ଦିଲ୍ଲୀରେ ଯାତ୍ରୀ ସେବା ବ୍ୟବସ୍ଥା ସମୀକ୍ଷା କଲେ ଅଶ୍ୱିନୀ

ଦିଲ୍ଲୀରେ ଯାତ୍ରୀ ସେବା ବ୍ୟବସ୍ଥା ସମୀକ୍ଷା କଲେ ଅଶ୍ୱିନୀ

୨୦ ଦିନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନରେ ୧ କୋଟି ଲୋକଙ୍କ ଯାତ୍ରା
 

ନୂଆଦିଲ୍ଲୀ  : ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରି କ୍ଷେତ୍ର ସ୍ତରରେ ରେଳ ଯାତ୍ରୀଙ୍କୁ ମିଳୁଥିବା ସୁବିଧା ଓ ସେବାର ନିରୀକ୍ଷଣ କରିଛନ୍ତି । ପାର୍ବଣ ଋତୁରେ ଯାତ୍ରୀ ଭିଡର ମୁକାବିଲା କରିବା ଲାଗି ରେଳବାଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ରେଳ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଯାତ୍ରୀଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବା ଲାଗି ୧୨ ଲକ୍ଷ ରେଳ କର୍ମଚାରୀ ଦିନ ରାତି କାମ କରୁଛନ୍ତି । ଏବେ ସୁଦ୍ଧା ୪୨୧୧ଟି ପାର୍ବଣ ସ୍ୱତନ୍ତ୍ର ଟ୍ରେନରେ ୧ କୋଟିରୁ ଅଧିକ ଯାତ୍ରୀ ଯାତାୟାତ କରିସାରିଛନ୍ତି । କେବଳ ଦିଲ୍ଲୀ ଅଞ୍ଚଳରେ ଦୈନିକ ହାରାହାରି ୪.୨୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି । ସୁରତ, ମୁମ୍ବାଇ, କୋଏମ୍ବାଟୁର, ହାଇଦ୍ରାବାଦ, ବେଙ୍ଗାଲୁରୁ ଭଳି ଷ୍ଟେସନରେ ଯାତ୍ରୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦେବା ଲାଗି ଉତ୍ସର୍ଗୀକୃତ ରେଳ କର୍ମଚାରୀମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି । ସବୁ ଜୋନରେ ସ୍ୱତନ୍ତ୍ର ଜରୁରୀକାଳୀନ କକ୍ଷ ଖୋଲାଯାଇ ଯାତ୍ରୀ ଭିଡ ପରିଚାଳନା କରାଯାଉଛି । ରେଳ ମନ୍ତ୍ରୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଆରପିଏଫ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ଯାତ୍ରୀଙ୍କ ପାଇଁ ହୋଇଥିବା ସୁବିଧା ଏବଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

           ସେ ମଧ୍ୟ ପ୍ରାଥମିକ ଚିକିତ୍ସା କକ୍ଷ ପରିଦର୍ଶନ କରି ଡାକ୍ତରଙ୍କ ସହିତ କଥା ହୋଇଥିଲେ । ସେ ନୂଆଦିଲ୍ଲୀ ଷ୍ଟେସନର ୧୬ ନମ୍ବର ପ୍ଲାଟଫର୍ମରେ ପାଟନା ଯାଉଥିବା ଅମୃତ ଭାରତ ଏକ୍ସପ୍ରେସର ଯାତ୍ରୀମାନଙ୍କ ସହିତ କଥା ହୋଇଥିଲେ । ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସତୀଶ କୁମାରଙ୍କ ସମେତ ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି ରେଳମନ୍ତ୍ରୀଙ୍କୁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ପାର୍ବଣ ଭିଡ ଏଡାଇବାକୁ ଆହୁରି ୭୮୦୦ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ । ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ, ଆରାମଦାୟକ ଏବଂ ସୁସଜ୍ଜିତ ଯାତ୍ରା ସୁନିଶ୍ଚିତ କରିବା ଲାଗି ଭାରତୀୟ ରେଳବାଇ ଚଳିତ ପାର୍ବଣ ଋତୁରେ ସତର୍କତା ଅବଲମ୍ବନ କରୁଛି, ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପ୍ରସାରିତ ଭୁଲ ସୂଚନାକୁ ରୋକିବା ପାଇଁ ସକ୍ରିୟ ପଦକ୍ଷେପ ମଧ୍ୟ ନେଉଛି । ଗତ ପାଞ୍ଚ ଦିନ ମଧ୍ୟରେ, ଏପରି ୪୦ ରୁ ଅଧିକ ମିଥ୍ୟା ଅପପ୍ରଚାର ମାମଲା ଚିହ୍ନଟ କରାଯାଇଛି । ଭୁଲ ସୂଚନା ପ୍ରସାରଣ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ ଏତଲା ରୁଜୁ କରାଯାଉଛି । ସମ୍ବଲପୁର ରେଳ ଷ୍ଟେସନ ସମେତ ପ୍ରୟାଗରାଜ, ଭଲସାଡ, ବିଶାଖାପାଟଣା ଆଦି ଷ୍ଟେସନର ଯାତ୍ରୀମାନେ ଭାରତୀୟ ରେଳବାଇ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ପ୍ରତି ସନ୍ତୋଷ ପ୍ରକାଶ କରିଛନ୍ତି । ଉନ୍ନତ ସୁବିଧା ଏବଂ ଭିଡ ପରିଚାଳନାକୁ ପ୍ରଶଂସା କରିଛନ୍ତି, ଏପରିକି ଅଣସଂରକ୍ଷିତ କୋଚରେ ମଧ୍ୟ ହୋଇଥିବା ବ୍ୟବସ୍ଥାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି ।