ରାୟଗଡ଼ାରେ ଭୁଶୁଡ଼ିଲା ବିଜେଡ଼ି : ଭାସ୍କର ଗଢିଲେ ବିଜୁ ସ୍ୱାଭିମାନ ମଞ୍ଚ

ରାୟଗଡ଼ା/ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିଜେଡ଼ି ନେତାମାନେ ଭିକେ ପାଣ୍ଡିଆନ୍ଙ୍କ ଉପରେ ଖାଲି କଥାରେ କଥାରେ ଅସନ୍ତୋଷ ଝାଡ଼ୁଛନ୍ତି  । ହେଲେ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ ଆଜି କାମରେ ଦେଖାଇ ଦେଇଛନ୍ତି  । ଭିକେ ପାଣ୍ଡିଆନ୍ଙ୍କ ଉପରେ କ୍ଷୁବ୍ଧ ହୋଇ ବିଜେଡ଼ିକୁ ବାଏ ବାଏ କରିଛନ୍ତି  । ଖାଲି ସେ ନୁହନ୍ତି, ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ବିଜେଡ଼ି ନେତା ଲାଲବିହାରୀ ହିମିରିକା ଓ ପୂର୍ବତନ ଜିଲ୍ଲା ପରିଷଦ ଗଙ୍ଗାଧର ପୁଆଳା ମଧ୍ୟ ବିଜେଡ଼ି ଛାଡ଼ିଛନ୍ତି  । ତେବେ ଖାଲି ଇସ୍ତଫାରେ ସୀମିତ ନାହାନ୍ତି ଭାସ୍କର  । ବିଜୁ ସ୍ୱାଭିମାନ ମଞ୍ଚ ଗଢ଼ି ସେ ଦଳକୁ ଚ୍ୟାଲେଞ୍ଜ ଦେବାପାଇଁ ବି ପଛାଇ ନାହାନ୍ତି  । ରାୟଗଡ଼ା ବିଜେଡ଼ିରେ ଯେଉଁ ଭୂ-କମ୍ପ ହୋଇଛି, ତାହାର କମ୍ଫନ୍ ଶଙ୍ଖ ଭବନରେ ବି ଅନୁଭବ ହୋଇଛି । 
୨୦୨୪ ନିର୍ବାଚନ ପରଠାରୁ ବିଜୁ ଜନତା ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି  । ପ୍ରତିଦିନ କେହି ନା କେହି ବରିଷ୍ଠ ଅବା ଯୁବନେତା ଦଳ ବିରୋଧରେ ବିଷ ଓଗାଳୁଛନ୍ତି  । ସେମାନଙ୍କ ଟାର୍ଗେଟ୍ରେ ଅଛନ୍ତି ପାଣ୍ଡିଆନ୍  । ବିଜୁ ଜନତା ଦଳକୁ ସମ୍ପୂର୍ଣ୍ଣ ଭାବେ ପରିଚାଳିତ କରିବା ପାଇଁ ପାଣ୍ଡିଆନ୍ ଓ ତାଙ୍କ କୋଟେରୀ ହରଦମ୍ ଲାଗି ପଡ଼ିଛନ୍ତି  । ଯିଏ ଯେତେ ବିରୋଧ କଲେ ବି ତାଙ୍କର ମନମାନୀ ଜାରି ରହିବ ବୋଲି ସତେ ଯେମିତି ପାଣ୍ଡିଆନ୍ ପଣ କରିଛନ୍ତି । ବୋଧହୁଏ ସେ ଭାବିଥିଲେ ତାଙ୍କୁ ବିରୋଧ କରୁଥିବା ନେତାମାନେ ଗଣମାଧ୍ୟମରେ ମୁହଁ ଖୋଲି ଚୁପ୍ହେଇ ବସିପଡ଼ିବେ  । ହେଲେ ରାୟଗଡ଼ାରୁ ଶକ୍ତିଶାଳୀ ଝଟକା ଲାଗିବ ବୋଲି ପାଣ୍ଡିଆନ୍ ଅନୁଭବ କରି ନଥିଲେ ।
ଜଗନ୍ନାଥ ସାରକାଙ୍କୁ ସଭାପତି ଘୋଷଣା ପରେ ଜିଲ୍ଲାରେ ଦୁର୍ବଳ ହୋଇଯାଇଛି ବିଜେଡି ସଂଗଠନ । ଦଳରୁ ଭାସ୍କରଙ୍କ ସହ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ରାଇସିଂ ବିଡିକା, ପୂର୍ବତନ ଜିଲ୍ଲପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଛାତ୍ର ବିଜୁ ଜନତା ଦଳର ସଭାପତି ଅଭିନାଶ ବିଷୋୟୀ, ବରିଷ୍ଠ ବିଜେଡି କର୍ମୀ ଅମୀୟ ସ୍ୱାଇଁ, ବିନାୟକ କର, ଗଙ୍ଗାଧର ମୁଞ୍ଜିତି ପ୍ରମୁଖ ବିଜେଡ଼ି ଛାଡିଛନ୍ତି । ବହୁତ୍ ସଂଖ୍ୟାରେ ଯୁବକ ଯୁବତୀ ମାନେ ବିଜୁ ସ୍ୱାଭିମାନ ମଞ୍ଚରେ ଯୋଗ ଦେବାକୁ ଶ୍ରୀ ରାଓ ଆହ୍ୱାନ କରିଛନ୍ତି ।
..