ଆର ସପ୍ତାହରେ ନୂଆମୋଡ଼ ନେବ ‘ନୂଆପଡ଼ା’

ଆର ସପ୍ତାହରେ ନୂଆମୋଡ଼ ନେବ ‘ନୂଆପଡ଼ା’
  • ନବୀନ ଓ ମୋହନଙ୍କ ରୋଡ଼ଶୋ’କୁ ଅପେକ୍ଷା
  • ବଡ଼ ରୋଡ଼ଶୋ’ ପାଇଁ ଭକ୍ତ ଦାସଙ୍କ ପ୍ରସ୍ତୁତି
  • ପଞ୍ଚାୟତ ମୁହାଁ ହେଲେ ତିନି ଦଳର ନେତା

ନୂଆପଡ଼ା : ନୂଆପଡ଼ାରେ ରାଜନୀତିକ ମାହୋଲ ଏଯାଏଁ ଜମିନି । ତିନି ଦଳର ପଞ୍ଚାୟତ ଓ ବୁଥ୍‌ ଦାୟିତ୍ୱରେ ଥିବା ନେତାମାନେ ଏବେ ପଞ୍ଚାୟତ ମୁହାଁ ହେବା ଆରମ୍ଭ କଲେଣି । ଏବେ ସମସ୍ତଙ୍କର ଅପେକ୍ଷା କେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ଼ଶୋ’ କରିବେ । ଦୁଇ ନେତା ରୋଡ଼ଶୋ’ରେ ଶକ୍ତି ପ୍ରଦର୍ଶନ କରିବେ । ଶକ୍ତି ପ୍ରଦର୍ଶନ ବେଳେ ହିଁ ଅସଲ ଖେଳ ଆରମ୍ଭ  ହୋଇଯିବ । କଂଗ୍ରେସ ବି ପଛରେ ପଡ଼ିବନି । ପିସିସି ସଭାପତି ଭକ୍ତ ଚରଣ ଦାସ ବି କେନ୍ଦ୍ରୀୟ ନେତାଙ୍କୁ ନେଇ ବଡ଼ ସୋ’ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେଡ଼ି ହେଉକି ବିଜେପି ଅବା କଂଗ୍ରେସ । ଦିନେ ଦୁଇଦିନ ହେଲା କିଛି କିଛି ନେତା ନିଜ ଦାୟିତ୍ୱରେ ଥିବା ପଞ୍ଚାୟତମାନଙ୍କରେ ମୁହଁ ମାରି ଆସିଛନ୍ତି । କିନ୍ତୁ ପଞ୍ଚାୟତମାନଙ୍କରେ ସେମାନେ ରହିନାହାନ୍ତି । ଆଜି ଠାରୁ ଧିରେଧିରେ ନେତାମାନେ ପଞ୍ଚାୟତ ବୁଲିଯିବା ସହ ସେଠାରେ କେଉଁଠି ରହିବେ, କେଉଁଠି ଖାଇବେ ଆଦି ସବୁ ବ୍ୟବସ୍ଥା କରିବା ଆରମ୍ଭ କରିଛନ୍ତି । ଏନେଇ ନେତାମାନେ ଦଳକୁ ନିଜର ବଜେଟ୍‌ ପ୍ରସ୍ତୁତ କରିଛନ୍ତି । ଭୋଜିଭାତ, ଦୈନିକ ମିଟିଂ, ଦଳୀୟ କର୍ମୀ ସମ୍ମିଳନୀ ଆଦି ସମ୍ପର୍କରେ ସେମାନେ ବଜେଟ୍‌ ଦେବେ । ସେହିପରି କେଉଁ ପଞ୍ଚାୟତରେ ଦଳର ଭୋଟ୍‌ କେତେ ରହିଛି, ଭାସମାନ ଭୋଟରଙ୍କୁ କିଭଳି କରାୟତ୍ତ କରାଯାଇପାରିବ ଆଦି ସମ୍ପର୍କରେ ସେମାନେ ଟିକିନିଖି ଅପଡେ଼ଟ ଦେବାର ଯୋଜନା କରାଯାଇଛି । ସବୁ ଦଳ ପ୍ରାୟତଃ ସମାନ ରଣନୀତି କରିଛନ୍ତି ।ବିଶେଷକରି ରୋଡ଼ଶୋ’ କିଭଳି ପ୍ରଭାବଶାଳୀ ହେବ, କେଉଁ ରୁଟରେ ଗଲେ  ଅଧିକ ପଞ୍ଚାୟତକୁ ଯାଇହେବ ଆଦି ସମ୍ପର୍କରେ ଜୋନୱାରୀ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଓ କୋମନା ବ୍ଳକକୁ ଆଖି ଆଗରେ ରଖି ବଡ଼ ରୋଡ଼ଶୋ’ର ଯୋଜନା କରାଯାଇଛି । ମୋହନଙ୍କ ରୋଡ଼ଶୋ’ରେ ଅତିକମ୍‌ରେ ୧୫ ହଜାର ଲୋକଙ୍କୁ ସାମିଲ କରିବାକୁ ଯୋଜନା ହୋଇଛି । ଦୁଇ ତିିନି ଦିନ ମଧ୍ୟରେ ଏନେଇ ସବୁକିଛି ଚୂଡ଼ାନ୍ତ କରାଯିବ । ରବିବାର ମଧ୍ୟ ଏନେଇ ବିଜେପିର ତୁଙ୍ଗ ନେତାମାନେ ମାନସମନ୍ଥନ କରିଥିଲେ  ।

   ଅପରପକ୍ଷରେ ବିଜେଡ଼ି କେବଳ ନବୀନଙ୍କ ନାମରେ ହିଁ ନିର୍ବାଚନ ଲଢୁଛି । ନବୀନ ଦୁଇ ଦିନରେ ତିନୋଟି ରୋଡ଼ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ରୋଡ଼ଶୋ’ ସବୁବେଳେ ଆଖିଦୃଶିଆ ହୋଇଥାଏ । ଉପନିର୍ବାଚନ ବେଳେ ନବୀନଙ୍କ ରୋଡ଼ଶୋ’ ଭୋଟରଙ୍କ ମୁଡ଼୍‌ ବଦଳାଇବାର ବି ନଜିର ରହିଛି । ନବୀନ ହିଁ ବିଜେଡ଼ିର ଟ୍ରମ୍ପ କାଡର଼୍ । ସେଥିପାଇଁ ବିଜେଡ଼ି ବି ପ୍ରସ୍ତୁତି ଆରମ୍ଭ କରିଦେଇଛି । ନଭେମ୍ବର ପ୍ରଥମ ସପ୍ତାହରେ ନବୀନ ନୂଆପଡ଼ା ଆସି ପ୍ରଚାରର ମଙ୍ଗ ଧରିବେ । ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିଜେଡ଼ି ତିନି ନମ୍ବରରେ ରହିବ ବୋଲି ପ୍ରଚାର ହେଉଥିବାବେଳେ ଦୁଇ ଦଳ ଠାରୁ ବିଜେଡ଼ି ବଡ଼ ରୋଡ଼ ଶୋ’ କରିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ଗାଏମୋଟ୍‌ କହିଲେ ନବୀନ ଓ ମୋହନଙ୍କ ରୋଡ଼ଶୋ’ ଉପରେ ଏବେ ଲୋକଙ୍କ ନଜର ରହିଛି । ଅପରପକ୍ଷରେ କେନ୍ଦ୍ରୀୟ ନେତାଙ୍କୁ ଆଣି ପିସିସି ସଭାପତି ଭକ୍ତ ଚରଣ ଦାସ ଦୁଇ ଦଳକୁ ଟକ୍କର ଦେବାକୁ ଯୋଜନା କରିଛନ୍ତି । ଦୁଇ ତିନି ଦିନ ମଧ୍ୟରେ ବିଜେପି ଓ କଂଗ୍ରେସର ବାହାର ରାଜ୍ୟରୁ ଆସିବାକୁ ଥିବା ହେଭିୱେଟ୍‌ ନେତାଙ୍କ ପ୍ରଚାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେବ । ସଚିନ ପାଇଲଟଙ୍କର ବଡ଼ ରୋଡ଼ ଶୋ’ ପାଇଁ ଭକ୍ତ ଯୋଜନା କରିଥିବା ଜାଣିବାକୁ ମିଳିଛି । ବଡ଼ ବଡ଼ ନେତାଙ୍କ ପ୍ରଚାର ଓ ରୋଡ଼ଶୋ’ ପରେ ନୂଆପଡ଼ା ଭୋଟରଙ୍କ କାଡର଼୍ ଖୋଲିବ ବୋଲି ଅନୁମାନ କରାଯାଉଛି । ଏବେବି ଯେଉଁସବୁ ପ୍ରଚାର ବା ଛୋଟମୋଟ ସଭା ହେଉଛି ତାହା ସଂଖ୍ୟା ଦୃଷ୍ଟିରୁ ପ୍ରଭାବଶାଳୀ ନୁହେଁ । ତେଣୁ ଜିଲ୍ଲା ପରିଷଦ ଜୋନୱାରୀ ତିନି ଦଳ ସମାବେଶ କରିବେ । ଥରେ ନୁହେଁ ଦୁଇ ଦୁଇଥର ସମ୍ମିଳନୀ କରିବାକୁ ବି ଯୋଜନା କରାଯାଇଛି । ସବୁ ଦଳ ସମସ୍ତଙ୍କର ରଣନୀତି ଉପରେ ନଜର ରଖିଛନ୍ତି ।

ନୂଆପଡ଼ାରୁ ରାମଚଣ୍ଡୀ ପ୍ରସାଦ ରଣସିଂହ ଓ ପରମେଶ୍ୱର ବାରିକ 

         ଆଜି ବିଭିନ୍ନ ପଞ୍ଚାୟତରେ ବୁଲିବା ବେଳେ ଆମେ ଲକ୍ଷ୍ୟ କରିଥିଲୁ, କେବଳ ଆଗଧାଡ଼ିର କର୍ମୀମାନେ ହିଁ ସକ୍ରିୟ ରହିଛନ୍ତି । ଏଯାଏଁ ଭୋଟରମାନେ ନିର୍ବାଚନ ମୁହାଁ ହୋଇନାହାନ୍ତି । ଭୋଟରମାନେ ନିଜ ଚାଷ ଉପରେ ଫୋକସ କରୁଥିବାବେଳେ ନେତାମାନେ ଭୋଟ ଚାଷ ଉପରେ ଗୁରୁତ୍ୱ ଦେଉଛନ୍ତି । ଦିନ ତମାମ ଗାଁରେ କାହାକୁ ବି ଦେଖିବାକୁ ମିଳୁନାହିଁ । ସଂଧ୍ୟା ସମୟରେ ହିଁ ସାଧାରଣ ଭୋଟରମାନେ ଛକ ବଜାରକୁ ଆସି ନିର୍ବାଚନ ମାହୋଲକୁ ପରଖୁଛନ୍ତି । ସାଧାରଣ ଭୋଟରଙ୍କ ପାଖରେ ଏଯାଏଁ ନେତାମାନେ ପହଁଚି ନାହାନ୍ତି । ସେମାନେ କେବଳ ବିଭିନ୍ନ ଦଳର ପ୍ରଚାର କଥା ହିଁ ଶୁଣୁଛନ୍ତି । କିଛି କିଛି ପଞ୍ଚାୟତରେ ସ୍ଥାନୀୟ ନେତାମାନେ ଭୋଜିଭାତ ଆରମ୍ଭ କରିଦେଇଛନ୍ତି । ଘାସିରାମ ମାଝୀଙ୍କ ପ୍ରତି ଆଦିବାସୀ ଭୋଟରମାନଙ୍କ ଭଲପାଇବା ଆମେ ଲକ୍ଷ୍ୟ କରିଥିଲୁ । କିନ୍ତୁ ନିର୍ବାଚନ ଶେଷ ଆଡ଼କୁ ଘାସିରାମଙ୍କ ସ୍ଥିତିକୁ ନେଇ କିଛି ପଞ୍ଚାୟତର ଲୋକମାନେ ଆଶଙ୍କା ପ୍ରକାଶ କରିଥିଲେ । କାହିଁକିନା ଘାସିରାମଙ୍କ ପାଖରେ ଅର୍ଥ ବଳ ନଥିବାରୁୁ ନିର୍ବାଚନ ପୂର୍ବ ଦୁଇ ତିନି ଦିନ ସେ ଅର୍ଥ ବାଣ୍ଟିବାରେ ଅସମର୍ଥ ହୁଅନ୍ତି । ତଥାପିବି କେତେକ ପଞ୍ଚାୟତରେ ବିଜେପି ଓ କଂଗ୍ରେସ ଏବଂ କେତେକ ସ୍ଥାନରେ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେ଼ଇର ଆଭାସ ମିଳୁଛି । ତେବେ ଲୋକେ ମୁହଁ ଖୋଲୁନଥିବାରୁ ଏବେବି ସ୍ପଷ୍ଟ ଚିତ୍ର ମିଳିପାରୁନାହିଁ ।