ଏଚଏଲସିଏ ବୈଠକ : ୫୫୭୮୩ କୋଟିର ନିବେଶକୁ ମଞ୍ଜୁରୀ
-
ଢେଙ୍କାନାଳରେ ହେବ ମେଗା ଷ୍ଟିଲ୍ ପ୍ଳାଣ୍ଟ
-
ଜେଏସଡବ୍ଳ୍ୟୁ ନିବେଶ କରିବ ୩୫ ହଜାର କୋଟି
-
୧୪୫୦୦ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଚଏଲସିଏ ବୈଠକରେ ୫୫୭୮୩ କୋଟିର ୭ ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୧୪୫୦୦ରୁ ଉଦ୍ଧ୍ୱର୍ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ବୈଠକରେ ଅନୁମୋଦିତ ୭ ପ୍ରକଳ୍ପ ମଧ୍ୟରୁ ସର୍ବବୃହତ୍ ପ୍ରକଳ୍ପ ହେଉଛି, ଜେଏସଡବ୍ଳ୍ୟୁର ମାଲିକାନାରେ ଥିବା ସାଫ୍ରନ ରିସୋର୍ସେସ କମ୍ପାନୀର ଇସ୍ପାତ ପ୍ଳାଣ୍ଟ । ଢେଙ୍କାନାଳରେ ପ୍ରତିଷ୍ଠିତ ହେବାକୁ ଥିବା ଏହି କାରଖାନା ପାଇଁ ୩୫ ହଜାର କୋଟି ନିବେଶ ହେବ । ଯେଉଁଥିରେ ୮ ହଜାର ଲୋକ ନିଯୁକ୍ତି ପାଇପାରିବେ ।
ଅପରପକ୍ଷରେ ଗଞ୍ଜାମରେ ଜିନ୍ଦଲ ପଲି ଫିଲ୍ମ କମ୍ପାନୀ ଏକ ଟିଟାନିୟମ୍ ଡାଇଅକ୍ସାଇଡ଼ ପିଗମେଣ୍ଟ ପ୍ଳାଣ୍ଟ ପ୍ରତିଷ୍ଠା କରିବ । ୧୨ ହଜାର କୋଟି ନିବେଶରେ ହେବାକୁ ଥିବା ଏହି କାରଖାନାରେ ୪ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଗଞ୍ଜାମରେ ହେବାକୁ ଥିବା ଟାୟାର କାରଖାନା ପାଇଁ ୧୬୯୭ କୋଟି ଟଙ୍କା ନିବେଶ ହେବ । ଖୋର୍ଦ୍ଧାରେ ସାନକୋଡ଼ ସେମି ପ୍ରାଇଭେଟ ଲିମିଟେଡ଼ ଏକ ସେମିକଣ୍ଡକ୍ଟର କାରଖାନା କରିବ । ଯେଉଁଥିପରେ ୧୬୫୦ କୋଟି ଟଙ୍କା ନିବେଶ ହେବ । ଢେଙ୍କାନାଳରେ ଆଇନକ୍ସ ଏୟାର ପ୍ରଡ଼କ୍ଟସ କମ୍ପାନୀ ପକ୍ଷରୁ ଏକ ଏୟାର ସେପାରେସନ୍ ୟୁନିଟ୍ ପ୍ରତିଷ୍ଠା ହେବ । ୧୩ ଶହ କୋଟି ଟଙ୍କା ନିବେଶ କରାଯିବ । ଏତଦବ୍ୟତୀତ କେନ୍ଦୁଝରରେ ଫେରୋ ଆଲୟଜ କର୍ପୋରେସନ୍ ୨ ହଜାର କୋଟି ଟଙ୍କା ନିବେଶରେ ଫେରୋ ମାଙ୍ଗାନିଜ୍, ସିଲିକୋ ମାଙ୍ଗାନିଜ କାରଖାନା କରିବାର ଥିବାବେଳେ ଢେଙ୍କାନାଳରେ ଜିଏମଆର କମଳାଙ୍ଗ ଏନର୍ଜି ଲିମିଟେଡ଼୍ ଏକ ଥର୍ମାଲ ପାୱାର ପ୍ଳାଣ୍ଟ ପ୍ରତିଷ୍ଠା କରିବ । ଏଥିପାଇଁ ୨୧୩୬ କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟ ରହିଛି । ଏହିସବୁ ପ୍ରକଳ୍ପକୁ ଏଚଏଲସିଏ ଅନୁମୋଦନ କରିଛନ୍ତି ।
Samir Kumar Rout