ଉପରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ କରିଛନ୍ତି ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ । ଅନାସ୍ଥା ପ୍ରସ୍ତାବ ଆଗତ ହେବା ପୂର୍ବରୁ ୧୪ ଦିନିଆ ନୋଟିସ ଦିଆଯାଇ ନ ଥିବା ଓ ପ୍ରସ୍ତାବରେ ଅଧ୍ୟକ୍ଷ ଧନଖଡ଼ଙ୍କ ନାମର ବନାନ ଭୁଲ ଲେଖାଯାଇଥିବା ଦର୍ଶାଇ ଏହି ପ୍ରସ୍ତାବକୁ ଖାରଜ କରି ଦିଆଯାଇଛି । ଶ୍ରୀ ସିଂହ କହିଛନ୍ତି ଯେ, ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ରହିଥିବା ବ୍ୟକ୍ତିଙ୍କୁ ବଦନାମ କରିବା ପାଇଁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା । ସୂଚନାଯୋଗ୍ୟ ରାଜ୍ୟସଭା ଇତିହାସରେ ପ୍ରଥମ ଥର ପାଇଁ ଗୃହର ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ରାଜ୍ୟସଭାକୁ ପରିଚାଳନା କରିବା ବେଳେ ଅଧ୍ୟକ୍ଷ ଧନଖଡ ପାତରଅନ୍ତର କରୁଥିବା ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଧନଖଡ଼ଙ୍କୁ ସ୍କୁଲ୍ ହେଡ୍ମାଷ୍ଟର୍ ସହିତ ସମାନ କରିଥିଲେ । ସେ କହିଥିଲେ ଯେ, ଆମର ପ୍ରତିକଥାକୁ ସେ ବିରୋଧ କରିବା ସହ ଶାସକ ଦଳ ପ୍ରତି ଅଧିକ ସମର୍ଥନ ଦେଉଥିଲେ । ଏଣୁ ଏହାର ପ୍ରତିବାଦରେ ଏକ୍ଜୁଟ୍ ହୋଇଥିଲେ ଇଣ୍ଡିଆ ମେଣ୍ଟ । ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ମେଣ୍ଟ ମଧ୍ୟରେ ମୁହାଁମୁହିଁ ହେବା ସହ ଶେଷରେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ଅନ୍ୟ ସାଂସଦମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।