କଲେଜ ଇଲେକ୍ସନ : ଯଦି ସମସ୍ତେ ପ୍ରସ୍ତୁତ, ଅସୁବିଧା କେଉଁଠି
ଭୁବନେଶ୍ୱର: ଏବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ତ ? ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହୁଛନ୍ତି, ‘ହଁ’ ହେବ । ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ । ତିନି ପ୍ରମୁଖ ଦଳର ଛାତ୍ର ସଂଗଠନମାନେ ବି କହୁଛନ୍ତି ଆମେ ପ୍ରସ୍ତୁତ । ସମସ୍ତେ ଭଲ ପ୍ରଦର୍ଶନ କରିବା ନେଇ ବି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ସମସ୍ତେ ପ୍ରସ୍ତୁତ ତେବେ ଅସୁବିଧା କେଉଁଠି ରହୁଛି । ଛାତ୍ର ନିର୍ବାଚନ ନେଇ ସରକାର ଏଯାବତ୍ କାହିଁକି ପଦକ୍ଷେପ ନେଇନାହାନ୍ତି ? ସେପଟେ ଛାତ୍ର ସଂଗଠନଗୁଡ଼ିକ ଏନେଇ ଜୋରଦାର ଦାବି କି ବିକ୍ଷୋଭ କାହିଁକି କରୁନାହାନ୍ତି ? ନା ମନ୍ତ୍ରୀଙ୍କ ଠାରୁ ନେଇ ଛାତ୍ରନେତାମାନେ କେବଳ ମୁହଁ ଭୁରୁଡ଼ି ମାରୁଛନ୍ତି ।
୨୦୨୪ରେ ସରକାରକୁ ଆସିବା ପରେ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ ହେବବୋଲି କହିଥିଲେ । କିନ୍ତୁ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଇ ଅନ୍ୟ ସବୁ ମନ୍ତ୍ରୀ ଓ ନେତାମାନେ ୨୦୨୫କୁ ଟାର୍ଗେଟ୍ ଦେଇଥିଲେ । ୮ ବର୍ଷ ପରେ କ୍ୟାମ୍ପସରେ ନେତାଗିରି ପାଇଁ ଅନେକ ଆଶାୟୀ ମୁଣ୍ଡ ଟେକିଥିଲେ । ଗତ ତିନି ମାସ ଧରି ଆଶାୟୀମାନେ ରଣନୀତି ବି ଜାରି ରଖିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ନିର୍ବାଚନ ହେବବୋଲି ସଂକେତ ଦେଇଥିଲେ । କେତେକ ଗଣମାଧ୍ୟମରେ ବିଶେଷ ସୂତ୍ର ଆଧାରରେ ସେପ୍ଟେମ୍ବର ୧୭ କିମ୍ବା ୧୮ରେ ନାମାଙ୍କନ ହେବବୋଲି ଉଲ୍ଳେଖ କରିଥିଲେ । ହେଲେ ଏଯାବତ୍ କଲେଜ ଇଲେକ୍ସନ ନେଇ କିଛି ବାସ୍ନା ହେଉନାହିଁ ।
ବାସ୍ତବରେ ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜନୈତିକ ଦଳ, ଛାତ୍ର ସଂଗଠନଗୁଡ଼ିକ ମଧ୍ୟ ହରଡ଼ଘଣାରେ ପଡ଼ିଯାଇଛନ୍ତି । ଯଦି ଛାତ୍ର ସଂସଦ ନିର୍ବାଚନ ହୁଏ ଏହା ମୋହନ ସରକାରଙ୍କ ପାଇଁ ପ୍ରଥମ ପରୀକ୍ଷା ହେବ । କାହିଁକିନା ଜେନ୍-ଜିମାନେ ହିଁ କଲେଜ ନିର୍ବାଚନରେ ଭୋଟ୍ ଦେଇଥା’ନ୍ତି । ସେମାନେ ହିଁ ଆଗାମୀ ନିର୍ବାଚନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି । ହେଲେ ବିଜେପିର ବିଧିବଦ୍ଧ ଭାବେ କୌଣସି ଛାତ୍ର ସଂଗଠନ ନାହିଁ । ଆରଏସଏସର ଶାଖା ଅନୁଷ୍ଠାନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହିଁ ଛାତ୍ର ସଂଗଠନର ଦାୟିତ୍ୱ ନେଇଥାଏ । କିଛି ପ୍ରମୁଖ ସହରକୁ ଛାଡ଼ିଦେଲେ ଏବିଭିପିର ସଂଗଠନ ସେତେଟା ମଜବୁତ୍ ନଥିଲା । ଅବଶ୍ୟ ସରକାର ଆସିବା ପରେ ଏବିଭିପି ସଂଗଠନ କିଛି ମାତ୍ରାରେ ବଢ଼ିଥିଲା । ହେଲେ ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଜଳି ମୃତୁ୍ୟବରଣ କରିବା କ୍ଷେତ୍ରରେ ପ୍ରଥମେ ସରକାର ଅକଳରେ ପଡ଼ିଗଲେ । ଶେଷରେ କ୍ରାଇମବ୍ରାଞ୍ଚ ଏବିଭିପି ନେତାଙ୍କୁ ବାନ୍ଧିବା ପରେ ସ୍ଥିତି ଗଡ଼ବଡ଼ ହୋଇଯାଇଥିଲା । ଏବିଭିପି ନେତାମାନେ ଏନେଇ ଅସନ୍ତୋଷ ଝାଡ଼ିଥିଲେ । ଅବଶ୍ୟ ନିଜ ସରକାରଙ୍କୁ ଟାର୍ଗେଟ୍ ନକରି ସେମାନେ ପୁଲିସ୍ ଉପରେ ବର୍ଷିଥିଲେ ।
ସେହିପରି ବିଜୁ ଛାତ୍ର ଜନତା ଦଳର ସଭାପତି ବହୁ ଦିନ ଧରି ନିଯୁକ୍ତି ହୋଇନଥିଲେ । ଏବେ ଇପ୍ସିତା ସାହୁଙ୍କୁ ଦଳ ଦାୟିତ୍ୱ ଦେଇଛି । ଏହାକୁ ନେଇ କେତେକ ଛାତ୍ରନେତା ଅସନ୍ତୋଷ ଝାଡ଼ିଥିବାବେଳେ ଆଶାୟୀ ନେତା ହରିଶଙ୍କର ରାଉତ ଦଳ ଛାଡ଼ି ଏବେ କଂଗ୍ରେସରେ ମିଶିଛନ୍ତି । କିଛି ବରିଷ୍ଠ ନେତାମାନେବି ମନଇଚ୍ଛା ଛାତ୍ରନେତା ଚୟନକୁ ନେଇ ଅସନ୍ତୋଷ ଝାଡ଼ିଥିଲେ । ସେହିପରି ଇପ୍ସିତା ଏବେ ଦାୟିତ୍ୱ ନେଇଥିବାରୁ ସେ ବି କ୍ୟାମ୍ପସକୁ ଯାଇପାରିନାହାନ୍ତି । ଗାଏମୋଟ୍ କହିଲେ ବିଜୁ ଛାତ୍ର ଜନତା ଦଳ ବି ପ୍ରସ୍ତୁତ ନାହିଁ । ସେହିପରି ୭ ବର୍ଷ ଧରି ନବୀନ ବାବୁ ନିର୍ବାଚନ କରିନଥିବାରୁ ବିଜେଡ଼ିର ଛାତ୍ର ନିର୍ବାଚନର ଦାବିର ଅଧିକାର ନାହିଁ ବୋଲି ବିଜେପିର କିଛି ନେତା କହୁଛନ୍ତି ।
କଂଗ୍ରେସରେ ବି ସମାନ ଅବସ୍ଥା । ଛାତ୍ର କଂଗ୍ରେସ ସଭାପତି ଥିବା ଉଦିତ ପ୍ରଧାନ ଗଣକୁକର୍ମ ମାମଲାରେ ଜେଲ୍ ଯାଇଥିଲେ । ସେବେଠାରୁ ଦଳ କାହାକୁ ଛାତ୍ର ସଭାପତି ନିଯୁକ୍ତି କରିନାହିଁ । ଫଳରେ କ୍ୟାମ୍ପସରେ ବି ଛାତ୍ର ସଂଗଠନ ଦୁର୍ବଳ ରହିଛି । ସରକାରଙ୍କ ଠାରୁ ନେଇ ତିନି ପ୍ରମୁଖ ଦଳ ପ୍ରକୃତରେ ପ୍ରସ୍ତୁତ ନଥିବାରୁ ଏନେଇ ଖାଲି ବାକସ୍ଫୋଟରେ ଛାତ୍ର ନିର୍ବାଚନ ଚାଲିଛି କହିଲେ ଭୁଲ୍ ହେବନାହିଁ ।