ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ୯୦ କୋଟିର ସୁଧ ଫେରସ୍ତ

ଏସଏଚଜିଙ୍କୁ ନିୟମିତ ସୁଧ ଫେରସ୍ତ ସରକାରଙ୍କ ପ୍ରତିବଦ୍ଧତା : ପ୍ରଭାତୀ
 

ଭୁବନେଶ୍ୱର : ଏସ୍‌ଏଚ୍‌ଜିଙ୍କୁ ନିୟମିତ ସୁଧ ଫେରସ୍ତ ସରକାରଙ୍କ ପ୍ରତିବଦ୍ଧତା ଓ  ଏହା ସଦସ୍ୟାମାନଙ୍କ ଅର୍ଥନୈତିକ ଭାଗିଦାରୀକୁ ଆହୁରି ସଶକ୍ତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ଆଜି ମିଶନ ଶକ୍ତିଭବନ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରକମଳରେ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟର ୧ ଲକ୍ଷ ୫୫ ହଜାର ୮୫୨ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୦ କୋଟି ୨୦ ଲକ୍ଷ ୫୨ ହଜାର ୬୨୧ ଟଙ୍କା ବ୍ୟାଙ୍କ ଋଣ ସୁଧ ଫେରସ୍ତ ଆକାରରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗିରିଶ ଏସଏନ, ନିର୍ଦ୍ଦେଶିକା ମୋନିକା ପ୍ରିୟଦର୍ଶିନୀ, ଅତିରିକ୍ତ ସଚିବବୃନ୍ଦ ଓ ଓଡିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିବୃନ୍ଦ ସହିତ ବିଭାଗର ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀ, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।


   ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମ୍ପୃକ୍ତ ବ୍ୟାଙ୍କ ପ୍ରତିନିଧିମାନଙ୍କ ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବ୍ୟାଙ୍କ ଋଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀରସଦସ୍ୟାମାନଙ୍କୁ ବିତ୍ତୀୟ ପରିଚାଳନା ବିଷୟରେ ସଚେତନ କରିବା ପାଇଁ ସେ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପଦକ୍ଷେପ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗମାନଙ୍କୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ମହିଳାମାନଙ୍କ ଅବଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଗିରିଶ ଏସ.ଏନ. ନିଜ ସ୍ୱାଗତ ଭାଷଣରେ ଉପସ୍ଥାପନ କରିଥିଲେ । ସୂଚନାଯୋଗ୍ୟଯେ, ୨୦୨୫-୨୬ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୩୧୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସୁଧ ଫେରସ୍ତ କରାଯାଇଛି ।