ବଜ୍ରପାତ ନେଇଛି ୧୬୨୫ ଜୀବନ
Lighteing Death Odisha

ବର୍ଷକୁ ହେଉଛି ୬ ଲକ୍ଷ ବଜ୍ରପାତ
ଖଣିଜ ଅଞ୍ଚଳରେ ସର୍ବାଧିକ
ଭୁବନେଶ୍ୱର : ବନ୍ୟା, ବାତ୍ୟା ଭଳି ବଡ଼ ବିପର୍ଯ୍ୟୟକୁ ମାତ୍ ଦେଇପାରିଛି ଓଡ଼ିଶା । ହେଲେ ଆକାଶରୁ ଖସିଥିବା ମୃତ୍ୟୁକୁ କିନ୍ତୁ ଅଟକାଇ ପାରିନାହିଁ । ଗତ ୫ ବର୍ଷରେ ବଜ୍ରପାତରେ ୧୬୨୫ ଜୀବନ ଯାଇଛି । ଏକ୍ଷେତ୍ରରେ ଓଡ଼ିଶା ଦେଶରେ ସବୁଠୁ ଆଗରେ ରହିଛି ।
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଜ୍ରପାତ ମୃତ୍ୟୁ ନେଇ ତଥ୍ୟ ରଖିଛନ୍ତି । ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ୩୭୨ ଥିବାବେଳେ, ୨୦୨୦-୨୧ରେ ୩୩୮, ୨୦୨୧-୨୨ରେ ୨୯୪, ୨୦୨୨-୨୩ରେ ୩୩୪ ଓ ୨୦୨୩-୨୪ରେ ୨୮୭ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ଉପରେ ୧୬୨୫ ଜଣଙ୍କର ଜୀବନ ଯାଇଛି । ୫ ବର୍ଷ ମଧ୍ୟରେ ଅନୁଗୁଳରେ ୬୪, ବଲାଙ୍ଗୀରରେ ୫୫, ବାଲେଶ୍ୱରରେ ୧୧୧, ବରଗଡ଼ରେ ୪୬, ଭଦ୍ରକରେ ୫୧, ବୌଦ୍ଧରେ ୧୪, କଟକରେ ୭୪, ଦେବଗଡ଼ରେ ୧୭, ଢେଙ୍କାନାଳରେ ୭୪ ଜଣଙ୍କର ମୃତ୍ୟୁ ହୋଇଛତି । ସେହିପରି ଗଜପତିରେ ୧୭, ଗଞ୍ଜାମରେ ୧୧୪, ଜଗତସିଂହପୁରରେ ୩୧, ଯାଜପୁରରେ ୫୦, ଝାରସୁଗୁଡ଼ାରେ ୨୮, କଳାହାଣ୍ଡିରେ ୪୯, କନ୍ଧମାଳରେ ୧୮, କେନ୍ଦ୍ରାପଡ଼ାରେ ୪୨, କେନ୍ଦୁଝରରେ ୧୧୧, ଖୋର୍ଦ୍ଧାରେ ୪୯, କୋରାପୁଟରେ ୭୮, ମାଲକାନାଗିରିରେ ୨୫, ମୟୂରଭଞ୍ଜରେ ୧୫୧, ନବରଙ୍ଗପୁରରେ ୭୭, ନୟାଗଡ଼ରେ ୨୬, ନୂଆପଡ଼ାରେ ୨୬, ପୁରୀରେ ୪୧, ରାୟଗଡ଼ାରେ ୬୩, ସମ୍ବଲପୁରରେ ୩୨, ସୁବର୍ଣ୍ଣପୁରରେ ୧୯ ଓ ସୁନ୍ଦରଗଡ଼ରେ ୭୨ ଜଣଙ୍କର ଜୀବନ ବଜ୍ରପାତରେ ଯାଇଛି ।
ଗତ ୬ ବର୍ଷର ତଥ୍ୟକୁ ଅନୁଶୀଳନ କଲେ, ପ୍ରତିବର୍ଷ ହାରାହାରି ୬ ଲକ୍ଷରୁ ଉଦ୍ଧ୍ୱର୍ ବଜ୍ରାଘାତ ହେଉଛି । ସେଥିମଧ୍ୟରୁ ମୟୂରଭଞ୍ଜରେ ସର୍ବାଧିକ ୪ ଲକ୍ଷ ୩୧ ହଜାର ୫୬୮ (ବର୍ଷକୁ ହାରାହାରି ୪୬ ହଜାର ଥର) ଏବଂ କେନ୍ଦୁଝର ଜିଲ୍ଲାରେ ୨ ଲକ୍ଷ ୭୫ ହଜାର ୭୮୭ ଥର (ବର୍ଷକୁ ହାରାହାରି ୪୬ ହଜାର) ଏବଂ ସୁନ୍ଦରଗଡ଼ରେ ୩ ଲକ୍ଷ ୨୧୫୮ ଥର (ବର୍ଷକୁ ହାରାହାରି ୫୦ ହଜାର ଥର) ବଜ୍ରପାତ ହେଉଛି । ସେହିପରି ଗତ ୬ ବର୍ଷ ମଧ୍ୟରେ ଗଞ୍ଜାମ, ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ, ବାଲେଶ୍ୱର, କୋରାପୁଟ, କନ୍ଧମାଳ, ବରଗଡ଼, ରାୟଗଡ଼ା ଓ କଟକ ଜିଲ୍ଲାରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଥର ବଜ୍ରାଘାତ ହୋଇଛି ।
୨୦୧୫ରୁ ରାଜ୍ୟ ସରକାର ଏହାକୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି ।