ଆହ୍ଲାବାଦ ବାର୍ ଆସୋସିଏସନର ଦାବି: ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସୁ ମହାଭିଯୋଗ
ନୂଆଦିଲ୍ଲୀ : ବାସଭବନରୁ ଟଙ୍କା ଠାବ ଘଟଣାରେ ବିବାଦୀୟ ହୋଇ ପଡ଼ିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବିରୋଧରେ ଆହ୍ଲାବାଦ ବାର୍ ଆସୋସିଏସନ୍ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଦାବି କରିଛି । ଏହାସହ ତାଙ୍କ ମାମଲାରେ ମିଳିଥିବା ରାୟର ପୁନଃ ସମୀକ୍ଷା କରିବାକୁ ମଧ୍ୟ ଦାବି କରିଛି । ଏ ଅବସରରେ ଆଜି ବାର୍ ଆସୋସିଏସନ୍ ସଭାପତି ଅନୀଲ୍ ତିୱାରୀ ବିଚାରପତିମାନଙ୍କୁ ରୋମାନ୍ ଶାସକ ଜୁଲିଅସ୍ ସିଜରଙ୍କ ପତ୍ନୀଙ୍କ ସହ ତୁଳନା କରି ସେମାନେ ସର୍ବଦା ‘ସନେ୍ଦହଠୁ ଊଦ୍ଧ୍ୱର୍ରେ’ ରହିବା ଆବଶ୍ୟକ ବୋଲି କହିଛନ୍ତି । ଏହା ମଧ୍ୟ କହିବା ଉପଯୁକ୍ତ ହେବ ଯେ, ନ୍ୟାପାଳିକା ବିଶେଷ କରି ହାଇକୋର୍ଟ ଏବଂ ସୁପ୍ରିମ୍କୋର୍ଟ ନୈତିକତା ଭିତ୍ତିରେ ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିପାରୁନାହାନ୍ତି ବୋଲି ତିୱାରୀ କହିଛନ୍ତି । ଏହାସହ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ବାର୍ ଆସୋସିଏସନ୍ ପକ୍ଷରୁ ଏକ ସଂକଳନ ମଧ୍ୟ ପାସ୍ କରାଯାଇଛି ।
ଅପରପକ୍ଷେ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କ ପୂର୍ବ କୋର୍ଟ ଆହ୍ଲାବାଦ ହାଇକୋର୍ଟରେ ପୁନଃ ନିଯୁକ୍ତି ଦେବା ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ୍ । ଗତ ମାର୍ଚ୍ଚ ୨୦ ଏବଂ ୨୪ରେ ଏନେଇ କଲେଜିୟମ୍ ପକ୍ଷରୁ ଦୁଇଥର ବୈଠକ ବସିଥିବା ବେଳେ ଏହି ବୈଠକରେ ହିଁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ତେବେ ସରକାରୀସ୍ତରରେ ବିଧିବଦ୍ଧ ଭାବେ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନଥିବା ବେଳେ ଏହି ସୁପାରିଶ କରାଯିବା କ୍ଷଣି ଆହ୍ଲାବାଦ ବାର୍ ଆସୋସିଏସନ୍ ଏହାର କଡ଼ା ବିରୋଧ କରି ଉପରୋକ୍ତ ପ୍ରତିକ୍ରୀୟା ଦେଇଛି ।
ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୪ରେ ଜଷ୍ଟିସ୍ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଅାଁ ଲିଭାଇବାକୁ ନିୟୋଜିତ ହୋଇଥିବା ଅଗ୍ନିଶମ କର୍ମଚାରୀମାନେ ତାଙ୍କ ଘରୁ ପୋଡ଼ି ଯାଇଥିବା ବିପୁଳ ଟଙ୍କା ଠାବ କରିଥିବା ଦାବି କରିଥିଲେ । ସେପଟେ ଜଷ୍ଟିସ୍ ବର୍ମା ଟଙ୍କା ମିଳିବା କଥାକୁ ଖଣ୍ଡନ କରିବା ସହିତ ଏଥିରେ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସମ୍ପୃକ୍ତି ନାହିଁ ବୋଲି କହିବା ସହ ତାଙ୍କୁ ବଦନାମ କରିବା ପାଇଁ ଷଡ୍ୟନ୍ତ୍ର କରାଯାଉଥିବା ଅଭିଯୋଗ କରିଥିଲେ । ଏହାସହ ସେ କହିଥିଲେ ଯେଉଁ ଟଙ୍କା ଠାବ ହୋଇଛି ତାହା ବାସଭବନ ପରିସରରେ ଥିବା ଷ୍ଟୋର୍ରୁମ୍ରୁ ମିଳିଛି ଏବଂ ସେହି ଟଙ୍କା ସହିତ ମୋର କିଛି ସମ୍ପୃକ୍ତି ନାହିଁ । ସେପଟେ ଶନିବାର ରାତିରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଦେବେନ୍ଦ୍ର ଉପାଧ୍ୟାୟଙ୍କ ଦ୍ୱାରା ଉପସ୍ଥାପିତ ଏକ ତଦନ୍ତ ରିପୋର୍ଟକୁ ଭିତ୍ତି କରି ସୁପ୍ରିମ୍କୋର୍ଟ କହିଥିଲେ ଯେ, ଏ ଘଟଣାର ପୁନଃ ତଦନ୍ତ ଆବଶ୍ୟକ ରହିଛି । ଏଣୁ ସିଜେଆଇ ସଞ୍ଜୀବ ଖନ୍ନାଙ୍କ ନିଦେ୍ର୍ଦଶରେ ବରିଷ୍ଠ ବିଚାରପତିମାନଙ୍କୁ ନେଇ ଗଠିତ ହୋଇଥିବା ତିନିଜଣିଆ କମିଟି ଏ ଘଟଣାର ତଦନ୍ତ କରି ସବିଶେଷ ରିପୋର୍ଟ ଦେବେ ।