ଆମ୍ବପାଳ କ୍ଷତିଗ୍ରସ୍ଥ ପ୍ରଜାସଂଘ ପକ୍ଷରୁ ଖଣି ବନ୍ଦ ଆନେ୍ଦାଳନ
ସାଉଥବଲଣ୍ଡା : ଜମି ଓ ବାସଗୃହର କ୍ଷତିପୂରଣ ଦାବି ନେଇ ଛେଣ୍ଡିପଦା ବ୍ଲକ ଆମ୍ବପାଳ କ୍ଷତିଗ୍ରସ୍ଥ ପ୍ରଜାସଂଘ ପକ୍ଷରୁ ହିଙ୍ଗୁଳା କୋଇଲାଖଣି ବନ୍ଦ କରାଯାଇଛି । ଗ୍ରାମର ଶତାଧିକ କ୍ଷତିଗ୍ରସ୍ତ ପ୍ରଜା ହିଙ୍ଗୁଳା କୋଇଲାଖଣି, ଟାଇମ ଅଫିସ, କୋଇଲା ପରିବହନ ରାସ୍ତା ଆଦି ଅବରୋଧ କରିବାରୁ ଖଣିରୁ କୋଇଲା ଉତ୍ପାଦନ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା । ସୂଚନାରୁ ପ୍ରକାଶ ଯେ, ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ଯୋଗୁଁ ଆମ୍ବପାଳ ଗ୍ରାମବାସୀଙ୍କୁ ପୂର୍ବରୁ ଦିଆ ଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉନାହିଁ । ସେମାନଙ୍କ ଦାବି ଆପତ୍ତିକୁ ଖଣି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏହି ଆନେ୍ଦାଳନ କରୁଛନ୍ତି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଅକ୍ଟୋବର ୦୩ ତାରିଖ ଦିନ ଆମ୍ବପାଳ ଗ୍ରାମବାସୀ ହିଙ୍ଗୁଳା କୋଇଲାଖଣି ବନ୍ଦ କରିଥିବାବେଳେ ଘଟଣାସ୍ଥଳରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଛେଣ୍ଡିପଦା ତହସିଲଦାର,ତାଳଚେର ଏସ୍ଡିପିଓ ଏବଂ ହିଙ୍ଗୁଳା କ୍ଷେତ୍ର ମହାପ୍ରବନ୍ଧକ ପହଞ୍ଚô ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ସେହି ମାସ ୧୬ ତାରିଖ ଦିନ ଅନୁଗୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗ୍ରାମବାସୀମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦିଆଯାଇଥିବାରୁ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ପୂର୍ବ ପ୍ରତିଶ୍ରୁତିରୁ ଓହରି ଯାଇ ସେମାନଙ୍କ ସମସ୍ୟାର ସମାଧାନ ଆରପିଡିଏସି ବୈଠକରେ କରାଯିବ ବୋଲି କହି ସେମାନଙ୍କୁ ଅଣଦେଖା କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଆମ୍ବପାଳ ଗ୍ରାମର ୪୭ ଏକର ଜାଗା ଏମ୍ସିଏଲ୍ ୧୯୯୪ ମସିହା ଓ ୨୦୧୦ ମସିହାରେ ମୋଟ ଦୁଇଟି ପର୍ଯ୍ୟାୟରେ ଅଧିଗ୍ରହଣ କରିଥିବା ବେଳେ ସେହି ସମାନ ସମୟରେ କୁସୁମପାଳ, ମଲ୍ଲିବନ୍ଧ ଓ ଗୋପାଳପ୍ରସାଦ ଗ୍ରାମର ତୃତୀୟ ପର୍ଯ୍ୟାୟ ଜମି ଏମ୍ସିଏଲ୍ ଅଧିଗ୍ରହଣ କରି ସଂପୃକ୍ତ ଜମିହରା ପ୍ରଜାମାନଙ୍କୁ ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ କରିଛନ୍ତି । ତେବେ ଆମ୍ବପାଳ ଗ୍ରାମର ୨୩୯ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କ ପ୍ରତି ଖଣି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଦୀର୍ଘ ୩୦ ବର୍ଷ ହେଲା ସେମାନେ ଧୂଳିଧୂଆଁ ତଥା ପ୍ରଦୂଷଣର ଶିକାର ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ଖଣି କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ଗ୍ରାମବାସୀମାନଙ୍କୁ ପ୍ରତିଶ୍ରୁତି ଦେଇ ତାକୁ କାର୍ଯ୍ୟକାରୀ ନ କରି ସେମାନଙ୍କ ପ୍ରତି ବୈମାତୃକ ଭାବ ପ୍ରଦର୍ଶନ କରୁଛନ୍ତି ବୋଲି ଆମ୍ବପାଳ କ୍ଷତିଗ୍ରସ୍ଥ ପ୍ରଜାସଂଘର ସଭାପତି ଧର୍ମାନନ୍ଦ ମାଝୀ ଓ ସମ୍ପାଦକ ନାରାୟଣ ବେହେରା ପ୍ରକାଶ କରିଛନ୍ତି । ଗୋପାଳପ୍ରସାଦ ତୃତୀୟ ପର୍ଯ୍ୟାୟ ଜମିହରା ପ୍ରଜାମାନଙ୍କର ୧୮୭ଟି ନିଯୁକ୍ତି ସମ୍ବଦ୍ଧୀୟ ଫାଇଲକୁ ଏମ୍ସିଏଲ୍ କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ଅନୁମୋଦନ କରିନାହାନ୍ତି । ପୂର୍ବରୁ ଏମ୍ସିଏଲ୍ ପକ୍ଷରୁ ଜମିହରା ପ୍ରଜାମାନଙ୍କୁ ଏହି ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ପ୍ରତାରଣା କରାଯାଉଛି ବୋଲି ଆନେ୍ଦାଳନକାରୀ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତାହାସହିତ ପ୍ରଥମ ପର୍ଯ୍ୟାୟ ଜମିହରା ପ୍ରଜାମାନଙ୍କୁ ଥଇଥାନ କରିବା ପାଇଁ ପ୍ଲଟ ଦେବାକୁ ଦାବି କରାଯାଇଥିଲା । ଯଦି ପ୍ଲଟ ଦେବାରେ ଖଣି କର୍ତ୍ତୃପକ୍ଷ ଅସମର୍ଥ ହୁଅନ୍ତି ତେବେ ନୂଆ ଦରରେ ପ୍ଲଟ ବାବଦକୁ କ୍ଷତିପୂରଣ ଦେବାପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଥିଲା । କିନ୍ତୁ ଖଣି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରି ସେମାନଙ୍କୁ ୨୦୦୪ ମସିହାର ଥଇଥାନ ଦର ଅନୁଯାୟୀ କ୍ଷତିପୂରଣ ରାଶି ନେବାକୁ ବାଧ୍ୟ କରାଯାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଖଣି କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଜମିହରା ଗ୍ରାମବାସୀଙ୍କୁ ନିଯୁକ୍ତି, ଥଇଥାନ ଦେବାକୁ ଲିଖିତ ଚୁକ୍ତିନାମା କରିଥିଲେ ମଧ୍ୟ ଏହି ଚୁକ୍ତିନାମାକୁ ଖଣି କର୍ତ୍ତୃପକ୍ଷ ଅଣଦେଖା କରି ସେମାନଙ୍କୁ ପ୍ରତାରଣା କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପ୍ରତିଶ୍ରୁତି ରକ୍ଷା କରିବାରେ ଖଣି କର୍ତ୍ତୃପକ୍ଷ ବାରମ୍ବାର ବିଫଳ ହେଉଥିବାରୁ ଗ୍ରାମବାସୀମାନେ ଏହି ଆନେ୍ଦାଳନ ଚଳାଇଛନ୍ତି । ଏବଂ ସମସ୍ୟାର ସମାଧାନ ନ ହେବା ଯାଏଁ ଆନେ୍ଦାଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିବ ବୋଲି ଜମିହରା ପ୍ରଜାମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।