କଂଗ୍ରେସକୁ ଥରୁର୍ଙ୍କ ଜବାବ ‘ଦଳ ଯଦି ନ ଚାହିଁବ, ବିକଳ୍ପ ଅଛି'
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେରଳର ପିନାରାଇ ବିଜୟନଙ୍କ ନେତୃତ୍ୱାଧୀନ ଏଲ୍ଡିଏଫ୍ ସରକାରଙ୍କ ପ୍ରଶଂସା କରି ଅଡ଼ୁଆରେ ପଡ଼ିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଏଥିପାଇଁ କଂଗ୍ରେସ ତାଙ୍କୁ ସମାଲୋଚନା କରିଥିବା ବେଳେ ଥରୁର୍ ମଧ୍ୟ ଏହାର ପାଲଟା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଦଳ ଯଦି ମୋତେ ନ ଚାହୁଁଛି, ତେବେ ମୋ ପାଖରେ ବିକଳ୍ପ ବ୍ୟବସ୍ଥା ଅଛି ।’
ଏକ ନିକଟରେ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରି ଟ୍ରମ୍ପ୍ଙ୍କ ସହିତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରି ଫେରିଛନ୍ତି । ଯାହାକୁ ନେଇ ଥରୁର୍ ଇଂରାଜୀ ଖବର କାଗଜ (ଇଣ୍ଡିଆନ୍ ଏକ୍ସପ୍ରେସ୍)ରେ ପ୍ରକାଶିତ ଏକ ଆର୍ଟିକିଲ୍ରେ ମୋଦିଙ୍କୁ ପ୍ରଶଂସା କରିଥିଲେ । କିନ୍ତୁ କଂଗ୍ରେସ ଏହାକୁ ନାପସନ୍ଦ କରୁଥିବା ବେଳେ ଥରୁର୍ଙ୍କ ଏଭଳି ପ୍ରଶଂସାକୁ ନେଇ ଦଳ ତାଙ୍କୁ ସମାଲୋଚନା କରିଥିଲା । ଏହାର ଜବାବରେ ଥରୁର୍ କହିଥିଲେ ଯେ, ସେ ଜଣେ ରାଜନେତାଙ୍କ ଭଳି ଚିନ୍ତା କରନ୍ତି ନାହିଁ କିମ୍ବା ତାଙ୍କ ଦୃଷ୍ଟିକୋଣ ଏତେ ସଂକୀର୍ଣ୍ଣ ନୁହେଁ । ଥିରୁଅନନ୍ତପୂରମ୍ରୁ ଚାରିଥର ସାଂସଦ ହୋଇ ସାରିଥିବା ଶଶି ଥରୁର ଏହାମଧ୍ୟ କହିଥିଲେ ଯେ, ଆସନ୍ତା ବର୍ଷ କେରଳରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଯଦି ଦଳ କେରଳରେ ତା’ର ଭୋଟ୍ ବ୍ୟାଙ୍କ ବୃଦ୍ଧି ନ କରେ ତୃତୀୟ ଥର ପାଇଁ ଦଳ ପୁଣି ସେଇ ବିରୋଧୀ ଦଳ ଭାବେ କାର୍ଯ୍ୟ କରିବ । ଅପରପକ୍ଷେ ଥରୁର୍ ଶନିବାର ଇଂରାଜୀ କବି ଥୋମାସ୍ ଗ୍ରେଙ୍କ ଏକ କବିତାକୁ ଭିତ୍ତି କରି ନିଜ ଏକ୍ସ ହାଣ୍ଡେଲ୍ରେ ସେୟାର୍ କରି ଲେଖିଥିଲେ ଯେ, ‘ଯେଉଁଠାରେ ଅଜ୍ଞାନତାର ଅନ୍ତ ନାହିଁ, ସେଠାରେ ବୁଦ୍ଧିମାନ ହେବା ମୁର୍ଖତା’ । ଏହି ପୋଷ୍ଟକୁ ସେ ଆଜିର ବିଚାର ବୋଲି ଲେଖିଥିଲେ । ସେହିପରି କେରଳର ପିନାରାଇ ବିଜୟନଙ୍କ ନେତୃତ୍ୱାଧୀନ ଏଲ୍ଡିଏଫ୍ ସରକାରଙ୍କ ପ୍ରଶଂସାକୁ ନେଇ ରାହୁଲ ଗାନ୍ଧୀ ଗତ୧୮ରେ ତାଙ୍କୁ ଦିଲ୍ଲୀ ଡାକିଥିଲେ । ଏ ବିଷୟରେ ସାମ୍ବାଦିକମାନେ ଥରୁର୍ଙ୍କୁ ପଚରିବାରୁ ସେ ଏ ବୈଠକ ବିଷୟରେ ବିଶେଷ ଭାବେ ପ୍ରକାଶ କରିପାରିବେ ନାହିଁ ବୋଲି କହିଥିଲେ । ଆଗାମୀ ବିଧାନସଭା ନିର୍ବାଚନ ଏବଂ ରାଜ୍ୟରେ ଦଳର ନେତୃତ୍ୱ ବିଷୟରେ ରୁଦ୍ଧଦ୍ୱାର ବୈଠକ ଆଲୋଚନା ହୋଇଥିଲା ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ଶଶି ଥରୁର ନିକଟରେ ଏକ ଇଂରାଜୀ ଖବରକାଗଜ ‘ମାଲାୟାଲମ୍ ଇଣ୍ଡିଆନ୍ ଏକ୍ସପ୍ରେସ୍’କୁ ଏକ ଆର୍ଟିକିଲ୍ ଦେଇଥିଲେ । ଏଥିରେ ସେ କେରଳର ପିନାରାଇ ବିଜୟନ ସରକାରଙ୍କ ପ୍ରଶଂସା କରିଥିଲେ । ଥରୁର ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଏବଂ ଆମେରିକା ଗସ୍ତକୁ ମଧ୍ୟ ପ୍ରଶଂସା କରିଛନ୍ତି । ଶଶି ଥରୁରଙ୍କ ଏହି ପଦକ୍ଷେପରେ କଂଗ୍ରେସ କ୍ଷୁବ୍ଧ ହୋଇଥିଲା । ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ମୁଁ ଦଳ ପାଇଁ ଉପଲବ୍ଧ । ଯଦି ଦଳକୁ ମୋର ଆବଶ୍ୟକତା ନାହିଁ, ତେବେ ମୋ ପାଖରେ ବିକଳ୍ପ ଅଛି । ଯେଉଁମାନେ କଂଗ୍ରେସ ବିରୋଧରେ ଥିଲେ, ସେମାନେ ମଧ୍ୟ ମୋତେ ଭୋଟ ଦେଇଥିଲେ ।