ଆକ୍ରମଣାନ୍ତକ ମୁଦ୍ରାରେ ପ୍ରୀତି ରାଜରାସ୍ତାରୁ ଆରମ୍ଭ କରି ସରକାରୀ ଦପ୍ତରରେ ଦେଖାଉଛନ୍ତି ଦବଦବା
ଯାଜପୁର : ବିଜେପି ସରକାରକୁ ବର୍ଷେ ପୁରିଲାଣି । ବର୍ଷକ ଭିତରେ ଗଣ୍ଡା ଗଣ୍ଡା ନେତା, କର୍ମୀ ଅନ୍ୟଦଳରୁ ଆସି ଶାସକ ଦଳରେ ସାମିଲ ହେଉଛନ୍ତି । କ୍ଷମତାରେ ଥିବା ଦଳରେ ସାମିଲ ହେବାକୁ ଯେ କେହି ଆଗେଇ ଆସିବ ଏହା ବାରମ୍ବାର ଦେଖାଯାଇଛି । ଶାସକ ଦଳ ପ୍ରତିପକ୍ଷ ଦଳକୁ ଦୁର୍ବଳ କରିବାକୁ ମଧ୍ୟ ଉଦ୍ୟମ କରିବ ଏହା ରାଜନୀତିରେ ଘଟେ । ବିରୋଧୀ ଶାସକ ଦଳର ଚାଲକୁ କେତେ ମାତ୍ ଦେଇ ପାରୁଛି, ତାହା ହିଁ କ୍ଷେତ୍ରରେ ଦେଖିବାକୁ ମିଳେ । ୨୪ବର୍ଷର ବିଜେଡ଼ି ସରକାରକୁ କଂଗ୍ରେସ ବଦଳରେ ବିଜେପି ମାତ ଦେବାକୁ ସକ୍ଷମ ହେବାରୁ ଆଜି ଶାସନକ୍ଷମତାରେ ବସିଛି ।
ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏବେ ବିଜେପିର ମିଶ୍ରଣ ପର୍ବ ଚାଲିଛି । ବିଜେପି ନିଜ ଦଳର ଶକ୍ତି ବୃଦ୍ଧି କରିବାକୁ ପୁରାଦମରେ ଲାଗିପଡ଼ିଛି । ଯାଜପୁର ଜିଲାରେ ମଧ୍ୟ ଏହାବି ଘଟୁଛି । ଯଦି କହିବା ମାସକ ତଳରୁ ସବୁଠାରୁ ଚର୍ଚ୍ଚାରେ ଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବି ବିଜେପିର ମିଶ୍ରଣ ପର୍ବ ଚାଲିଛି । କିନ୍ତୁ ଉକ୍ତ ମିଶ୍ରଣ ପର୍ବ ଯେତିକି ଆଲୋଚନାର ବିଷୟ ହୋଇପାରୁନି, ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ଆକ୍ରମଣାନ୍ତକ ମୁଦ୍ରା ଜିଲା ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ବିଜେଡ଼ି ଗଡ଼ ଭାବେ ବିଦିତ ହୋଇ ଆସୁଥିବା ସୁକିନ୍ଦାରେ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଥିବା ପ୍ରଦୀପ ବଳସାମନ୍ତ ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ । ସମବାୟ ଭଳି ବିଭାଗ ତାଙ୍କ ହାତରେ । ଖଣି,ଶିଳ୍ପ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଛନ୍ତି ବଳସାମନ୍ତ । ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀଙ୍କ ଥିବା ପ୍ରଭାବକୁ ଟାଳିବାକୁ ପ୍ରୀତିରଂଜନ ପୁରା ରାଜନୈତିକ ଗୋଟି ଚଲାଇଛନ୍ତି । ଛୋଟିଆ ହେଉ କି ବଡ଼ ପ୍ରସଙ୍ଗକୁ ଗଣ୍ଠି କରି ଧରିବା ପୂର୍ବକ ପ୍ରୀତିରଂଜନ ଆକ୍ରମଣାନ୍ତକ ମୁଦ୍ରାରେ ବିଜେପି ଏବଂ ସ୍ଥାନୀୟ ନେତା ବା ବଳସାମନ୍ତଙ୍କ ବିରୁଦ୍ଧରେ ହୁଙ୍କାର ଦେଉଛନ୍ତି । ରାଜରାସ୍ତାରୁ ଆରମ୍ଭ କରି ସରକାରୀ ଦପ୍ତରରେ ପହଁଚି ପ୍ରୀତିରଂଜନ ନିଜର ଦବଦବା ଦେଖାଉଛନ୍ତି । ଯାହା ସୁକିନ୍ଦା ରାଜନୀତିକୁ ରୋଚକ କରିଛି । ମାସକ ତଳେ ସୂର୍ଯ୍ୟପ୍ରଭା ଲେଖିଥିଲା ଡ଼ାନିଙ୍କ ସଣ୍ଢୁଆଶି ଆକ୍ରମଣରେ ଚଳଚଞ୍ଚଳ ଖଣି ଅଞ୍ଚଳ ରାଜନୀତି,ବ୍ୟାକଫୁଟ୍ରେ ବିଜେପି । ଆଶା କରାଯାଉଥିଲା ବିଜେପି ଏହାକୁ ଗୁରୁତର ସହ ନେବା ପୂର୍ବକ ଡ଼ାନିଙ୍କ ରାଜନୈତିକ ଗୋଟି ଚାଳନାକୁ ପ୍ରତିହତ କରିବାକୁ ଉଦ୍ୟମ କରିବ । ହେଲେ ସେଭଳି କିଛି ଦେଖିବାକୁ ମିଳିଲାନି । ଓଲଟି ଡ଼ାନି ବା ପ୍ରୀତିରଂଜନ ରାସ୍ତାରୁ ଆରମ୍ଭ କରି ଦପ୍ତର ପର୍ଯ୍ୟନ୍ତ ବିଜେପିକୁ ନିଶାନା କରିବାରେ ଲାଗିଛନ୍ତି । ପ୍ରୀତିରଂଜନଙ୍କ ଏଭଳି ଭୁମିକାକୁ ମନ୍ତ୍ରୀ ବଳବନ୍ତରାୟ ବିଶୃଙ୍ଖଳିତ ଆଚରଣ ବୋଲି ଅଭିହିତ କରିଥିବା ବେଳେ ପ୍ରୀତିରଂଜନ ତାର ପାଲଟା ଜବାବ ଦେବାକୁ ବି ପଛାଉ ନାହାନ୍ତି । ଯାହା ଫଳରେ କିଛି ଘଟଣା ପ୍ରସଙ୍ଗକୁ ଗଣମାଧ୍ୟମରେ ପ୍ରୀତି ଓ ମନ୍ତ୍ରୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି । ଏହାହିଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସୃଷ୍ଠି କରିଛି । ବିଜେଡି ସରକାର ରାଜ୍ୟରେ ୨୪ ବର୍ଷ ଶାସନରେ ରହିବା ପରେ ଅକସ୍ମାତ୍ ପରାଜୟକୁ ଗ୍ରହଣ କରି ପାରୁନଥିବାରୁ ଔଷଧ ବିକଳରେ ତାଟିଆ କାମୁଡୁ ଥିବା ବେଳେ ବିଜେପି ଦୀର୍ଘ ଦିନ ପରେ ଶାସନ ଗାଦିରେ ବସିଥିବାରୁ କର୍ମୀ ମାନଙ୍କ ଉତ୍ସାହ ବଢ଼ିଯାଇଛି ଫଳରେ ବିଶୃଙ୍ଖଳା ଆଚରଣ ଦେଖାଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ପ୍ରତିରଂଜନଙ୍କୁ ଆକ୍ରମଣାନ୍ତକ ହେବାକୁ ବିଜେପି ହିଁ ସୁଯୋଗ ଦେଇଛି । ପୁଲିସ କବଳରୁ ଉଠାଇ ଆଣି ମାଡ଼ ମାରିବା ହେଉ କି କାଳିଆପାଣି ଆଇଆଇସି ବିଜେଡିର କର୍ମୀଙ୍କୁ ଘରୁ ଟେକି ନେଇ ଲହୁଲୁହାଣ କରିବାକୁ ନେଇ ବିଜେଡି ଏସପି ଅଫିସ ଘେରାଉ କରିବା ପୁଣି ସୁକିନ୍ଦାରେ ସାଧାରଣ ଲୋକଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣକୁ ନେଇ ବିଜେଡିର କଳା ଦିବସ ପାଳନ ହେଉ ଏହାକୁ ନେଇ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ତୁମ୍ଭି ତୋଫାନ ଦେଖାଦେଇଥିଲା । ମାତ୍ର ପରେ ପୁଣି ଏକ ରାଜନୈତିକ ଉଷ୍ମତା ଦେଖାଦେଇଥିଲା କିଛି ଦିନ ତଳେ । ଜିନ୍ଦଲ କାରଖାନା ନିକଟସ୍ଥ ଖୁରୁଣ୍ଟି ଛକ ସମ୍ମୁଖରେ ବସ୍ ଧକ୍କାରେ ସୁକିନ୍ଦା ବ୍ଲକ ବନ୍ଦ ଗାଁ ପଞ୍ଚାୟତର ନଟ ସାହି ଗ୍ରାମର ଅଭିମନୁ୍ୟ ମହାନ୍ତଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ସହିତ ଥିବା ଅନ୍ୟ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଏହାକୁ ନେଇ ସାଧାରଣ ଲୋକ ରାସ୍ତାକୁ ଅବରୋଧ କରିଥିବା ସମୟରେ ସେହି ଘଟଣା ସ୍ଥଳରେ ପ୍ରୀତିରଞ୍ଜନ ପହଁଚି ପୁଲିସ ଉପରେ ଗର୍ଜିବା ସହ ବସଚଳାଚଳକୁ ବିରୋଧ କରି ମନ୍ତବ୍ୟ ଦେଇଥିଲେ । ସଂପୃକ୍ତ ଘଟଣାକୁ ନେଇ ପ୍ରୀତିରଂଜନ ନାଁରେ ପୁଲିିସ ମାମଲା କରିଛି । ତେବେ ପ୍ରୀତିରଞ୍ଜନ କେତୋଟି ଆପତି ଜନକ କଥାକୁ ନେଇ ମନ୍ତ୍ରୀ ବଳ ସାମନ୍ତଙ୍କ ମଧ୍ୟରେ ଆକ୍ଷେପ ପ୍ରତି ଆକ୍ଷେପ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ବଳସାମନ୍ତ ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ନାଟକ କରୁଛନ୍ତି ବୋଲି କହିବା ସହ ଭଦ୍ରତାକୁ ପ୍ରଶ୍ନ ଉଠାଇଥିଲେ । ମନ୍ତ୍ରୀଙ୍କ ଆକ୍ଷେପର ଜବାବ ମଧ୍ୟ ପ୍ରୀତିରଞ୍ଜନ ଦେବା ପୂର୍ବକ ନୀତି ନୈତିକତାର ପାଠ ପଢ଼ାଇଥିଲେ । ଆକ୍ରମଣ ଘଟଣାରେ ଏସପିଙ୍କୁ ଭେଟି ଆକ୍ରମଣାନ୍ତକ ମୁଦ୍ରାରେ ମତ ରଖିବା ହେଉ କି ଏଏସପିଙ୍କୁ ଭେଟି ଆଇନ ଶୃଙ୍ଖଳା ପାଠପଢାଇବା ଏବଂ ସଦ୍ୟ ଡ଼ିଏମଏଫ ଟ୍ରଷ୍ଟ ବୋର୍ଡ଼ ଗଠନରେ ମନମାନିକୁ ନେଇ ଜିଲାପାଳଙ୍କୁ ଭେଟି ସଂଶୋଧନ ଦାବି କରିବା ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେବା ପରି ହୋଇଛି ।