ଆତଙ୍କବାଦ ନିରୋଧୀ କମିଟିରେ ପାକିସ୍ତାନ ଉପାଧ୍ୟକ୍ଷ 


 ନୂଆଦିଲ୍ଲୀ : ଜାତିସଂଘର ଆତଙ୍କବାଦ ନିରୋଧୀ କମିଟିରେ ପାକିସ୍ତାନ ଉପାଧ୍ୟକ୍ଷ ହୋଇଛି  । ଆତଙ୍କୀସ୍ତାନ ଭାବେ ପରିଚିତ ପାକିସ୍ତାନକୁ ଏଭଳି ଦାୟିତ୍ୱ ଦିଆଯିବା ଘଟଣା ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି  । ଅପରପକ୍ଷରେ ଜାତିସଂଘ ସୁରକ୍ଷା ପରିଷଦର ୧୯୮୮ ତାଲିବାନ କମିଟିରେ ପାକିସ୍ତାନକୁ ଅଧ୍ୟକ୍ଷ କରାଯାଇଛି  । ସେହି କମିଟିରେ ଋଷିଆ ଓ ଗୁଏନାକୁ ଉପାଧ୍ୟକ୍ଷ କରାଯାଇଛି  । ଏତଦବ୍ୟତୀତ ୧୨୬୭ ଆଇଏସଆଇଏଲ ଓ ଅଲକାଏଦା ଅନୁଦାନ କମିଟିର ନେତୃତ୍ୱ ନେବ ଡେନମାର୍କ  । ଯେଉଁଥିରେ ଋଷିଆ ଓ ସିଏରା ଲିଓନ ମଧ୍ୟ ରହିଛନ୍ତି  । ସୁରକ୍ଷା ପରିଷଦର ୧୫ ସଭ୍ୟ ମଧ୍ୟ ବିଭିନ୍ନ କମିଟିରେ ଅଛନ୍ତି  । ୨୦୨୫-୨୬ ପାଇଁ ପାକିସ୍ତାନକୁ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଭ୍ୟ ଭାବେ ଗ୍ରହଣ କରାଯାଇଛି  । ୨୦୨୨ରେ ଆତଙ୍କ ନିରୋଧୀ କମିଟିର ଅଧ୍ୟକ୍ଷତା କରୁଥିଲା ଭାରତ  । ପାକକୁ ଏହି କମିଟିରେ ନିଆଯିବା ଘଟଣାକୁ ବାରବାର ଭାରତ ବିରୋଧ କରି ଆସୁଛି  । ଜାତିସଂଘ ଦ୍ୱାରା ଅବୈଧ ଘୋଷିତ ଅନେକ ଆତଙ୍କବାଦୀ ପାକିସ୍ତାନରେ ରହୁଛନ୍ତି  । ପାକରେ ଓସମା ବିନ୍ ଲାଡ଼େନ ରହିବା ଓ ଆମେରିକା ଦ୍ୱାରା ହତ୍ୟା ହେବା ଘଟଣା ମଧ୍ୟ ଏହାର ଅନ୍ୟତମ ପ୍ରମାଣ  ।