ବାହାହେଲେ ପିନାକୀ!
ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଆଜି ସାରା ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି । ଖବରଟି ହେଉଛି, ବିଶିଷ୍ଟ ରାଜନେତା ତଥା ଆଇନଜୀବୀ ପିନାକୀ ମିଶ୍ର ବେଶ୍ କିଛିଦିନର ବାନ୍ଧବୀ ତଥା ସାଂସଦ ମହୁଆ ମୋଇତ୍ରାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜର୍ମାନୀର ବର୍ଲିନରେ ଉଭୟ ଗୁପ୍ତରେ ବିବାହ କରିଥିବା ନେଇ ଚର୍ଚ୍ଚା ହେଉଛି । ଅବଶ୍ୟ ଏନେଇ ପିନାକୀ କିମ୍ବା ମହୁଆ କିଛି ସ୍ପଷ୍ଟ କରିନାହାନ୍ତି ।
ଚର୍ଚ୍ଚିତ ଖବର ଅନୁଯାୟୀ, ପୁରୀରୁ ୪ ଥର ସାଂସଦ ହୋଇଥିବା ସାଂସଦ ପିନାକୀ ମିଶ୍ର ପଶ୍ଚିମବଙ୍ଗର କ୍ରୀଷ୍ଣାନଗର ସାଂସଦ ମହୁଆ ମୋଇତ୍ରାଙ୍କୁ ବାହା ହୋଇଛନ୍ତି । ମହୁଆ ଦ୍ୱିତୀୟ ଥର ପାଇଁ ସାଂସଦ ହୋଇଛନ୍ତି । ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ମହୁଆ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲେ । ଅନେକ ବାର ବିବାଦୀୟ ମନ୍ତବ୍ୟକୁ ନେଇ ବି ସେ ଚର୍ଚ୍ଚାରେ ରହି ଆସିଛନ୍ତି । ୧୯୫୯ରେ ଜନ୍ମିତ ପିନାକୀଙ୍କର ବୟସ ଏବେ ୬୬ ହୋଇଥିବାବେଳେ ୧୯୭୪ରେ ଜନ୍ମିତ ମହୁଆଙ୍କ ବୟସ ହେଉଛି ୫୨ । ପରିଣତ ବୟସରେ ଏହି ଦୁଇ ରାଜନେତାଙ୍କ ପ୍ରେମ ବିବାହ ଏବେ ଦିଲ୍ଲୀ ରାଜନୀତିକ ଅଳିନ୍ଦରେ ବେଶ୍ ଚର୍ଚ୍ଚା ସୃଷ୍ଟିକରିଛି । ସୂଚନାଯୋଗ୍ୟ, ଭଭୟଙ୍କର ଏହା ଦ୍ୱିତୀୟ ବିବାହ । ପିନାକୀ ପୂର୍ବରୁ ସଂଗୀତା ମିଶ୍ରଙ୍କୁ ବିବାହ କରିଥିବାବେଳେ ବହୁଦିନ ହେଲା ସେମାନଙ୍କର ଛାଡ଼ପତ୍ର ହୋଇସାରିଛି । ସେହିପରି ମହୁଆ ମଧ୍ୟ ଡେନମାର୍କର ଫାଇନାନ୍ସର ଲାର୍ସ ବ୍ରୋରସନଙ୍କୁ ବିବାହ କରିଥିଲେ । କିନ୍ତୁ ସେମାନଙ୍କର ଛାଡ଼ପତ୍ର ହୋଇଯାଇଥିଲା । ପରେ ସେ ଆଡ଼ଭୋକେଟ ଜୟ ଅନନ୍ତ ଦେହଦ୍ରାଇଙ୍କ ସହ ରିଲେସନସିପରେ ଥିଲେ ।