ଏସ୍ଆଇ ନିଯୁକ୍ତି କେଳେଙ୍କାରୀ : ତଦନ୍ତ କରିବ ସିବିଆଇ
- ସୁପାରିଶ୍ କଲେ ମୁଖ୍ୟମନ୍ତ୍ରୀ
- ଆନ୍ତଃରାଜ୍ୟ ଅପରାଧୀଙ୍କ ସଂପୃକ୍ତି ସନ୍ଦେହ
- ପୁଲିସ୍ ନିଯୁକ୍ତି ପାଇଁ ହେବ ସ୍ଥାୟୀ ଆୟୋଗ
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସିବିଆଇକୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟଯେ, ଓଡିଶା ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସିଆଇଡିକୁ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସନ୍ଧାନରୁ ଜଣାଯାଇଛିଯେ, ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ । ଏହାସହିତ ଏହି ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଏସବୁକୁ ଦୃଷ୍ଟିରେ ରଖି, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ କରିବା ପାଇଁ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସିବିଆଇକୁ ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି । ଏହାଛଡା ପୋଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି । ଏସଆଇ ନିଯୁକ୍ତି କେଳେଙ୍କାରୀ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି ।
ଅତୀତରେ ଏତେବଡ଼ ନିଯୁକ୍ତି ସ୍କାମ ଦେଖିବାକୁ ମିଳିନଥିଲା । ଏହି ମାମଲାରେ ଶତାଧିକ ପରୀକ୍ଷାର୍ଥି, ଦଲାଲ ଓ ଅନ୍ୟ ସହଯୋଗୀଙ୍କୁ ଗିରଫ କରାଯାଇସାରିଛି । କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବାବେଳେ ଏଯାଏଁ କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଗିରଫ କରାଯାଇପାରିନାହିଁ । ଏହି ମାମଲାରେ ନିକଟରେ ଶଙ୍କରର ଘନିଷ୍ଠ ସହଯୋଗୀ ମୁନା ମହାନ୍ତିକୁ ଗିରଫ କରି କ୍ରାଇମବ୍ରାଞ୍ଚ ବଡ଼ ସଫଳତା ହାସଲ କରିଥିଲା । ଅପରପକ୍ଷରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲେ । ସେହିପରି ଏଥିରେ ଆନ୍ତଃରାଜ୍ୟ ଅପରାଧିଙ୍କ ସଂପୃକ୍ତି ଥିବାରୁ ସିବିଆଇ ତଦନ୍ତ ପାଇଁ ସୁପାରିଶ୍ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।