ଜିଲ୍ଲା କୋର୍ଟଙ୍କୁ ମିଛ ବୋମା ଧମକ
-
ପୁଲିସ ପକ୍ଷରୁ ଏସଓପି ଜାରି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-
ପୁଲିସ ବମ୍ ଚିହ୍ନଟ ଓ ନିଷ୍କ୍ରିୟକରଣ ସ୍କ୍ୱାଡ୍ ଆହୁରି ସୁଦୃଢ଼ ହେବ
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଦେଖା ଦେଇଥିବା ମିଛ ବୋମା ଭୟ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛିଯେ, ସମସ୍ତ ବୋମା ଧମକ ମିଛ ଥିଲା । ପୋଲିସର ବମ୍ ଡିଟେକ୍ସନ୍ ସ୍କ୍ୱାଡ୍, କ୍ୟୁଇକ୍ ରିଆକ୍ସନ୍ ଟିମ୍, ସ୍ପେଶିଆଲ ଟାକ୍ଟିକାଲ୍ ୟୁନିଟ୍, ଗୁଇନ୍ଦା ଅଧିକାରୀ ଓ ଅନ୍ୟାନ୍ୟ ସଂସ୍ଥାମାନେ ତୁରନ୍ତ ସଂପୃକ୍ତ ସ୍ଥାନକୁ ଯାଇ ପରିସ୍ଥିତିର ଅନୁସନ୍ଧାନ କରିଥିଲେ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ବୈଠକରୁ ଜଣାଯାଇଛି । ତେବେ ଏହିଭଳି ଧମକ ବାରମ୍ୱାର ଆସିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିପାଇଁ ପୋଲିସ ପକ୍ଷରୁ ଏସଓପି ଜାରି କରିବାକୁ ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଆଲର୍ଟ ହୋଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ବିଭିନ୍ନ ବମ୍ ସ୍କ୍ୱାଡ୍କୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୋମାକୁ ଚିହ୍ନଟ କରିବା ଏବଂ ନିଷ୍କ୍ରିୟ କରିବା, ଏହି ଉଭୟ କାମରେ ଆମର ଦକ୍ଷ ବାହିନୀ ଅଛନ୍ତି । ତେବେ ସେମାନଙ୍କୁ ଆହୁରି ଦକ୍ଷ କରିବା ପାଇଁ ଅତ୍ୟାଧୁନିକ ଟ୍ରେନିଂ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟଯେ, ଆଜି ସକାଳେ ବୋମା ଭୟ ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ତୁରନ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟଯେ, ସମ୍ବଲପୁର, କଟକ ଓ ଦେବଗଡ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ ଆସିଥିବାର ଖବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେବା ସହିତ ଏଥିରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରେ ଉଚ୍ଚସ୍ତରୀୟ ସମୀକ୍ଷା ବେଳେ ବୋମା ଧମକ ମିଛ ବୋଲି ଜଣାପଡ଼ିଥିଲା ।
Samir Kumar Rout