ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ : ପୁଅ ପାଇଁ ଦାନ କରିବେ ୭୫% ସମ୍ପତ୍ତି
ନୂଆଦିଲ୍ଲୀ : କୋଟିପତି ଶିଳ୍ପପତି ତଥା ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ତାଙ୍କ ପୁଅ ଅଗ୍ନିବେଶଙ୍କ ଆମେରିକାରେ ହଠାତ୍ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିର ୭୫% ରୁ ଅଧିକ ସମାଜକୁ ଦାନ କରିବାକୁ ଘୋଷଣା କରିଛନ୍ତି । ଏହାକୁ ତାଙ୍କ ଜୀବନର "ସବୁଠାରୁ କଳା ଦିନ’ ବୋଲି ଅଭିହିତ କରି ଅନିଲ କହିଛନ୍ତି ଯେ ତାଙ୍କ ୪୯ ବର୍ଷୀୟ ପୁଅ ଏକ ସ୍କିଇଂ ଦୁର୍ଘଟଣାରେ ହୋଇଥିବା ଆଘାତରୁ ସୁସ୍ଥ ହେବା ସମୟରେ ହଠାତ୍ ହୃଦଘାତରେ ଚାଲିଗଲା । ଅଗ୍ନିବେଶ ନ୍ୟୁୟର୍କର ମାଉଣ୍ଟ ସିନାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ପରିବାର ବିଶ୍ୱାସ କରୁଥିଲେ ଯେ ସେ ସୁସ୍ଥ ହେବା ରାସ୍ତାରେ ଅଛନ୍ତି । ଆମେ ବିଶ୍ୱାସ କରୁଥିଲୁ ଯେ ସବୁଠାରୁ ଖରାପ ସମୟ ପଛରେ ଥିଲା । କିନ୍ତୁ ଭାଗ୍ୟର ଅନ୍ୟ ଯୋଜନା ଥିଲା ବୋଲି ଅନିଲ ଏକ ଗଭୀର ଭାବପ୍ରବଣ ବିବୃତ୍ତିରେ କହିଛନ୍ତି । ପୁଅକୁ ହରାଇବାର ଦୁଃଖ ପରିବାରକୁ ଭାଙ୍ଗି ଦେଇଛି । ବାପା ଥାଉ ଥାଉ ପୁଅ ଚାଲିଯିବାକୁ ଅନିଲ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
୧୯୭୬ ମସିହା ଜୁନ୍ ୩ ତାରିଖରେ ପାଟନାରେ ଜନ୍ମଗ୍ରହଣ କରିଥିବା ଅଗ୍ନିବେଶ ଏକ ମଧ୍ୟବିତ୍ତ ବିହାରୀ ପରିବାରରେ ବଢ଼ିଥିଲେ । ଏକ ସଫଳ ବୃତ୍ତିଗତ ଯାତ୍ରା କରିଥିଲେ । ମାୟୋ କଲେଜରେ ଶିକ୍ଷାଲାଭ କରି ସେ ପରେ ମେଟାଲ ବ୍ୟବସାୟରେ ଏକ ସର୍ବୋତ୍ତମ କମ୍ପାନୀ ଫୁଜେଇରାହ ଗୋଲ୍ଡ ନିର୍ମାଣ କଲେ ଏବଂ ହିନ୍ଦୁସ୍ତାନ ଜିଙ୍କ୍ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କଲେ । ଏତେ ବଡ ସଫଳତା ସତ୍ତେ୍ୱ ଅନିଲ କହିଛନ୍ତି ଯେ ତାଙ୍କ ପୁଅ ସରଳ, ସ୍ନେହପୂର୍ଣ୍ଣ ଓ ଗଭୀର ମାନବବାଦୀ ଥିଲେ । ଜଣେ କ୍ରୀଡାବିତ୍, ସଂଗୀତଜ୍ଞ, ନେତା ଓ ଜଣେ ବିଶ୍ୱସ୍ତ ସହକର୍ମୀ ଭାବରେ ଜଣାଶୁଣା । ମୋ ପାଇଁ, ସେ କେବଳ ପୁଅ ନଥିଲେ । ସେ ମୋର ବନ୍ଧୁ ଥିଲେ । ମୋର ଗର୍ବ । ମୋର ଦୁନିଆ ବୋଲି ଅନିଲ କହିଛନ୍ତି । ଆହୁରି ମଧ୍ୟ ସେ ଓ ତାଙ୍କ ପତ୍ନୀ କିରଣ ଏହି ଦୁଃଖ ସହିବାକୁ ସଂଘର୍ଷ କରୁଛନ୍ତି ବୋଲି କହିଛନ୍ତି । ତାଙ୍କ ବାର୍ତ୍ତାରେ ଅନିଲ ରେଖାଙ୍କିତ କରିଛନ୍ତି ଯେ ଏହି ଦୁଃଖଦ ଘଟଣା ତାଙ୍କ ପୁଅ ସହିତ ସେୟାର କରିଥିବା ଦାନଶୀଳ ଦୃଷ୍ଟିକୋଣକୁ ଜାରି ରଖିବା ପାଇଁ ତାଙ୍କର ସଂକଳ୍ପକୁ ଆହୁରି ଦୃଢ଼ କରିଛି । ଆମେ ଏକ ସ୍ୱପ୍ନ ଭାଗ କରିଥିଲୁ ଯାହା ନିଶ୍ଚିତ କରିବା ପାଇଁ ଯେ କୌଣସି ପିଲା ଭୋକିଲା ନ ଶୋଇବ, କୌଣସି ପିଲା ଶିକ୍ଷାରୁ ବଞ୍ଚିତ ନ ହେବ, ପ୍ରତ୍ୟେକ ମହିଳା ନିଜ ଗୋଡ଼ରେ ଠିଆ ହେବେ ଓ ପ୍ରତ୍ୟେକ ଯୁବ ଭାରତୀୟଙ୍କ ପାଖରେ ଅର୍ଥପୂର୍ଣ୍ଣ କାମ ରହିବ ।
ମୁଁ ଅଗ୍ନିଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଆମେ ଯାହା ରୋଜଗାର କରୁ ତାହାର ୭୫% ରୁ ଅଧିକ ସମାଜକୁ ଫେରାଇ ଦିଆଯିବ । ଆଜି ମୁଁ ସେହି ପ୍ରତିଶ୍ରୁତିକୁ ନବୀକରଣ କରୁଛି ଓ ଏକ ସରଳ ଜୀବନ ବଞ୍ଚିବାକୁ ସଂକଳ୍ପ କରୁଛି ବୋଲି ଅନିଲ କହିଛନ୍ତି ।ବେଦାନ୍ତ ଗ୍ରୁପ୍ ପ୍ରତିଷ୍ଠାତା ଆହୁରି କହିଛନ୍ତି ଯେ, ଦୁଃଖରେ ମଧ୍ୟ ପରିବାର ବେଦାନ୍ତରେ କାମ କରୁଥିବା ହଜାର ହଜାର ଯୁବକଙ୍କଠାରୁ ଶକ୍ତି ପାଉଛି, ଯେଉଁମାନଙ୍କୁ ସେ ଏକ ବିସ୍ତୃତ ପରିବାର ଭାବରେ ବର୍ଣ୍ଣନା କରିଥିଲେ । ତାଙ୍କ ଆଗରେ ବହୁତ ଜୀବନ ଥିଲା । ଏପର୍ଯ୍ୟନ୍ତ ଅନେକ ସ୍ୱପ୍ନ ବଞ୍ଚିବା ବାକି ଅଛି ବୋଲି ଅନିଲ କହିଛନ୍ତି । ଅଗ୍ନିବେଶ ତାଙ୍କ ପ୍ରେରଣାଦାୟୀ କାମ ଓ ତାଙ୍କ ସ୍ପର୍ଶ କରିଥିବା ଜୀବନ ମାଧ୍ୟମରେ ବଞ୍ଚି ରହିବେ । ମୁଁ ଜାଣିନାହିଁ ଯେ ତୁମ ବିନା ଏହି ରାସ୍ତାରେ କିପରି ଚାଲିବି । ସେ ତାଙ୍କ ପୁଅକୁ ଏକ ଶେଷ ବାର୍ତ୍ତାରେ ଲେଖିଛନ୍ତି ଯେ, କିନ୍ତୁ ମୁଁ ତୁମର ସ୍ୱପ୍ନକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବି ।
Samir Kumar Rout