ଓଡ଼ିଶାରେ ନିବେଶ କରିବ ଫଣିଧର ଗ୍ରୁପ୍ : ସ୍ଥାପିତ ହେବ ଅଧିକ ଶୀତଳଭଣ୍ଡାର

ଭୁବନେଶ୍ୱର: ଉକôର୍ଷ ଓଡିଶା କନକ୍ଲେଭ୍ ସଫଳତାର ସହ ସମାପ୍ତି ପରେ ଏବେ ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟିଛି । ଗୁଜରାଟର ଫଣିଧର ଗ୍ରୁପ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଏହି ଗ୍ରୁପ ଓଡ଼ିଶାରେ ଶୀତଳ ଭଣ୍ଡାର କରିବା ସହିତ ଖାଦ୍ୟ ପ୍ରକ୍ରୀୟାକରଣ ୟୁନିଟ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ଦେଖାଇଛନ୍ତି । ଏହି ପରିପ୍ରେକ୍ଷୀରେ ଫଣିଧର ଗ୍ରୁପର ଚେୟାରମ୍ୟାନ କୃଣାଳ ପଟେଲ ଓ ପ୍ରେସିଡେଣ୍ଟ ଡ. ବିଭୁ ପ୍ରସାଦ ସ୍ୱାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ କରି ଏ ବିଷୟରେ ଆଲୋଚନା କରିଛନ୍ତି ।
କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ନିବେଶକ ଅନୁକୂଳ ନୀତି ନିର୍ଦ୍ଧାରିତ କରିଛନ୍ତି । ଏତଦବ୍ୟତୀତ ବିଭିନ୍ନ ଯୋଜନା ମାଧ୍ୟମରେ ସବସିଡି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ  ପ୍ରତିଶ୍ରୁତି ଦେଇଛନ୍ତି କୃଷିମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ଏହି କମ୍ପାନୀ ବିଭିନ୍ନ ସୁବିଧାର ଲାଭ ମଧ୍ୟ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଫଣିଧର ଗ୍ରୁପ ଗୁଜରାଟର ଏକ ଜଣାଶୁଣା କୃଷି ଉଦ୍ୟୋଗ । ଗୁଜରାଟର ମେହେସାନାରେ ଏହାର ଏକ ମେଗା ଫୁଡ ପାର୍କ ରହିଥିବା ବେଳେ ସେହିଭଳି ଏକ ମେଗା ଫୁଡ ପାର୍କ ପରବର୍ତ୍ତୀ ସମୟରେ ଓଡିଶାରେ ମଧ୍ୟ ଖୋଲିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ ସେ ପ୍ରକାଶ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ ପାଢୀଙ୍କ ସହ ସମ୍ପୃକ୍ତ କମ୍ପାନୀର ଚେୟାରମ୍ୟାନ ଓ ପ୍ରେସିଡେଣ୍ଟ ଓଡ଼ିଶାର ବିଭିନ୍ନ ଯୋଜନା ଓ ପ୍ରଣାଳୀ ବାବଦରେ ଆଲୋଚନା କରିଛନ୍ତି ।