ହିଡମା ଘର ଭାଙ୍ଗି ଗୁଣ୍ଡ କଲେ ଗ୍ରାମବାସୀ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗାଁଲୋକଙ୍କୁ ନାକରେ କନ୍ଦାଉଥିବା ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା ଓ ଦେବାର ଘରକୁ ଭାଙ୍ଗି ଗୁଣ୍ଡ କରି ଦେଇଛନ୍ତି ଗ୍ରାମବାସୀ । ସେନା ସହଯୋଗରେ ଗାଁଲୋକେ ଏହି ପଦକ୍ଷେପ ନେଇଛନ୍ତି । ଦୀର୍ଘଦିନ ହେଲା ଗ୍ରାମବାସୀଙ୍କୁ ନିର୍ଯାତନା ଦେଉଥିବା ଏହି ଦୁଇ ନକ୍ସଲଙ୍କ ବିରୋଧରେ ଆଜି ନିଜର ଉଗ୍ରରୂପ ଦେଖାଇଛନ୍ତି ଗ୍ରାମବାସୀ । ଉଭୟେ ସ୍ଥାନୀୟ ଅଞ୍ଚଳକୁ ନିଜ କବଜାରେ ରଖିବା ସହ ଲୋକଙ୍କୁ ଭୟଭୀତ କରି ରଖିଥିଲେ । ହିଡମା ନିଜ ଗାଁ ଲୋକଙ୍କୁ ସବୁବେଳେ ଡରାଇ ଧମକାଇ ରଖିଥିବା ବେଳେ ବହୁ ଲୋକ ଗାଁ ଛାଡି ଚାଲି ଯାଇଥିଲେ । ମାତ୍ର ଏବେ ସୁରକ୍ଷାକର୍ମୀ ଏହି ଗାଁ ସହ ଅନ୍ୟ ଆଖପାଖ ଗାଁର ସୁରକ୍ଷା ଦେବା ପରେ ଲୋକେ ଗାଁକୁ ଫେରିଛନ୍ତି । ସୁରକ୍ଷାକର୍ମୀ କ୍ୟାମ୍ପ କରିବା ପରେ ହିଡମା ବହୁ ଦିନ ହେବ ଗାଁକୁ ନ ଫେରି ଜଙ୍ଗଲରେ ଆଡ୍ଡା ଜମାଇଛି । ସେହିପରି ଦେବାର ଘର ମଧ୍ୟ ପୂବର୍ତ୍ତୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଗ୍ରାମବାସୀଙ୍କ ମଧ୍ୟରେ ଚାପି ହୋଇ ରହିଥିବା ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିବା ବେଳେ ସେମାନେ ସେନା ସହଯୋଗରେ ହିଡମା ଓ ଦେବାର ଘରକୁ ଭାଙ୍ଗି ଚୁରମାର କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୪ ଦଶନ୍ଧି ଧରି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଥିଲେ ଏହି ଦୁଇ ନକ୍ସଲ ।