ଇସ୍ତଫା ଦେଲେ ନୀତୀଶଙ୍କ ଘନିଷ୍ଠ ସହଯୋଗୀ
ାା ଏଜେନ୍ସି ।ା ପାଟନା: ଜନତା ଦଳ ୟୁନାଇଟେଡ୍ ତଥା ଜେଡିୟୁରେ କିଛି ଠିକ୍ ଚାଲିନଥିବା ଚର୍ଚ୍ଚା ହେଉଛି । ଇସ୍ତଫା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅତି ଘନିଷ୍ଠ କୁହାଯାଉଥିବା କେସି ତ୍ୟାଗୀ । ସେ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା କୁହାଯାଇଛି । ତାଙ୍କ ସ୍ଥାନରେ ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ଦଳର ନୂତନ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି । ଏନେଇ ଦଳର ସାଧାରଣ ସମ୍ପାଦକ ଆଫାକ ଅହମ୍ମଦ ଖାନ ଏକ ଚିଠି ଜାରି କରି ଏହି ସୂଚନା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁ କେସି ତ୍ୟାଗୀ ଇସ୍ତଫା ଦେଇଥିବା କଥା କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନେକ କାରଣ ଲୁଚି ରହିଛି । ତାଙ୍କର ଲଗାତର ବିବାଦୀୟ ବୟାନ ଯୋଗୁ ଦଳ ଭିତରେ ଓ ବାହାରେ ସୃଷ୍ଟି ହୋଇଥିବା ମତଭେଦ ସାମିଲ ଅଛି ।
ସୂଚନା ମୁତାବକ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ତାଙ୍କ ବିବୃତ୍ତି ଯୋଗୁଁ କେସି ତ୍ୟାଗୀଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । କାରଣ ଦଳ ତାଙ୍କର ଏହି ବିବୃତ୍ତିରେ ଖୁସି ନାହିଁ । ମିଳିଥିବା ସୂତ୍ରର ସୂଚନା ଅନୁସାରେ କେସି ତ୍ୟାଗୀ ଇସ୍ତଫା ଦେବା ପଛରେ ଅନେକ ପ୍ରସଙ୍ଗ ରହିଛି । ସେ ଅନେକ ପ୍ରସଙ୍ଗରେ ନିଜର ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିଲେ, ଯେଉଁଥିପାଇଁ ଦଳକୁ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡୁଥିଲା । ତେଣୁ ସେ ଇସ୍ତଫା ଦେଇଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଇଣ୍ଡିଆ ଆଲିଆନ୍ସରୁ ଅଲଗା ହେବା ସମୟରେ କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜୋରଦାର୍ ସମର୍ଥନ କରିଥିଲେ । କେସି ତ୍ୟାଗୀ ସମାଜବାଦୀ ରାଜନୀତିର ପୃଷ୍ଠଭୂମିରୁ ଆସିଛନ୍ତି । ସେ ପଶ୍ଚିମ ୟୁପିର ନେତା । ନୀତୀଶ କୁମାରଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି ।