ଏକର ଏକର ଜମିରେ ନଷ୍ଟ ହେଉଛି ଚାରା : ପାଣିରେ ପଡ଼ିଲା କୋଟି କୋଟି ଟଙ୍କା
ମାଲକାନଗିରି: ମାଲକାନଗିରି: ସରକାରୀ ଅର୍ଥରେ ହୋଇଥିବା କୋଟି କୋଟି ଟଙ୍କାର କାଜୁ ଗଛ ରୋପଣ କାର୍ଯ୍ୟ ବର୍ତ୍ତମାନ ପାଣିରେ ପଡିଛି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ରୋଜଗାର କ୍ଷମ କରିବା ପାଇଁ ମନରେଗା ଯୋଜନାରେ ହୋଇଥିବା ଏକର ଏକର ଜମିରେ କୋଟି କୋଟି ଟଙ୍କାର ବୃକ୍ଷ ରୋପଣ କାର୍ଯ୍ୟ ସ୍ଥଳ ବର୍ତ୍ତମାନ ଅବହେଳିତ ହୋଇ ପଡି ରହିଥିବା ବେଳେ ଅନେକ ସ୍ଥାନରେ ଗଛ ଗୁଡିକ ନିଆଁ ଲାଗି ଜଳି ଯାଇଥିବା ଅଭିଯୋଗ ହୋଇଛି । ଜଳ ବିଭାଜିକା ବିଭାଗ ପକ୍ଷରୁ ହୋଇଥିବା ଏହି ବୃକ୍ଷରୋପଣ କାର୍ଯ୍ୟ ପାଣିରେ ପଡିଥିବା ବେଳେ ଏଥିପାଇଁ ବିଭାଗୀୟ ଅଧିକାରୀ କିପରି ନିରବ ବସିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ଜଳ ଛାୟା ବିଭାଗ ପକ୍ଷରୁ ଚାଲିଥିବା ୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ମାଲକାନଗିରି ଜିଲ୍ଲାର ୭ଟି ବ୍ଲକରେ ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ କାମ ଚାଲିଥିଲା । ତେବେ ଏସବୁ କାର୍ଯ୍ୟକୁ ମନରେଗା ଯୋଜନା ମାଧ୍ୟମରେ ହୋଇଥିବା ବେଳେ ବିଭାଗରେ କାର୍ଯ୍ୟରତ ମନରେଗା ସହାୟକମାନେ ଏହି କାର୍ଯ୍ୟ ଗୁଡିକର ଦାଇତ୍ୱ ନେଇଥିଲେ । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାଜୁ ଚାରାରୋପଣ, ପୋଖରୀ ଖନନ, ଜମି ସମତଳ କରିବା, ଟ୍ରେଞ୍ଚ କମ୍ ବଣ୍ଡ ଭଳି କାର୍ଯ୍ୟ ଶ୍ରମିକମାନଙ୍କ ଦ୍ୱାରା କରାଉଥିଲେ । ତେବେ ଗତ ଡିସେମ୍ବର ମାସରୁ ମାଷ୍ଟର୍ ରୋଲ୍ ନବାହାରିବାରୁ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରାଯାଇପାରୁନାହିଁ । ଏଥିସହ ମାର୍ଚ୍ଚ ୩୧ରେ ସରକାର ସମସ୍ତ ମନରେଗା ସହାୟକ ମାନଙ୍କୁ କାର୍ଯ୍ୟରୁ ଛଟେଇ କରିଦେଇଥିଲେ । ଯାହାଫଳରେ ୨୨୧୦ ହେକ୍ଟର ଜମି ହୋଇଥିବା ବୃକ୍ଷରୋପଣ ସହ ବିଭିନ୍ନ କାର୍ଯ୍ୟ ଏବେ ଜିଲ୍ଲାରେ ଅଧାପନ୍ତରିଆ ପଡ଼ି ରହିଛିଜ୍ଝ କାଜୁ ଚାରା ଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରୁନାହିଁ । ଏପରିକି ଜଗୁଆଳି ବି କାମ ଛାଡ଼ି ଦେଇଥିବା ଜଣାପଡ଼ିଛି । ଗତ ଚାରି ମାସରୁ ଊର୍ଦ୍ଧ୍ୱ ହେଲା ମଜୁରୀ ଟଙ୍କା ନମିଳିବାରୁ ଶ୍ରମିକମାନେ ଏବେ ଦାଦନ ମୁହାଁ ହେଲେଣି । ଯାହାକୁ ରୋକିବାରେ ସରକାର ଏବଂ ଜିଲ୍ଲା ପ୍ରଶାସନ ବିଫଳ ହୋଇଛି । ଯେଉଁ କର୍ମଚାରୀମାନେ ଦୀର୍ଘ ବର୍ଷ ଧରି ଜଳ ବିଭାଜିକା ତଥା ମୂର୍ତ୍ତିକା ସଂରକ୍ଷଣ ବିଭାଗର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରିଆସୁଥିଲେ ସେମାନେ ଏବେ ପରିବାର ପ୍ରତିପୋଷଣ କରିବାରେ ବହୁ କଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳ ବିଭାଜିକାର ମନରେଗା ସହାୟକମାନଙ୍କୁ ପୁଣି ଚଳିତ ମାସ କାର୍ଯ୍ୟରେ ଯୋଗଦେବା ପାଇଁ ର୍ନିେଶ ଦେଇଥିବା ବେଳେ ମାଲକାନଗିରି ଭଳି ପଛୁଆ ଅଞ୍ଚଳରେ କାର୍ଯ୍ୟରତ ଥିବା ମନରେଗା ସହାୟକମାନେ ଏବେ କଣ କରିବେ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟଦିଗରେ ଶ୍ରମିକମାନେ ମଧ୍ୟ ନିଜ ପାରିଶ୍ରମିକ ଟଙ୍କା ନପାଇ ହଇରାଣ ହେଉଥିବାରୁ ଆଗାମୀ ଦିନରେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଦିବାସୀ ବହୁଳ ଜିଲ୍ଲାରେ ମନରେଗା ଦ୍ୱାରା ଶ୍ରମିକ ମାନେ କିଛି ମାତ୍ରାରେ ଲାଭବାନ ହେଉଥିବା ବେଳେ ବର୍ତ୍ତମାନ ଏହି ମନରେଗା ସହାୟକ ମାନଙ୍କୁ କାର୍ଯ୍ୟରୁ ଛଟେଇ ପରେ ଶ୍ରମିକଙ୍କ ପାଇଁ କାର୍ଯ୍ୟ ମିଳିବା ଆହୁରି କଷ୍ଟକର ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅପର ପଟେ ଅଧିକରୁ ଅଧିକ ଯୁବ ପିଢିଙ୍କୁ ଚାକିରୀ ଦେବା ପାଇଁ ନାରା ଦିଆଯାଇ ଥିବା ବେଳେ କିପରି ମାଲକାନଗିରି ଜିଲ୍ଲାର ୨୧ ଜଣ ମନରେଗା ସହାୟକ ମାନଙ୍କୁ ଏତେ ବର୍ଷ କାର୍ଯ୍ୟ ପରେ ଚାକିରୀରୁ ଛଟେଇ କଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।