"ନିର୍ବାଚନ ନୁହେଁ, ପ୍ରକଳ୍ପ ପାଇଁ ଖର୍ଚ୍ଚ'
ନୂଆଦିଲ୍ଲୀ : ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତର ୭ ପ୍ରକଳ୍ପକୁ ପ୍ରାୟ ୭୫୦ ନିୟୁତ ଡଲାର୍ ମୂଲ୍ୟର ଅର୍ଥାତ୍ ପ୍ରାୟ ୬୫୨୫ କୋଟି ଟଙ୍କାର ପାଣ୍ଠି ଦେଇଛି ଆମେରିକୀୟ ସଂସ୍ଥା ‘ଉସେଦ’ । କିନ୍ତୁ ଉସେଦ୍ର ଏହି ଅର୍ଥ ସହିତ ନିର୍ବାଚନର କୌଣସି ଭୂମିକା ନାହିଁ । ଉସେଦ୍ ଦେଇଥିବା ପାଣ୍ଠିକୁ ଭାରତର କୃଷି, ଖାଦ୍ୟ ସୁରକ୍ଷା, ଜଳ ଓ ପରିମଳ ଏବଂ ସ୍ୱାସ୍ଥ୍ୟ ଆଦି କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୨୦୨୩-୨୪ ବାର୍ଷିକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ୨୦୨୪ ନିର୍ବାଚନକୁ ପ୍ରଭାବିତ କରିବାରେ ‘ଉସେଦ’ର ଭୂମିକାକୁ ନେଇ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ, ଅର୍ଥ ମନ୍ତ୍ରଣାଳୟର ସାମ୍ପ୍ରତିକ ବାର୍ଷିକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଉସେଦ୍ ସହାୟତାରେ ଭାରତରେ ୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଏହା ଉଭୟ ଭାରତ ସରକାର ଏବଂ ‘ୟୁସେଦ’ର ମିଳିତ ସହଯୋଗରେ କରାଯାଉଛି । ଏହି ୭ଟି ପ୍ରକଳ୍ପର ମୋଟ୍ ମୂଲ୍ୟ ୭୫୦ ନିୟୁତ ଡଲାର ଧାର୍ଯ୍ୟ କରାଯାଇଛି । ସେହିପରି ଏହି ୭ ପ୍ରକଳ୍ପ ଅଧୀନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅନ୍ତର୍ଜାତୀୟ ବିକାଶ ଲାଗି ଉସେଦ୍ ପକ୍ଷରୁ ୯୭ ନିୟୁତ ଡଲାର (ପ୍ରାୟ ୮୨୫ କୋଟି) ପାଣ୍ଠି ପ୍ରଦାନ କରାଯାଇଛି ।
ଅର୍ଥ ମନ୍ତ୍ରାଳୟ ଅଧୀନ ଅର୍ଥନୈତିକ ବ୍ୟାପାର ବିଭାଗ ମଧ୍ୟ ରିପୋର୍ଟରେ ଦର୍ଶାଇଛି ଯେ, ଦ୍ୱିପାକ୍ଷିକ ଆର୍ଥିକ ବ୍ୟବସ୍ଥା ପାଇଁ ଅର୍ଥନୈତିକ ବ୍ୟାପାର ବିଭାଗ ହେଉଛି ନୋଡାଲ ବିଭାଗ । ବର୍ଷକ ମଧ୍ୟରେ, ଭୋଟରଙ୍କ ମତଦାନ ବୃଦ୍ଧି ପାଇଁ କୌଣସି ପାଣ୍ଠି ଯୋଗାଇ ଦିଆଯାଇ ନାହିଁ । ଏହା କେବଳ ଦେଶର କୃଷି, ଖାଦ୍ୟ ସୁରକ୍ଷା, ଜଳ ଓ ପରିମଳ, ବିପର୍ଯ୍ୟୟ ପରିଚାଳନା, ନବୀକରଣୀୟ ଶକ୍ତି ଏବଂ ସ୍ୱାସ୍ଥ୍ୟ ଭଳି କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଖର୍ଚ୍ଚ କରାଯାଇଛି । ଏହା ବ୍ୟତୀତ ସ୍ଥାୟୀ ବନୀକରଣ ଏବଂ ଜଳବାୟୁ ଅନୁକୂଳନ କାର୍ଯ୍ୟକ୍ରମ ସମେତ ଶକ୍ତି ଦକ୍ଷତା, ପ୍ରଯୁକ୍ତିବିଦ୍ୟା ବାଣିଜ୍ୟକରଣ ଏବଂ ନବସୃଜନ ପ୍ରକଳ୍ପ ପାଇଁ ମଧ୍ୟ ପାଣ୍ଠି ଖର୍ଚ୍ଚ କରାଯାଇଛି । ସୂଚନାଯୋଗ୍ୟ ଭାରତକୁ ଆମେରିକାର ଦ୍ୱିପାକ୍ଷିକ ବିକାଶ ସହାୟତା ୧୯୫୧ ମସିହାରୁ ଆରମ୍ଭ ହୋଇଥିଲା । ମୁଖ୍ୟତଃ ଉସେଦ ମାଧ୍ୟମରେ ଏହି ପାଣ୍ଠି ପରିଚାଳିତ ହେଉଥିଲା । ଏହାର ସ୍ଥାପନା ପରଠାରୁ, ଉସେଦ ଭାରତକୁ ବିଭିନ୍ନ କ୍ଷେତ୍ରରେ ରେ ୫୫୫ ରୁ ଅଧିକ ପ୍ରକଳ୍ପ ପାଇଁ ୧୭ ବିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିଛି । ଚଳିତ ମାସରେ, ଉସେଦ୍ ପାଣ୍ଠିକୁ ନେଇ ଦେଶରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି । ଆମେରିକା ଶିଳ୍ପପତି ଏଲୋନ୍ ମସ୍କଙ୍କ ନେତୃତ୍ୱରେ ପରିଚାଳିତ ଡୋଜ୍ (ସରକାରୀ ଦକ୍ଷତା ବିଭାଗ) ସଂସ୍ଥା ଦାବି କରିଥିଲା ଯେ ଭାରତରେ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ୨୧ ନିୟୁତ ଡଲାରର ଏକ ଅନୁଦାନକୁ ସେ ବାତିଲ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବାରମ୍ବାର ଦାବି କରିଛନ୍ତି ଯେ ପୂର୍ବରୁ ଜୋ ବାଇଡେନଙ୍କ ନେତୃତ୍ୱାଧୀନ ପ୍ରଶାସନ ଅଧୀନରେ ଉସେଦ୍ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଭାରତକୁ ୨୧ ନିୟୁତ ଡଲାରର ପାଣ୍ଠି ଆବଣ୍ଟନ କରିଥିଲା । ଟ୍ରମ୍ପ୍ଙ୍କ ଅଭିଯୋଗ ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହାର ଅନୁସନ୍ଧାନ ଆରମ୍ଭ କରାଯାଇଥିଲା ।