ପ୍ଲାଷ୍ଟିକ ବୋତଲ ଓ ବ୍ୟାରେଲରେ ପେଟ୍ରୋଲ ବନ୍ଦ, ହନ୍ତସନ୍ତ ଚାଳକ
ନାଉଗାଁ : ନାଉଗାଁ ବ୍ଲକ୍ ଅଞ୍ଚଳରେ ଗାଡିରୁ ପେଟ୍ରୋଲ ସରିଲେ ହଇରାଣ ହେଉଛନ୍ତି ଚାଳକ । ପେଟ୍ରୋଲ ପମ୍ପରେ ପ୍ଲାଷ୍ଟିକ ବୋତଲ କି ବ୍ୟାରେଲରେ ମିଳୁନି ତେଲ । ସରକାରଙ୍କ ଏହି ନିୟମ ପାଇଁ ବଢିବାକୁ ଲାଗୁଛି ଜନ ଅସନ୍ତୋଷ । ବାଲେଶ୍ୱର ଓ ବଳଙ୍ଗାରେ ଛାତ୍ରୀଙ୍କ ପେଟ୍ରୋଲ ପୋଡି ଦୁଃଖଦ ଘଟଣା ପରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପେଟ୍ରୋଲ ପମ୍ପଗୁଡ଼ିକୁ ପ୍ଲାଷ୍ଟିକ ବୋତଲ ଓ ବ୍ୟାରେଲରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବା ଉପରେ କଡା ନିଷେଧ ଜାରି କରିଛନ୍ତି । ଏହି ନିଷେଧାଦେଶ ଉଦେ୍ଦଶ୍ୟ ହେଲା ସୁରକ୍ଷା ବୃଦ୍ଧି, କିନ୍ତୁ ଏହାର ପ୍ରଭାବ ଗ୍ରାମାଞ୍ଚଳର ଜନସାଧାରଣ ବାଇକ ଓ ସ୍କୁଟି ଚାଳକ ଓ ଚାଷୀ ମାନେ ବିଶେଷ ଅସୁବିଧା ଅନୁଭବ କରୁଛନ୍ତି । ବର୍ତ୍ତମାନ ଖରିଫ ଚାଷ ଅବସର ଥିବାରୁ ଗ୍ରାମ ଅଞ୍ଚଳରେ ଟ୍ରାକ୍ଟର, ପାୱାରଟ୍ରେଲର, ବାଇକ ଓ ଅନ୍ୟାନ୍ୟ ଯାନବାହନ ଆବଶ୍ୟକ ଇନ୍ଧନ ବୋତଲରେ ମିଳୁନାହିଁ । ଏହା ପାଇଁ ଡିଜେଲ ଓ ପେଟ୍ରୋଲ ର ନିହାତି ଆବଶ୍ୟକତା ଅଛି । ବହୁ ଦିନ ତଳେ ଯେଉଁଠି ଚାଷୀ ଓ ଟ୍ରାକ୍ଟର ମାଲିକମାନେ ଡିଜେଲ ବ୍ୟାରେଲରେ ଭରି ଚାଷକାମ ସମୟରେ କାମରେ ଲଗାଉ ଥିଲେ, ବର୍ତ୍ତମାନ ସେହି ସୁବିଧା ବନ୍ଦ ହେବାରୁ ସେମାନେ ହଇରାଣ ହେଉଛନ୍ତି । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବନ୍ଦ ହେବା ଫଳରେ ଗ୍ରାମାଞ୍ଚଳର ଛୋଟ ଯାତ୍ରୀ, ସ୍କୁଟି ଏବଂ ବାଇକ ଚାଳକମାନେ ମଧ୍ୟ ରାସ୍ତାରେ ତେଲ ଶେଷ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଯେଉଁଠି ପେଟ୍ରୋଲ ପମ୍ପ ଦୂରରେ ଅଛି ସେଠି ଅସନ୍ତୋଷ ଓ ଚିନ୍ତା ଦେଖାଯାଉଛି ।