୩୦୮ କୋଟିର ପ୍ରକଳ୍ପ ଭେଟି

ଢେଙ୍କାନାଳରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ, ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ ବାଜି ରାଉତ ସ୍ପୋର୍ଟସ କମ୍ପ୍ଳେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  । ଏତଦ୍ବ୍ୟତୀତ ମହିମା ଗାଦିର ବିକାଶ ପାଇଁ ୧୭୧ କୋଟି ଖର୍ଚ୍ଚ ହେବାର ଥିବାବେଳେ ଢେଙ୍କାନାଳରେ ଏକ ମେଡ଼ିକାଲ କଲେଜ ମଧ୍ୟ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟଯେ,  ୧୧୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ୭୬ କୋଟି ଟଙ୍କାର ୧୦ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ,ଢେଙ୍କାନାଳ ଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟବରାଦରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଆଜି ଓଡିଶାର ବିକାଶର ଧାରାରେ ଆଉ ଏକ ସ୍ରୋତ ଯୋଡି ଦେଇଛି  । ଆଜି ଯେଉଁ ନୂତନ ଶିଳ୍ପର ଶୁଭାରମ୍ଭ ହେଲା, ଏଥିରୁ ୩୦ ହଜାର କୋଟି ଟଙ୍କାର ବ୍ୟୟ କେବଳ ସୋଲାର ଶକ୍ତି ଶିଳ୍ପ ପାଇଁ ହେବ  । ଢେଙ୍କାନାଳ ଜିଲ୍ଲା ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲାରେ ପରିଣତ ହେବବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।  ସୋଲାର ଏନର୍ଜୀକୁ ଆମେ କେବଳ ଆମ ରାଜ୍ୟର ନୁହେଁ ବରଂ ସମଗ୍ର ଦେଶର ପ୍ରମୁଖ ଶକ୍ତି ଭାବେ ବ୍ୟବହାର କରିବା  । ଆଜି ଏଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଯୋଗୁଁ ପ୍ରାୟ ୨୬୪୦୦  ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି ।  ଶହୀଦ ବାଜି ରାଉତଙ୍କ ସ୍ମୃୃତିରେ ବନମାଳୀ ପ୍ରସାଦ ଅଞ୍ଚଳରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟବରାଦରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଳେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି  । ସେହିପରି ପ୍ରଥମ ବର୍ଷରେ ୨୭ ହଜାର ଖାଲିଥିବା ସରକାରୀ ପଦ ପୂରଣ କରିଛୁ । ଚଳିତ ବର୍ଷ ୪୦ ହଜାର ପଦ ପୂରଣ କରିବା ପାଇଁ ନିଦେ୍ର୍ଦଶ ଦେଇସାରିଛି । ଚାକିରି ପାଇଁ ଆବେଦନ କରିବାର ସର୍ବୋଚ୍ଚ ବୟସ ସୀମାକୁ ୪୨ ବର୍ଷ କରିଛୁ  ।  ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ, ସାରା ଓଡିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ୬ ମାସ ମଧ୍ୟରେ ଆଜି ଆମେ ଦେଖିପାରୁଛେ  । ଆଗକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଆମେ ଶିଳ୍ପ ମାଧ୍ୟମରେ ରୋଜଗାର ବଢାଇବୁ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଉକ୍ତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେଯେ, ଗଣତନ୍ତ୍ରରେ ସବୁଠାରୁ ବଡ କଥା ହେଉଛି ‘ଲୋକଙ୍କ ଭରଷାକୁ ଅକ୍ଷୁର୍ଣ୍ଣ ରଖିବା’  । ଏହି ଭାବନାକୁ ମନରେ ରଖି ପ୍ରଥମ ଦିନରୁ ହିଁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପଦକ୍ଷେପ ନେଇଥିଲୁ । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ହିନେ୍ଦାଳ ବିଧାୟିକା ସିମାରାଣୀ ନାୟକ ଓ ପାଲଲହଡା ବିଧାୟକ ଅଶୋକ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ  । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ସେଠୀ ଧନ୍ୟବାଦ ଦେଇଥିଲେ ।