ଓଡ଼ିଶା ଆସିବେ ୨୪ରେ ରାଷ୍ଟ୍ରପତି ୨୨ରେ ଶାହ
ଭୁବନେଶ୍ୱର : ଆସନ୍ତା ୨୪ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ୨୨ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ୨୪ ତାରିଖ ସାଢେ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତି ଜଗନ୍ନାଥ ସଂସ୍କୃତିର ମୂଳପୀଠ ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ୱାବସୁ ଓ ଲଲିତାଙ୍କ ଜନ୍ମମାଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ନୟାଗଡ ଜିଲ୍ଲାପାଳ ଓ ଏସ୍ପି ସ୍ଥିତି ସମୀକ୍ଷା କରିଛନ୍ତି । ସେହିପରି ମିଳିଥିବା ସୂଚନା ଅନୁଯାୟୀ ୨୨ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଶାହ ଆସିବେ । ଏହି ଅବସରରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ନେତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ବି କରାଯିବ ବୋଲି ଜାଣିବାକୁ ମିଳିଛି ।