କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଦୃଢ ସଂସ୍ଥାଗତ ବ୍ୟବସ୍ଥା ଜରୁରୀ: ଟଣ୍ଡନ

 କଟକ/ଭୁବନେଶ୍ୱର  : ଓଡିଶା ହାଇକୋର୍ଟର ଜୁଭେନାଇଲ୍ ଜଷ୍ଟିସ୍ କମିଟି, ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫ୍ର ମିଳିତ ଆନୁକୂଲ୍ୟରେ ‘କନ୍ୟା ଶିଶୁ ସୁରକ୍ଷା: ଭାରତରେ କନ୍ୟା ସନ୍ତାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଜୁଭେନାଇଲ୍ ଜଷ୍ଟିସ୍ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । ଆଜି କଟକର ଓଡିଶା ଜୁଡିସିଆଲ ଏକାଡେମୀରେ ଆୟୋଜିତ ଏହି କର୍ମଶାଳାକୁ ଉଦ୍ଘାଟନ କରି  ମୁଖ୍ୟ ବିଚାରପତି ହରିଶ ଟଣ୍ଡନ୍ ହିଂସା, ବାଲ୍ୟବିବାହ ଓ ଶୋଷଣରୁ କନ୍ୟାମାନଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ ସଂସ୍ଥାଗତ ବ୍ୟବସ୍ଥା ଓ ଗୋଷ୍ଠୀ-ଆଧାରିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି  । ସେ ତାଙ୍କର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିବା ସହ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ ଏବଂ କିଶୋର ନ୍ୟାୟ (ଶିଶୁଙ୍କ ଯନô ଓ ସୁରକ୍ଷା) ଆଇନ, ୨୦୧୫ର ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ବୈଷୟିକ ଅଧିବେଶନରେ ହେବାକୁ ଥିବା ଆଲୋଚନା କନ୍ୟାମାନଙ୍କୁ ଏକ ସୁରକ୍ଷିତ ଓ ସକ୍ଷମ ପରିବେଶ ସୁନିଶ୍ଚିତ କରିବା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ଉଦ୍ଘାଟନୀ ଅଧିବେଶନରେ ଓଡିଶା ହାଇକୋର୍ଟର କିଶୋର ନ୍ୟାୟ କମିଟିର ବିଚାରପତି ଏବଂ ଅଧ୍ୟକ୍ଷା ମିସ୍ ଜଷ୍ଟିସ୍ ସାବିତ୍ରୀ ରାଠୋ ସ୍ୱାଗତ ଭାଷଣ ଦେବା ସହ ଏହି କର୍ମଶାଳାର ଉଦେ୍ଦଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଚାରପତି ତଥା ନୁ୍ୟଜଲେଟରର ମୁଖ୍ୟ ସମ୍ପାଦକ ଓ ଓଡିଶା ହାଇକୋର୍ଟର ଜୁଭେନାଇଲ୍ ଜଷ୍ଟିସ୍ କମିଟିର ସଦସ୍ୟ ଜଷ୍ଟିସ୍ ଏ. କେ. ମହାପାତ୍ର ୨୦୧୭ ମସିହାରେ ଆରମ୍ଭ ହୋଇଥିବା ନୁ୍ୟଜଲେଟର ଶିଶୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।  ମୁଖ୍ୟ ବିଚାରପତି ଶ୍ରୀ ଟଣ୍ଡନ ଜୁଭେନାଇଲ୍ ଜଷ୍ଟିସ୍ କମିଟିର ନୁ୍ୟଜଲେଟର ଶିଶୁ ସୁରକ୍ଷା ୨୦୨୫ ବର୍ଷ ପାଇଁ ପ୍ରକାଶିତ ସଂସ୍କରଣକୁ ଉନ୍ମୋଚନ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ନିଦେ୍ର୍ଦଶକ ମୋନିଷା ବାନର୍ଜୀ, ୟୁନିସେଫ୍ ଓଡିଶାର କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ ୱିଲିୟମ୍ ହାନଲନ୍ ଜୁନିଅର ପ୍ରମୁଖ ଯୋଗ ଦେଇଥିଲେ । ବିଚାରପତି ତଥା  ସଦସ୍ୟ କିଶୋର ନ୍ୟାୟ କମିଟି, ଓଡିଶା ହାଇକୋର୍ଟ ଏମ୍. ଏସ୍. ରମଣ ଧନ୍ୟବାଦ ଦେଇଥିଲେ ।