାଖେମୁଣ୍ଡିରେ ଆକାଶ ମେଘାଚ୍ଛନ୍ନ ସହ ଝିପିଝିପି ବର୍ଷା ହେଉଛି । ଉଭୟ ଗଞ୍ଜାମ ଓ ଗଜପତିକୁ ଆଜି ପାଇଁ ଅରେଞ୍ଜ ଓ କାଲି ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଖାଲି ଦକ୍ଷିଣ ଓଡିଶା କାହିଁକି ଉପକୂଳ ଜିଲ୍ଲାରେ ବି ପାଗର ମିଜାଜ ପରିବର୍ତ୍ତନ ହେବାରେ ଲାଗିଛି । ପାରାଦ୍ୱୀପରେ ଆକାଶ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହୋଇଯାଇଛି ।
      ସେହିପରି ରାଜଧାନୀ ଭୁବନେଶ୍ୱରରେ ଆଜି  ସକାଳୁ ଟାଣ ଖରା ହୋଇଥିବା ବେଳେ ହଠାତ ମଧ୍ୟାହ୍ନରେ ପାଗରେ ପରିବର୍ତ୍ତନ ଆସିବା ସହ ଅନେକ ଅଞ୍ଚଳରେ ବର୍ଷା ହୋଇଛି । ଏବେ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’ । ସମୁଦ୍ର ଭିତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଥିବା ବେଳେ ଏବେ କିନ୍ତୁ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଗତ ୬ ଘଣ୍ଟା ଧରି ଏହା ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ‘ମୋନ୍ଥା’ବର୍ତ୍ତମାନ ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି । ଗୋପାଳପୁରଠାରୁ ୬୦୦କିଲୋମିଟର ଦୂରରେ ଅଛି ।  ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ସନ୍ଧ୍ୟା କିମ୍ବା ରାତିରେ ଏହା ଲ୍ୟାଣ୍ଡଫଲ କରିବ । ପରେ ଏହା ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝି କାକିନାଡ଼ା ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍‌ ସମୟରେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ । ଫଳରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି । ଛତିଶଗଡ଼ରେ ଅଧିକ ବର୍ଷା ହେଲେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହାକୁ ଦୃଷ୍ଟି ରଖାଯିବା ସହ ଆବଶ୍ୟକ ପଡ଼ିଲେ ହୀରାକୁଦର ଗୋଟ୍‌ ଖୋଲା ଯିବାକୁ ନିଷ୍ପତ୍ତି ନିଆଯିବ । ତେବେ ଓଡିଶାରେ ପହଞ୍ଚଲା ବେଳକୁ ଏହା ଦୁର୍ବଳ ହୋଇଯିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
      ଏପରିକି ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ବାହିନୀ ଡିଜି ସୁଧାଂଶୁ ଷଡଙ୍ଗୀ । ବାତ୍ୟା ଦକ୍ଷିଣ ଓଡିଶାର ୮ଟି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡିରେ ବେଶୀ ପ୍ରଭାବ ପକାଇବ । ସେଥିପାଇଁ ଏହି ସବୁ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡିକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି କରିଦିଆଯାଇଛି । ଅଧିକ ବର୍ଷା ଥିବାରୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଦେଖାଦେଇଛି । ଏନେଇ ଗଜପତି, ମାଲକାନଗିରି ଓ ରାୟଗଡାରେ ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । କଳିଙ୍ଗ ଘାଟି ରାସ୍ତା ସିଲ କରି ଦିଆଯାଇଛି । ଗଜପତିରେ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଛି । ଗଜପତି ଜିଲ୍ଲାରେ ୯୪୦୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ୯୧ ଜଣ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ଏହିସବୁ ଅଞ୍ଚଳରେ ବାତ୍ୟା ମୁକାବିଲା ପାଇଁ ୧୩୦ଟି ଟିମ ମୁତୟନ ଅଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୨୮ ଓ ୨୯ ତାରିଖ ଦୁଇ ଦିନ ସମସ୍ତ ସ୍କୁଲ ଓ ଅଙ୍ଗନୱାଡି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।