୨୦୨୭ ମାର୍ଚ୍ଚ ୧ରୁ ଜନଗଣନା


 ନୂଆଦିଲ୍ଲୀ :  ୨୦୨୭ ମାର୍ଚ୍ଚ ୧ରୁ ସାରା ଦେଶରେ ଜନଗଣନା ଆରମ୍ଭ ହେବ  । ତେବେ ଜାମ୍ମୁକାଶ୍ମୀର, ଲଦାଖ ଓ ଉତ୍ତରାଖଣ୍ଡରେ ଅକ୍ଟୋବର ୨୦୨୬ରୁ ଜନଗଣନା ଆରମ୍ଭ ହେବାର ସମ୍ଭାବନା ରହିଛି  । କେନ୍ଦ୍ର ସରକାର ଏମିତି ହିଁ ଯୋଜନା କରିଛନ୍ତି  । ଆଗାମୀ ଜନଗଣନାରେ ଜାତିଗତ ଜନଗଣନା ବି କରିବାକୁ ପୂର୍ବରୁ ସରକାର ନିଷ୍ପତ୍ତି ନେଇସାରିଛନ୍ତି  ।
ଗତ ସପ୍ତାହରେ ରାଜନୈତିକ ବ୍ୟାପାର କମିଟି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାତିଗତ ଜନଗଣନା ନେଇ ସରକାରଙ୍କ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଥିଲେ  । ସାଧାରଣତଃ ପ୍ରତି ଦଶ ବର୍ଷରେ ଥରେ ଜନଗଣନା ହୋଇଥାଏ  । ତେଣୁ ୨୦୨୧ରେ ଜନଗଣନା ହେବା କଥା  । ତେବେ କରୋନା ପାଇଁ ଜନଗଣନା ହୋଇପାରିନଥିଲା  । ନୂତନ ଜନଗଣନା ତଥ୍ୟ ଆସିବା ପରେ ଲୋକସଭା ଓ ବିଧାନସଭାର ସୀମା ପୁନଃ ନିର୍ଦ୍ଧାରଣର ସମ୍ଭାବନା ରହିଛି  । ୨୦୨୯ ସାଧାରଣ ନିର୍ବାଚନରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ଯୋଜନା କରାଯାଉଛି  । ଏନେଇ ବିଲ୍ ମଧ୍ୟ ପାଶ୍ ହୋଇସାରିଛି  । ୨୦୨୬ରେ ଲୋକସଭା ଓ ବିଧାନସଭାର ଆସନ ସଂଖ୍ୟା ଓ ସଂରକ୍ଷଣର ଅବଧି ଶେଷ ହେଉଛି  । ଅପରପକ୍ଷରେ ଜନସଂଖ୍ୟା ଆଧାରରେ ଆସନ ସଂଖ୍ୟା କମ୍ ବେଶୀ କରିବା ଚର୍ଚ୍ଚାକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି  । କାହିଁକିନା ଦକ୍ଷିଣ ଭାରତର ଜନସଂଖ୍ୟା ଅଭିବୃଦ୍ଧି କମ୍ ଥିବାବେଳେ ଉତ୍ତର ଭାରତରେ ତାହା ଅଧିକ ରହିଛି  । ରାଜନୀତିକ ପତିଆରା ହ୍ରାସ ଡରରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏକାଠି ହୋଇ ପ୍ରତିବାଦ ଜଣାଇ ସାରିଛନ୍ତି  । ସେହିପରି ନୂଆ ସଂସଦ ଭବନ ୮୮୮ ସାଂସଦଙ୍କୁ ଆଖିଆଗରେ ରଖି କରାଯାଇଥିବାବେଳେ ମୋଦି ସରକାର ନିଶ୍ଚିତ ଭାବେ ଏହା କରି ଦେଖାଇବେ ବୋଲି ଚର୍ଚ୍ଚା ହେବା ସ୍ୱାଭାବିକ  ।