ବଳଙ୍ଗା ଘଟଣାରେ ଘେରିଲା ସରକାରକୁ ବିଜେଡି
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଏହି ଘଟଣାକୁ ଏବେ ସରକାରକୁ ଘେରିବା ଆରମ୍ଭ କରିଛି ବିଜେଡି । ବିଜେଡିର ନେତା ନେତ୍ରୀ ଆଜି ସାମ୍ବାଦିକ ସମ୍ମିଳନୀ କରିବା ସହିତ ଏହି ପ୍ରସଙ୍ଗରେ ମୋହନ ସରକାରକୁ ଘେରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକ ଏହି ଘଟଣାରେ ସିଧା ସିଧା ସରକାରକୁ ତୀର ମାରିବା ସହିତ କହିଛନ୍ତି, ବଳଙ୍ଗା ଘଟଣାକୁ ୧୫ ଦିନ ହେଲାଣି ହେଲେ ସରକାର କି ପ୍ରଶାସନ ଦୋଷୀକୁ ଧରି ପାରିନାହାନ୍ତି । ଉପ-ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ କହିଥିଲେ ସେ ପୀଡ଼ିତାଙ୍କୁ ଭେଟିଛନ୍ତି ଓ ସେ ଭଲ ଅଛନ୍ତି । କିନ୍ତୁ ତାଙ୍କ ମୃତ୍ୟୁ ଅନେକ ଦ୍ଵନ୍ଦ୍ୱ ସୃଷ୍ଟି କରୁଛି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ।
ଅନ୍ୟପଟେ ମୋହନ ସରକାରକୁ ଟାର୍ଗେଟ୍ କରି ସେ କହିଛନ୍ତି, ସରକାର ଦୋଷୀକୁ ଘଣ୍ଟ ଘୋଡ଼ାଉଛନ୍ତି। ଏହି ଘଟଣାରେ ସରକାରୀ ଦଳର ଲୋକଙ୍କ ସମ୍ପୃକ୍ତି ଅଛି । ମାସେ ଦୁଇ ମାସ ଭିତରେ ଦୁଇଟି ଘଟଣା ଘଟିଗଲା। ଯେଉଁଥିରୁ ସ୍ପଷ୍ଟ ଯେ, ମହିଳା ଏଠି ସୁରକ୍ଷିତ ନୁହଁନ୍ତି । ଡବଲ ଇଞ୍ଜିନ୍ ସରକାର ଆଗକୁ ଯାଉନି ବରଂ ବିପରୀତ ଦିଗକୁ ଗଡୁଛି ବୋଲି ପ୍ରମିଳା କହିଛନ୍ତି । ସେହିପରି ବିଜେଡି ନେତ୍ରୀ ଟୁକୁନି ସାହୁ କହିଛନ୍ତି, ସୁଭଦ୍ରା ପାଇଁ ଉପ-ମୁଖ୍ୟମନ୍ତ୍ରୀ ବାହାବା ନେଉଛନ୍ତି କିନ୍ତୁ ଏଠି ମହିଳାଙ୍କ ସ୍ଥିତି କଣ? ମହିଳାଙ୍କ ବିକାଶ ନୁହେଁ ବିନାଶ ହେଉଛି। ଆମେ ଲଢ଼େଇ ଜାରି ରଖିବୁ । ଏହାସହ ବିଜେଡି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏହି ଘଟଣାରେ କହିଛନ୍ତି, ମାସେ ଭିତରେ ଦୁଇ ଦୁଇଟି ଘଟଣା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ଓଡ଼ିଶାରେ ନାରୀହନ୍ତା ସରକାର ଚାଲିଛି। ପୁଲିସ କିଛି କରୁନାହିଁ, ଯିଏ ଦୋଷୀକୁ ଧରିବେ ନାହିଁ ସିଏ ଏ ସରକାରରେ ରହିବ। ମାଫିଆ ଷ୍ଟାଇଲରେ ଏଠି ଶାସନ ଚାଲିଛି। ମୃତ୍ୟୁ ପରେ ପୋଲିସ ଆତ୍ମହତ୍ୟା କରିଥିବା କହିବା ଅଧର୍ମ କାମ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।