ଏସସିବି ନିର୍ମାଣ କାମରେ ବିଳମ୍ବ ଠିକା: ସଂସ୍ଥା ଗଣିବେ ୨୪୬ କୋଟି ତଣ୍ଡ
କଟକ: କଟକ ବଡ଼ ଡାକ୍ତରଖାନାର ନୂଆ କୋଠା ନିର୍ମାଣ ଅବଧିକୁ ଦୁଇ ଠିକା ସଂସ୍ଥା ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି । ଚୁକ୍ତି ଖିଲାପ ହେଉଥିବାରୁ ସଂସ୍ଥା ବିରୁଦ୍ଧରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ୨୪୬କୋଟି ଟଙ୍କା ଜରିମାନା ଲଗାଯାଇଥିବା ଜଣାପଡ଼ିଛି । ସେମାନଙ୍କ ବିଲରୁ ଏହି ଅର୍ଥ କାଟି ଦିଆଯିବ ବୋଲି ଜଣାପଡ଼ିଛି । ଅପରପକ୍ଷରେ ୨୦୨୬ ବର୍ଷ ସୁଦ୍ଧା କାମ ଶେଷ ପାଇଁ ସାନି ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ କରାଯାଇଛି । ବାରମ୍ବାର ଏଭଳି ତାରିଖ ବଦଳୁଥିବାରୁ ଏସସିବି କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧା ବଢ଼ି ଯାଇଛି । କଟକ ବଡ଼ ଡାକ୍ତରଖାନାକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ମୋଟ ୪ହଜାର ୪୦୦କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ । ଏଥିରେ ଜମି ଅଧିଗ୍ରହଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ସ୍ଥାନାନ୍ତର ଇତ୍ୟାଦି ରହିଥିଲା । ତେବେ କୋଠାର ନିର୍ମାଣ ଦାୟିତ୍ୱ ନେଇଥିବା ଓବିସିସିକୁ ଡାକ୍ତରଙ୍କ ଠାରୁ ଆରମ୍ଭ କରି କର୍ମଚାରୀ, ଛାତ୍ରଛାତ୍ରୀଙ୍କ ଆବାସିକ କୋଠା ନିର୍ମାଣ ପାଇଁ ୮୬୪କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହାଛଡ଼ା ଡାକ୍ତରଖାନା ନିର୍ମାଣ ପାଇଁ ୨୬୩୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ୨୦୨୨ ଜାନୁଆରିରେ ଆରମ୍ଭ ହୋଇଥିବା ନିର୍ମାଣ କାମରେ ଏନସିସିକୁ ଆବାସିକ କୋଠା ନିର୍ମାଣ ଓ ଏଲଏନଟିକୁ ଡାକ୍ତରଖାନା କୋଠା ନିର୍ମାଣ ଦାୟିତ୍ୱ ଦିଆଯାଇଛି । ହସପିଟାଲର ୪ଟି କୋଠା ସହିତ ଅତିରିକ୍ତ ୩ଟି କୋଠା ରହିଛି । ଏହା ବାଦ ଟାଉନସେଣ୍ଟର, ଫାୟାର ସେଣ୍ଟର ଇତ୍ୟାଦି ମଧ୍ୟ ରହିଛି । ସେହିଭଳି ଆବାସିକ କୋଠାରେ ୧୩ଟି ଟାୱାର ରହିଛି । ବିଭିନ୍ନ ପାହ୍ୟାର ଡାକ୍ତରଙ୍କ କ୍ୱାର୍ଟର୍ସ, ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ କ୍ୱାର୍ଟର୍ସ, କର୍ମଚାରୀଙ୍କ କ୍ୱାର୍ଟର୍ସ ଇତ୍ୟାଦି ରହିଛି । ତେବେ ଆବାସିକ କୋଠା ୨୦୨୪ ଜାନୁଆରିରେ ଓ ଡାକ୍ତରଖାନା ୨୦୨୪ ଜୁଲାଇରେ ଶେଷ କରିବାକୁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଧାର୍ଯ୍ୟ ତାରିଖ ସୁଦ୍ଧା କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । ପ୍ରାୟ ୪ଥର ତାରିଖ ଘୁଞ୍ଚô ସାରିଲାଣି । ନିକଟରେ ୨ଟି ସଂସ୍ଥାକୁ ରାଜ୍ୟ ସରକାର କଡ଼ା ତାଗିଦ କରିଛନ୍ତି । ସାନି ତାରିଖ ଧାର୍ଯ୍ୟ କରାଯାଇଛି । ଏନସିସିକୁ ୨୦୨୬ ଏପି୍ରଲ ଓ ଏଲଏନଟିକୁ ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏଥିସହିତ ଜରିମାନା ମଧ୍ୟ ଲଗା ଯାଇଛି । ଏଲଏନଟି ଉପରେ ୧୬୦କୋଟି ଟଙ୍କା ଓ ଏନସିସି ଉପରେ ୮୬କୋଟି ଟଙ୍କାର ଜରିମାନା ଲଗାଯାଇଛି । ନିୟମ ଅନୁଯାୟୀ, ଯଦି କୌଣସି ଠିକା ସଂସ୍ଥା ସର୍ତ୍ତ ଅନୁଯାୟୀ ଠିକ ସମୟରେ କାମ ଶେଷ ନକଲା ସଂପୃକ୍ତ କଂପାନୀ ଉପରେ ଚୁକ୍ତି ମୂଲ୍ୟର ଦଶ ପ୍ରତିଶତ ଯାଏ ଜରିମାନା ରାଶି ବୃଦ୍ଧି କରାଯାଇପାରିବ । ସେହି ଆଧାରରେ ଓବିସିସି ଏହି ଜରିମାନା ଆଦାୟ କରୁଛି । ଉଭୟ ସଂସ୍ଥାର ନିୟମିତ ବ୍ୟବଧାନରେ ହେଉଥିବା ବିଲରୁ ଏହି ଜରିମାନା ଆଦାୟ କରାଯାଉଛି । ବାରମ୍ବାର ନିର୍ମାଣ ଅବଧି ଘୁଞ୍ଚାଇବା ଦ୍ୱାରା ଦିନକୁ ଦିନ ବଢ଼ୁଥିବା ରୋଗୀ ସଂଖ୍ୟାକୁ ମୁକାବିଲା କରିବାରେ ବଡ଼ ଆହ୍ୱାନ ସୃଷ୍ଟି ହେଉଛି ।