ମୋଦିଙ୍କ ସହ କଥା ହୋଇନଥିଲେ ଟ୍ରମ୍ପ

ମୋଦିଙ୍କ ସହ କଥା ହୋଇନଥିଲେ ଟ୍ରମ୍ପ

ଋଷ ତେଲ କିଣାକୁ ନେଇ କହିଥିଲେ ମିଛ

ନୂଆଦିଲ୍ଲୀ : ରୁଷରୁ ଆଉ ଭାରତ ତେଲ କିଣିବ ନାହିଁ ବୋଲି ଟ୍ରମ୍ପଙ୍କ ଦାବି ପରେ ମୁହଁ ଖୋଲିଛି ଭାରତ । ଭାରତ  ସ୍ପଷ୍ଟ କରିଛି ଯେ ଦେଶର ସ୍ୱାର୍ଥ ହେଉଛି ଆଗ । ଅସ୍ଥିର ବିଶ୍ୱ ଶକ୍ତି ବଜାର ମଧ୍ୟରେ ଆମର ତୈଳ ଆମଦାନୀ ନିଷ୍ପତ୍ତି କେବଳ ଭାରତୀୟ ଗ୍ରାହକମାନଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ଦ୍ୱାରା ପରିଚାଳିତ । ବୁଧବାର ହ୍ୱାଇଟ୍‌ ହାଉସରେ ଭାଷଣ ଦେଇ ଟ୍ରମ୍ପ କହିଥିଲେ ଯେ ଭାରତ ରୁଷ ଅଶୋଧିତ ତେଲ କିଣିବା ବିଷୟରେ ସେ ଖୁସି ନୁହଁନ୍ତି ଓ ମୋଦି ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ରୁଷରୁ ତେଲ କିଣା କିଛି ଦିନ ମଧ୍ୟରେ ଶେଷ ହେବ । ଏହା ଏକ ବଡ଼ ପଦକ୍ଷେପ । ଏବେ ଆମକୁ ଚୀନକୁ ସମାନ କାମ କରିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି । ତେବେ ଭାରତ କହିଛି ଯେ, ଟ୍ରମ୍ପ ଓ ମୋଦିଙ୍କ ଭିତରେ କୌଣସି ଫୋନ କଲ ହୋଇନି କି କିଛି ବି କଥାବାର୍ତ୍ତା ହୋଇନି । ସେ ୟୁକ୍ରେନ୍‌ ଯୁଦ୍ଧ ସହିତ ଭାରତୀୟ ରୁଷୀୟ ତେଲ କ୍ରୟକୁ ମଧ୍ୟ ଯୋଡିଥିଲେ । ସେ (ମୋଦି) ମୋର ଜଣେ ବନ୍ଧୁ, ଆମର ଏକ ଭଲ ସମ୍ପର୍କ ଅଛି । କିନ୍ତୁ ଆମେ ତାଙ୍କ ଦ୍ୱାରା ରୁଷରୁ ତେଲ କିଣିବାରେ ଖୁସି ନଥିଲୁ କାରଣ ଏହା ରୁଷକୁ ଏହି ଯୁଦ୍ଧ ଜାରି ରଖିବାକୁ ଦେଇଛି ବୋଲି ଟ୍ରମ୍ପ କହିଛନ୍ତି ।

    ଏହାର ଜବାବରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୁନର୍ବାର କହିଛି ଯେ ଭାରତର ଶକ୍ତି ନୀତି ଏହାର ଜନସଂଖ୍ୟା ପାଇଁ ସ୍ଥିର ଯୋଗାଣ ଓ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବା ଉପରେ କେନ୍ଦ୍ରିତ । ଭାରତ ତେଲ ଓ ଗ୍ୟାସର ଏକ ଗୁରୁତ୍ୱପୂର୍ଣ୍ଣ ଆମଦାନୀକାରୀ । ଏକ ଅସ୍ଥିର ଶକ୍ତି ପରିସ୍ଥିତିରେ ଭାରତୀୟ ଗ୍ରାହକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଆମର ନିରନ୍ତର ପ୍ରାଥମିକତା ହୋଇଛି । ଆମର ଆମଦାନୀ ନୀତିଗୁଡ଼ିକ ଏହି ଉଦ୍ଦେଶ୍ୟ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପରିଚାଳିତ ବୋଲି ଏମଇଆଇ ମୁଖପାତ୍ର ରଣଧୀର ଜୟସୱାଲ୍‌ କହିଛନ୍ତି । ସେ କହିଛନ୍ତି, ସ୍ଥିର ଶକ୍ତି ମୂଲ୍ୟ ଓ ସୁରକ୍ଷିତ ଯୋଗାଣ ସୁନିଶ୍ଚିତ କରିବା ଆମର ଶକ୍ତି ନୀତିର ଯୁଗ୍ମ ଲକ୍ଷ୍ୟ ହୋଇଛି । ଦେଶ ସାମ୍ପ୍ରତିକ ବର୍ଷଗୁଡ଼ିକରେ ମୂଲ୍ୟ ସୁବିଧା ଏବଂ ଉଚ୍ଚ ବିଶ୍ୱ ମୂଲ୍ୟ ମଧ୍ୟରେ ରୁଷରୁ ଏହାର ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି । ଭାରତ ଗତ ଦଶନ୍ଧି ଧରି ଆମେରିକା ସହିତ ତାହାର ଶକ୍ତି ବାଣିଜ୍ୟକୁ ସ୍ଥିର ଭାବରେ ବିସ୍ତାର କରିଛି ଏବଂ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ଆଲୋଚନା ଚାଲିଛି ବୋଲି ଜୟସୱାଲ କହିଛନ୍ତି ।