ଗହଣା ଦୋକାନରେ ଚଢ଼ାଉ, ଲକ୍ଷାଧିକ ଟଙ୍କା ଜୋରିମନା ଆଦାୟ

ଗହଣା ଦୋକାନରେ ଚଢ଼ାଉ, ଲକ୍ଷାଧିକ ଟଙ୍କା ଜୋରିମନା ଆଦାୟ

ତାଳଚେର: ଶିଳ୍ପନଗରୀ ତାଳଚେର ଅଞ୍ଚଳରେ  ଛତୁଫୁଟିଲା ଭଳି ସୁନା ଦୋକାନ ଗଢ଼ି ଉଠିଛି । ଏହି ପରିପ୍ରେକ୍ଷୀରେ ତାଳଚେର ସହର ଶର୍ମାଛକ ଠାରୁ ଆରମ୍ଭ କରି ହାଟତୋଟା ଅଞ୍ଚଳରେ ରହିଥିବା ସୁନାଗହଣା ଦୋକାନ ଗୁଡ଼ିକରେ ମାପ ଓ ଓଜନ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ଜୋରିମନା ଆଦାୟ କରିଛି । ତାଳଚେର ଉପଜିଲ୍ଲ୍ଳାପାଳ ସମୀର ଜେନାଙ୍କ ନିଦେ୍ର୍ଦଶକ୍ରମେ ଡ଼େପୁଟି କଲେକ୍ଟର ପୁଷ୍ପିତା ମଧୁମିତା ଦେହୁରୀ ତାଳଚେର ମାପଓ ଓଜନ ବିଭାଗର ଅଧିକାରୀ ଚୋଡ଼ଙ୍ଗ ଦେବ କିଷାନ ଏହି ଚଢ଼ାଉରେ ଉପସ୍ଥିତ ରହି ସମସ୍ତ ଦୋକାନ ଗୁଡିକ କାଗଜପତ୍ର ସମେତ ନିକିତି ଓ ବଟକରା ସରଜମିନ୍ ତଦନ୍ତ କରିଥିଲେ । ଶର୍ମାଛକ ଅଂଚଳର ପ୍ରଥମେ ଆଇଟିଆଇ ଛକରେ ଥିବା ‘ଦୋ ଗୋଲ୍ଡ’ÿ ସୁନାଦୋକାନରେ ଚଢ଼ାଉ କରାଯାଇ କାଗଜପତ୍ର ତ୍ରୁଟି ଥିବାରୁ ୩୦ହଜାର ଟଙ୍କା, ରାଧାକୃଷ୍ଣ ଅଳଙ୍କାର ଦୋକାନରେ ଓଜନମାପ ଠିକ୍ ନଥିବାରୁ ୧୦ହଜାର ଟଙ୍କା, ଶୁଭମ ଜୁଏଲର୍ସର ଦୋକାନର କାଗଜପତ୍ର ସହ ମାପଓଜନରେ ଅନିୟମିତତା ରହିଥିବାରୁ ୩୦ହଜାର ଜୋରିମନା, ଓମ୍ ଜୁଏଲର୍ସରେ ଓଜନମେସିନ୍ ନବିକରଣ ହୋଇନଥିବା ଓ କାଗଜପତ୍ର ଠିକ ନ ଥିବାରୁ ୩୦ହଜାର ଜୋରିମନା, ଆରଏସ୍ ଜୁଏଲର୍ସରେ ମାପଓଜନ ମେସିନ୍ କାଗଜପତ୍ର ଠିକ ନ ଥିବାରୁ ୧୦ହଜାର ଜୋରିମନା, ସନ୍ତୋଷ ଅଳଙ୍କାରରୁ ୧୦ହଜାର, ଶ୍ରୀରାମ ଜୟରାମ ସିଣ୍ଢିକେଟ୍ ଜୁଏଲର୍ସରୁ୧୦ହଜାର, ରୁକମିଣୀ ଜୁଏଲର୍ସରୁ ୨୦ ହଜାର, ହିଙ୍ଗୁଳା ଜୁଏଲର୍ସରୁ ୫ହଜାର, ସାହୁଜି ଜୁଏଲର୍ସରୁ ୩୦ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଥିବାବେଳେ ତାଳଚେର ହାଟତୋଟା ଅଞ୍ଚଳରେ ଥିବା ଧରୀତ୍ରୀ ଜୁଏଲର୍ସ ଉପରେ ଚଢ଼ାଉ କରାଯାଇଥିଲା । ଉକ୍ତ ଜୁଏଲର୍ସର ସମସ୍ତ କାଗଜପତ୍ର ସଠିକ୍ ଥିବାରୁ ତାହା ଉପରେ ଜୋରିମନା ହୋଇନଥିବା ଡ଼େପୁଟି କଲେକ୍ଟର ଶ୍ରୀମତୀ ଦେହୁରୀ ଏହା ପ୍ରକାଶ କରିଛନ୍ତି । ତେବେ ସୁନା ଦୋକାନ ଗୁଡ଼ିକ ଗ୍ରାହକକୁ ଆକୃଷ୍ଟ କରିବାକୁ ଧନତରାସ୍ ଭଳି ଏକ ଦିନରେ ପ୍ରପାଗଣ୍ଡା କରି ବିଭିନ୍ନ ରିହାତି ଆଳ ଦେଖାଇ ୧୮ କ୍ୟାରେଡ଼୍ ସୁନାକୁ ୨୪କ୍ୟାରେଡ଼୍ ସୁନା ଗହଣା କରି ଲୋକଙ୍କୁ ଭୂଅାଁ ବୁଲାଇଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କିପରି ଏଥିପ୍ରତି କାହାର ଦୃଷ୍ଟି ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏତିକି ନୁହେଁ ଜିଏସ୍ଟିରେ କେତେକ ନାମୀଦାମୀ ସୁନା ଦୋକାନ ଟାକ୍ସ ଫାଙ୍କୁ ଥିବା ମଧ୍ୟ ଅଭିଯୋଗ ହେଉଛି । ଏପରିକି କିଛି ବ୍ୟବସାୟୀ ବାହାର ଅଞ୍ଚଳରୁ ଆସି ସୁନା ଦୋକାନ କରି କୋଟି କୋଟି ଟଙ୍କା ରୋଜଗାର କରି କୋଠାବାଡ଼ି ଓ ବଡ଼ବଡ଼ ଅଟ୍ଟାଳିକା କରି ବେଶ ମଉଜ କରୁଥିବା ବେଳେ ସାଧାରଣ ଗରିବ ଖଟିଖିଆ ନିଜର ଝିଅ ଓ ପୁଅ ବିବାହ ଓ ବ୍ରତଘରରେ ବାଧ୍ୟ ହୋଇ ସୁନା କିଣି ରୀତିନୀତି ସମ୍ପର୍ଣ୍ଣ କରିଥାନ୍ତି । ତେବେ ସୁନାର ମୂଲ୍ୟବୃଦ୍ଧି ସହିତ ସୁନା ମାନ ଓ ଗୁଣବତ୍ତାର ଯାଞ୍ଚର ଆବଶ୍ୟକତା ରହିଛି । ସେହିଭଳି ଜିଏସଷ୍ଟି ଫାଙ୍କୁଥିବା ସୁନାଦୋକାନ ଉପରେ ମଧ୍ୟ ଅଙ୍କୁଶ ଲଗାଇବା ନେଇ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।