ଜିଏମୟୁରେ ବିଶ୍ୱ ଐତିହ୍ୟ ଦିବସ 

 ସମ୍ବଲପୁର : ପ୍ରାଚୀନ କୀର୍ତ୍ତିରାଜି ଗୋଟିଏ ଅଞ୍ଚଳର ତଥା ସମାଜର ଗୋତ୍ର, ଅର୍ଥାତ ପରିଚୟର ଆଧାର ଅଟେ ବୋଲି ଆଜି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଜିଏମୟୁର ଇତିହାସ ବିଭାଗରେ ପାଳିତ ବିଶ୍ୱ ଐତିହ୍ୟ ଦିବସ ଅବସରରେ ଅଭିଷେକ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ଗବେଷକ ଦୀପକ କୁମାର ପଣ୍ଡା କହିଛନ୍ତି । ସେ କହିଲେ ଯେ,କୌଣସି ସ୍ଥାନ ସମ୍ପର୍କରେ ଉଲ୍ଲେଖ କରିବା ମାତ୍ରେ ସ୍ୱତଃ ସେ ସ୍ଥାନର ଐତିହ୍ୟ ଆଖି ଆଗରେ ଭାସି ଆସେ  । ଯେଭଳି ସମ୍ବଲପୁର ର ନାମୋଲ୍ଲେଖ ମାତ୍ରେ ସମଲେଶ୍ୱରୀ ମନ୍ଦିର, ହୀରାକୁଦ ଜଳଭଣ୍ଡାର, ସମ୍ବଲପୁରୀ ବସ୍ତ୍ର, ସମ୍ବଲପୁରୀ ନୃତ୍ୟ ଆଖି ଆଗରେ ନାଚି ଉଠେ  । କେବଳ ନିର୍ମାଣଗତ ଢାଞ୍ଚା ଐତିହ୍ୟ ଶ୍ରେଣୀଭୁକ୍ତ ନୁହେଁ, କଳା ସଂସ୍କୃତି ପରମ୍ପରା ମଧ୍ୟ ଐତିହ୍ୟ ପଦବାଚ୍ୟ । ତେଣୁ ପ୍ରାଚୀନ କୀର୍ତ୍ତିରାଜିର ମହତ୍ତ୍ୱ ସମ୍ପର୍କରେ ଆମେ ସଚେତନ ହେବା ଆବଶ୍ୟକ  । ସେ କହିଲେ ମନ୍ଦିର ରାଜି, ରାଜପ୍ରାସାଦର ଅବଶେଷ, ବ୍ରିଟିଶକାଳୀନ କୋଠା, ପ୍ରାଗ ଐତିହାସିକ ଅବଶେଷ, ଶୈଳାଶ୍ରୟ ଆଦି ସାଙ୍ଗକୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବଲପୁର ମହାସଂଗ୍ରାମ କାଳରେ ବୀର ସୁରେନ୍ଦ୍ର ସାଏ ତଥା ସାଥିଙ୍କ ଦ୍ୱାରା ନିର୍ମିତ ଦୁର୍ଗ ଗୁଡ଼ିକ ଏ ଅଞ୍ଚଳର ଐତିହାସିକ ବିଶେଷତ୍ୱ ଅଟେ  । ଦୁର୍ଗ ଗୁଡ଼ିକର ନିର୍ମାଣ ଶୈଳୀ କିମ୍ବା ଏହାର ଆକାର ଯୋଗୁଁ ନୁହେଁ,ଏଗୁଡ଼ିକ ବହନ କରିଥିବା ଶୌର୍ଯ୍ୟ ଓ ବଳିଦାନର ଗାଥା ଯୋଗୁଁ ଦୁର୍ଗ ଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଶ୍ରୀ ପଣ୍ଡା ରକ୍ତତୀର୍ଥ କୁଦୋପାଲି ଦୁର୍ଗରେ  ରହିଥିବା ଘଟଣାବଳୀ ସମ୍ପର୍କରେ ବିଶେଷ ଭାବରେ ବର୍ଣ୍ଣନା କରିଥିଲେ  । ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡ଼ ଅତୁଲ ପ୍ରଧାନ ଐତିହ୍ୟର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ଇତିହାସ ଶିକ୍ଷାକୁ କାହିଁକି ଶ୍ରେଣୀଗୃହ ମଧ୍ୟରେ ସୀମିତ ନରଖି  ଛାତ୍ର ଛାତ୍ରୀଙ୍କୁ ସ୍ଥାନୀୟ ଐତିହ୍ୟ ସହିତ ପରିଚିତ କରାଯାଉଛି ସେ ବାବଦରେ ଆଲୋଚନା କରିଥିଲେ  ।