ଏକଡାଳୀରେ ଉଡ଼ା ଯାତ୍ରା
ବିଶୋଇ: ମୟୁରଭଂଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଏକଡ଼ାଳୀ ଗ୍ରାମରେ ଧୁମ୍ଧାମରେ ଉଡାଯାତ୍ରା ପାଳିତ ହୋଇଯାଇଛି । କେଉଁ ଆବହମାନ କାଳରୁ ଏହି ଉଡାଯାତ୍ରା ଆଦିବାସୀଙ୍କ ସଂସ୍କୃତି ସହ ଜଡ଼ିତ ହୋଇଥିବାବେଳେ ଗ୍ରାମବାସୀ ଖୁବ୍ ନିଷ୍ଠାର ସହ ପାଳିଥାନ୍ତି ଏହି ଯାତ୍ରାକୁ । ପ୍ରତୁ୍ୟଷରୁ ବାବା ଜଳେଶ୍ୱରଙ୍କ ପୀଠରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ନିକଟସ୍ଥ ବାଙ୍କବଳ ଜଳାଶୟରେ ଘାଟ ପୂଜାର୍ଚ୍ଚନା ସାଙ୍ଗକୁ ଶୁଭଝଣ୍ଡା ସ୍ଥାପନ କରି ଭକ୍ତାମାନେ ନାଚିନାଚି ବାବା ଜଳେଶ୍ୱରଙ୍କ ପୀଠରେ ପହଞ୍ଚô ମନ୍ଦିର ପରିକ୍ରମା କରି ବାବାଙ୍କ ଆଶିଷ ଲୋଡିଥିଲେ । ଜଳାଶୟରୁ ଆସିଥିବା କଳସ ବାବା ଜଳେଶ୍ୱରଙ୍କ ପୀଠରେ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ । ଲୋକକଥା ଅନୁଯାୟୀ ବହୁ ବର୍ଷ ପୂର୍ବେ ଗାଁର କିଛି ଲୋକ ଜାଲ ଧରି ମାଛ ଧରିବାକୁ ଜଳାଶୟକୁ ଯାଇ ବାରମ୍ବାର ମାଛ ବଦଳରେ ଜାଲରେ ତିନିଗୋଟି ପଥର ପଡ଼ିବା ପରେ ଗାଁ ଲୋକେ ନିରାଶ ହୋଇ ଘରକୁ ଫେରିଥିଲେ । ରାତିରେ ସପ୍ନ ରେ ଆଦେଶ ହେବା ପରଠୁ ବାବାଙ୍କ ଆସ୍ଥାନ ଏଇଠି । କାଳକ୍ରମେ ବାବା ଜଳେଶ୍ୱରଙ୍କ ସାନିଧ୍ୟ ଲଭିବାକୁ ଉଡା ଯାତ୍ରା ଆରମ୍ଭ ହୋଇଥିଲା । ବାବାଙ୍କୁ ଜଳ ମଧ୍ୟରୁ ଆଣିଥିବାରୁ ବାବା ଜଳେଶ୍ୱର ଭାବେ ବିଦିତ । ମାନସିକଧାରୀଙ୍କ ମନସ୍କାମନା ପୂରଣ ହେଉଥିବା ଯୋଗୁଁ ଦୂରଦୂରାନ୍ତରୁ ଭକ୍ତ ଛୁଟି ଆସନ୍ତି ବାବା ଜଳେଶ୍ୱରଙ୍କ ପୀଠକୁ । ଅପରାହ୍ନରେ ବାବା ଜଳେଶ୍ୱରଙ୍କୁ ପୂଜା କରି ମାନସିକଧାରୀ ପାଟୁଆମାନେ ନାଚି ନାଚି ବେଢ଼ା ପରିକ୍ରମା ପରେ ଉଡା ସ୍ଥଳକୁ ପହଞ୍ଚôଥିଲେ । ସେଠାରେ ପାଟୁଆମାନେ ବାବାଙ୍କ ଆଶ୍ରିତ ହୋଇ ଶରୀରକୁ ଏକ ଖୁଣ୍ଟରେ ଧୋତି ସାହାଯ୍ୟରେ ବାନ୍ଧି ଭୂମି ଠାରୁ ୩୦/୪୦ ଫୁଟ ଉପରେ ୫/୭ ଘେରା ଉଡ଼ିଥିଲେ ।