ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ ଗଠନରେ ଅନିୟମିତତା 

 ଯାଜପୁର : ଦୁଇଦିନ ତଳେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ ଗଠନରେ ଅନିୟମିତତା ଆଣିଥିଲେ କାଳିଆପାଣି ଖଣି ଅଞ୍ଚଳର ପଞ୍ଚାୟତ ପ୍ରତିନିଧି । ଓଡ଼ିଶା ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ରୁଲସ,୨୦୧୫ର ରୁଲସ୍- ୪ର ଉଲଂଘନ ସହିତ ଖଣି ପ୍ରଭାବିତ ଅଞ୍ଚଳକୁ ଅଣଦେଖା କରାଯାଇଥିବା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।
 ପଞ୍ଚାୟତ ପ୍ରତିନିଧି ଅଭିଯୋଗ କରିବାର ୪୮ଘଣ୍ଟାରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ସମାନ ଅଭିଯୋଗ ଆଣି ଜିଲାପାଳ ଅମ୍ବର କୁମାର କରଙ୍କୁ ଭେଟିଛନ୍ତି । ଶ୍ରୀ ଘଡ଼ାଇ ସଦ୍ୟ ପ୍ରକାଶିତ ଡିଏମ୍ଏଫ୍ ଟ୍ରଷ୍ଟ୍ ବୋର୍ଡକୁ ସଂଶୋଧନ କରି ଏଥିରେ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ପାଂଚ ପଂଚାୟତ କାଳିଆପାଣି, କଅଁସ, ଚିଙ୍ଗୁଡ଼ିପାଳ, ରାଁସୋଳ ଓ କାଙ୍କଡ଼ପାଳର ପ୍ରତିନିଧିତ୍ୱ ଦାବି କରିଥିଲେ । ଯଥାଶୀଘ୍ର ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଥିଲେ । ଶ୍ରୀ ଘଡ଼ାଇଙ୍କ ସହ ୩ ବିଦାୟୀ ସଦସ୍ୟ କାଳିଆପାଣି ସରପଂଚ ବିକାଶ କୁମାର ପାତ୍ର, ୩୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ସୁକିନ୍ଦା ପଂଚାୟତ ସମିତି ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର, ରାଁସୋଳ ସରପଂଚ କନକଲତା ସର୍ଦ୍ଦାର, କାଙ୍କଡ଼ପାଳ ସମିତସଭ୍ୟ ସମ୍ବରା ମୁଣ୍ଡା ଓ ପିମ୍ପୁଡ଼ିଆ ସମିତିସଭ୍ୟା ପଙ୍କଜିନୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଜିଲାପାଳଙ୍କ ସହ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭାଗୀୟ ବିଜ୍ଞପ୍ତି ୧୦୫୯୩/୨୪-୦୭-୨୦୨୫ ଆଧାରରେ ପୁନର୍ଗଠିତ ୧୭ ଜଣିଆ ଡିଏମ୍ଏଫ୍ ଟ୍ରଷ୍ଟ୍ ବୋର୍ଡରେ ଉଦେ୍ଦଶ୍ୟମୂଳକ ପ୍ରତ୍ୟକ୍ଷ ଖଣି ପ୍ରଭାବିତ ଅଂଚଳକୁ ସଂପୂର୍ଣ୍ଣ ବାଦ୍ ଦିଆଯାଇଛି । ଏଥିରେ ଖଣିଅଂଚଳର କୈାଣସି ନିର୍ବାଚିତ ଜନ ପ୍ରତିନିଧିଙ୍କ ନାମ ନାହିଁ । ଡିଏମ୍ଏଫ୍ ରୁଲ୍ ୨୦୧୫ର ଧାରା ୪ର ପଂଚମ ଓ ଷଷ୍ଠ ଅଧିନିୟମରେ ୩୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଏବଂ ଖଣିଜ ଉତୋଳନ କ୍ଷେତ୍ର କାଳିଆପାଣି, କଅଁସ, ଚିଙ୍ଗୁଡ଼ିପାଳ ଓ ରାଁସୋଳ ପଂଚାୟତରୁ ୩ ଜଣ ନିର୍ବାଚିତ ଜନ ପ୍ରତିନିଧିଙ୍କ ସଦସ୍ୟତା ନିୟମ ଥିଲେ ହେଁ ନୂଆ ଟ୍ରଷ୍ଟ୍ ବୋର୍ଡ ଗଠନରେ ଏହାର ଖୋଲା ଉଲଘଂନ କରାଯାଇଛି । ଚଂଚକତା ଭାବେ ୩୯ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ, କୁହିକା, ହରିପୁର ଓ ଧୁଲିଗଡ ପଂଚାୟତର ୩ ଜଣ ପଂଚାୟତ ପ୍ରତିନିଧିଙ୍କୁ ରଖାଯାଇଛି ।