ମୋଦି ଓ ତାଙ୍କ ମାଆଙ୍କୁ ନେଇ ଏଆଇ ଭିଡିଓ ପ୍ରସଙ୍ଗ: ମାମଲା ରୁଜୁ

 ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦିବଗଙ୍ଗତ ମାଆଙ୍କୁ ନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ଏଆଇ ଭିଡିଓ ମାମଲା ଏବେ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀ ପୁଲିସ ଏନେଇ ଏକ ଏଫଆଇଆର ରୁଜୁ କରିଛି । ଯାହାକୁ ନେଇ କଂଗ୍ରେସର ଅଡୁଆ ବଢିଛି । ଦିଲ୍ଲୀ ପୁଲିସ ଶନିବାର ଦିନ ବିହାର କଂଗ୍ରେସ ୟୁନିଟ୍ ଦ୍ୱାରା ଏହାର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ଏକ ଏଆଇ-ଜେନେରେଟେଡ୍ "ଡିପ୍ ଫେକ’ ଭିଡିଓ ଉପରେ ଜଣେ ବିଜେପି କର୍ମୀଙ୍କ ଅଭିଯୋଗ ଉପରେ ଏଫଆଇଆର ପଞ୍ଜିକୃତ କରିଛି ।  କଂଗ୍ରେସର ଏପରି ନୀଚ୍ଚ କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସ୍ୱର୍ଗତ ମାଆଙ୍କ ଛବିକୁ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ବିଜେପି ଦିଲ୍ଲୀ ନିର୍ବାଚନ ସେଲ୍ର ସଂଯୋଜକ ସଙ୍କେତ ଗୁପ୍ତା ନର୍ଥ ଆଭେନୁ୍ୟ ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୧୦ ତାରିଖରେ କଂଗ୍ରେସ (ଆଇଏନସି ବିହାର)ର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ୍ସ ହ୍ୟାଣ୍ଡେଲରେ ଏଆଇ ଜେନେରେଟେଡ୍ ଏକ ନକଲି ଭିଡିଓ ଜାରି କରାଯାଇଥିଲା । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା  । ଏହାପରେ  ବିହାର କଂଗ୍ରେସ ଆଇଟି ସେଲ୍ ସହିତ ଜଡିତ ନେତାମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।
ବିଜେପି କହିଛି ଯେ ଏହି ଭିଡିଓ କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ତିଆରି କରାଯାଇନାହିଁ ବରଂ ଏହା ମହିଳାଙ୍କ ମର୍ଯ୍ୟାଦା ଓ ମାତୃତ୍ୱର ଅପମାନ । ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ୨୭-୨୮ ଅଗଷ୍ଟରେ ବିହାରର ଦରଭଙ୍ଗାରେ ଅନୁଷ୍ଠିତ କଂଗ୍ରେସ-ଆରଜେଡି ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ମାଆଙ୍କ ବିରୁଦ୍ଧରେ ଅଶ୍ଳୀଳ ଏବଂ ଅଶାଳୀନ ମନ୍ତବ୍ୟ ମଧ୍ୟ ଦିଆଯାଇଥିଲା । ବିଏନଏସର ଧାରା ୩୩୬ (ଜାଲିଆତି), ୩୪୦(୨) (ଜାଲି ଡକୁ୍ୟମେଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ରେକର୍ଡ ଏବଂ ଏହାକୁ ପ୍ରକୃତ ଭାବରେ ବ୍ୟବହାର କରିବା), ୩୫୨ (ଶାନ୍ତି ଭଙ୍ଗ କରିବା ଉଦେ୍ଦଶ୍ୟରେ ଉଦେ୍ଦଶ୍ୟମୂଳକ ଅପମାନ), ୩୫୬(୨) (ମାନହାନି) ଏବଂ ୬୧(୨) (ଅପରାଧୀକ ଷଡଯନ୍ତ୍ର) ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି ।