ସରପଞ୍ଚଙ୍କ ସ୍ବାମୀ-ଶ୍ୱଶୁରଙ୍କୁ ମାରିଦେଲେ ଦୁର୍ବୃତ୍ତ: ୨ ମୃତଦେହ ପଡ଼ିଛି
ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ସରପଞ୍ଚଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଓ ଶିଶୁର ସେମେରା ଗମାଙ୍ଗଙ୍କୁ ଟାଙ୍ଗିଆରେ ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗାଁ ଦାଣ୍ଡରେ ବାପ-ପୁଅ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବାବେଳେ ପଦ୍ମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଣପୁର ଏସ୍ଡିପିଓଙ୍କ ସମେତ ପୋଲିସ ଫୋର୍ସ ଗ୍ରାମରେ ପହଞ୍ଚିଛନ୍ତି।
ଆଜି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ସରପଞ୍ଚଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ। ଜମିଜମା ବିବାଦକୁ କେନ୍ଦ୍ର କରି ଉଭୟପକ୍ଷ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା। ଏଥିପାଇଁ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ହତ୍ୟା ଘଟଣା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସ ସବୁ ଦିଗ ଉପରେ ନଜର ରଖିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।