ଏସଆଇ ନିଯୁକ୍ତି କେଳେଙ୍କାରୀ : ମୁନା ମହାନ୍ତି ଗିରଫ

ଏସଆଇ ନିଯୁକ୍ତି କେଳେଙ୍କାରୀ  : ମୁନା ମହାନ୍ତି ଗିରଫ
  • ପ୍ରେମିକା ଓ ସାନଭଉଣୀ ଅଟକ
  • ବାବୁଙ୍କର ଛାତି ଧଡ଼ଧଡ଼

ଭୁବନେଶ୍ୱର : ପୁଲିସ ଏସଆଇ ନିଯୁକ୍ତି କେଳେଙ୍କାରୀର ପ୍ରମୁଖ ଦଲାଲ ମୁନା ମହାନ୍ତିର ଲୁଚକାଳି ଖେଳ ଶେଷ ହୋଇଛି । କ୍ରାଇମବ୍ରାଞ୍ଚ ସହ ଗତ କିଛିଦିନ ଧରି ଲୁଚକାଳି ଖେଳୁଥିବା ମୁନା ନାଁରେ ଲୁକଆଉଟ ବି ଜାରି ହୋଇଥିଲା । ହେଲେ ଆଜି ସେମାନଙ୍କୁ ଠାବ କରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି । ପ୍ରଥମେ ଖସି ଯାଇଥିବା ମୁନାକୁ କିନ୍ତୁ ଶେଷରେ ପୁଲିସ୍‌ ବାନ୍ଧିବାରେ ସମର୍ଥ ହୋଇଛି । ଅପରପକ୍ଷରେ ମୁନାର ପ୍ରେମିକା ଓ ସାନ ଭଉଣୀକୁ ଅଟକ ରଖାଯାଇଥିବା ଜାଣିବାକୁ ମିଳିଛି  । କ୍ରାଇମବ୍ରାଞ୍ଚ ଗିରଫ କରିଥିବା ତିନି ଅପରାଧି ହେଉଛନ୍ତି ମୁନା ମହାନ୍ତି, ସୁକାନ୍ତ ମହାରଣା ଓ ଶ୍ରୀକାନ୍ତ ମହାରଣା । ଏମାନେ ଦଶପଲ୍‌୍ଲାରେ ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ଫାର୍ମ ହାଉସରେ ଲୁଚିଥିଲେ ।

   ଏସଆଇ ନିଯୁକ୍ତି କେଳେଙ୍କାରୀର ମୋଷ୍ଟ ୱାଣ୍ଟେଡ଼ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କୁ ଖୋଜିଖୋଜି କ୍ରାଇମବ୍ରାଞ୍ଚ ନୟାନ୍ତ ହୋଇ ଯାଇଥିଲା । ଆଜି ମୁନା ଦଶପଲାରେ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲା । କିନ୍ତୁ ଏହା ପୂର୍ବରୁ ସେ ଖସିଯିବାରେ ସଫଳ ହୋଇଥିଲା । ଫଳରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନଭିନ କରାଯାଇଥିଲା । ଶେଷରେ ଦଶପଲ୍ଲାର ଜଣେ ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ଘରେ ସେ ଲୁଚିଥିବାର ଖବର ମିଳିଥିଲା । ଏହା ସ୍ପଷ୍ଟ ହେବାପରେ ଅଚାନକ କ୍ରାଇମବ୍ରାଞ୍ଚ ଚଢ଼ାଉ କରିବାରୁ ସେମାନେ ଖସିବାର ବାଟ ପାଇନଥିଲେ । ମୁନାର ଖାସ୍‌ ସହଯୋଗୀ ସୁକାନ୍ତ ମହାରଣା ଓରଫ ରିଙ୍କୁ ଓ ଶ୍ରୀକାନ୍ତକୁ ବି ଗିରଫ କରାଯାଇଛି । ସେମାନଙ୍କୁ ଆସନ୍ତାକାଲି ବ୍ରହ୍ମପୁରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯିବ।

  ଏସଆଇ କେଳେଙ୍କାରୀରେ ଅନେକ ବଡ଼ ବଡ଼ ବାବୁଙ୍କର ସଂପୃକ୍ତି ଥିବା ଅନୁମାନ କରାଯାଉଛି । ତେଣୁ ଶଙ୍କର ଓ ମୁନାକୁ ଧରିବା ପରେ ହିଁ ସେମାନଙ୍କ ଠିକଣା ମିଳିବ ବୋଲି କୁହାଯାଉଥିଲା । ଏବେ ମୁନାକୁ ଗିରଫ କରାଯାଇଥିବାରୁ ତା’ଠୁ ଖିଅ ପାଇ ଖୁବ୍‌ଶୀଘ୍ର ଶଙ୍କର ବି ଧରାହେବ । ଅପରପକ୍ଷରେ ମୁନା ଧରାପଡ଼ିଥିବାରୁ କାଳେ କେଉଁ ବାବୁଙ୍କ ନାଁ ନେଇଯିବ ତାହାକୁ ନେଇ କେଳେଙ୍କାରୀରେ ସଂପୃକ୍ତ ଥିବା ବାବୁଙ୍କ ଛାତି ଧଡ଼ଧଡ଼ ହୋଇଯାଇଛି । ସୂଚନାଯୋଗ୍ୟଯେ, ଏସଆଇ କେଳେଙ୍କାରୀ ଏବେ ରାଜ୍ୟ ରାଜନୀତି ଓ ପୁଲିସ୍‌ ପ୍ରଶାସନରେ ଚହଳ ସୃଷ୍ଟି କରିଛି । ଏମିତିକି ଶତାଧିକ ପରୀକ୍ଷାର୍ଥି ଓ ଦଲାଲ ବନ୍ଧା ହୋଇ ଜେଲ୍‌ରେ ଥିବାବେଳେ ଆହୁରି ଶହ ଶହ ପରୀକ୍ଷାର୍ଥୀ ଓ ଦଲାଲଙ୍କୁ ଧରିବା ପାଇଁ ପୁଲିସ୍‌ ଛାନଭିନ କରୁଛି ।