ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଧର୍ମଶାଳା: ଏହି ଥାନା ଗଙ୍ଗାଧରପୁର ପଞ୍ଚାୟତ ନାକପୋଲ ଗ୍ରାମର ଦେବପ୍ରସାଦ ରାୟଙ୍କ ଘରୁ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତକାଲି ରାତିରେ ଶ୍ରୀ ରାୟ ଓ ତାଙ୍କ ପରିବାର ଲୋକ ଗୋଟିଏ ଘରେ ଶୋଇଥିଲେ । ଅନ୍ୟ ଏକ କୋଠରୀରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ପଶିବା ସହିତ ଗଡ଼ରେଜରେ ଥିବା ନଗଦ ୧ଲକ୍ଷଟଙ୍କା, ସଂଘରୁ ଅଣାଯାଇଥିବା ୩୨ହଜାର ୫୦୦ଟଙ୍କା, ୮ଗୋଟି ସୁନାମୁଦି, ୩ଗୋଟି କାନଫୁଲ, ସୁନାଚେନ୧ଗୋଟି, ସୁନା ବାଉଟି ୩ଗୋଟି, ସାଙ୍ଖୀ ୨ଗୋଟି, ରୁପା ଅଳଙ୍କାର ଓ ବିଭିନ୍ନ ବ୍ୟାଙ୍କର ୫ଗୋଟି ଫିକ୍ସ ଡିପୋଜିଟ ବଣ୍ଡ ଲୁଟି ନେଇଛନ୍ତି । ଯାହାର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ଆଗକୁ ଝିଅ ବାହାଘର ଥିବାରୁ ସମସ୍ତ ଅଳଙ୍କାର ଓ ଟଙ୍କା ଯୋଗାଡ଼ କରିଥିଲେ ବୋଲି ଶ୍ରୀ ରାୟ କହିଛନ୍ତି । ଖବରପାଇ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଘଟଣା ସ୍ଥଳରେ ପହଁଚି ସାଇଂଟିଫିକ ଟିମ ସହାୟତାରେ ତଦନ୍ତ କରାଯାଇଛି । ଜାରକା ଅଂଚଳରେ ଏଭଳି ଭାବେ ଦିନକୁ ଦିନ ଚୋରି ବୃଦ୍ଧି ପାଉଥିବା ଯୋଗୁ ପୁଲିସ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।